ନୂଆଦିଲ୍ଲୀ : କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, ଗୁରୁବାର ସବୁ ରାଜନୀତିକ ଦଳ ଗୁଡ଼ିକୁ ହଜ୍ ତୀର୍ଥଯାତ୍ରାରେ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି ଏବଂ ଘୋଷଣା କରିଛନ୍ତି ଯେ, ୧୦,୦୦୦ ତୀର୍ଥଯାତ୍ରୀଙ୍କ ପାଇଁ ସାଉଦୀ ଆରବ ପୁଣି ଥରେ ପୋର୍ଟାଲ ଖୋଲିଛି। ସେ କହିଛନ୍ତି , ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ୧୦,୦୦୦ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ସାଉଦୀ ଆରବ ନିଜର ନୁସୁକ ପୋର୍ଟାଲକୁ ପୁଣି ଥରେ ଖୋଲିବାକୁ ନିଷ୍ପତ୍ତି ନେଇଛି। ସେ ଏହି ପ୍ରସଙ୍ଗରେ ଅଯଥାରେ ରାଜନୀତି ନକରିବାକୁ ରାଜନୀତିକ ଦଳ ଗୁଡ଼ିକୁ ଚେତାବନୀ ମଧ୍ୟ ଦେଇଛନ୍ତି।
ରିଜିଜୁ ଏକ୍ସରେ ପୋଷ୍ଟ କରିଛନ୍ତି , ଦୟାକରି ଧାର୍ମିକ ହଜ୍ ପ୍ରସଙ୍ଗ ସହ ରାଜନୀତି କରନ୍ତୁ ନାହିଁ। ସେ କହିଛନ୍ତି , ଭାରତୀୟ ହଜ୍ କମିଟି ଓ ଭାରତୀୟ ମହାବାଣିଜ୍ୟ ଦୂତାବାସ ୧,୨୨,୦୦୦ ହଜ୍ ତୀର୍ଥଯାତ୍ରୀଙ୍କ ପାଇଁ ସଠିକ୍ ସମୟରେ ସବୁ ଜରୁରୀ କାମ ସାରି ଦେଇ ଥିଲେ , କିନ୍ତୁ ଘରୋଇ ଅପରେଟରମାନେ ଚଳିଚ ବର୍ଷ ସାଉଦୀ ଆରବର ନିର୍ଦ୍ଧାରିତ ପୂର୍ବ ସମୟ ସୀମା ଅନୁଯାୟୀ ଚୁକ୍ତିନାମା ଓ ଦେୟକୁ ଚୂଡାନ୍ତ କରିବାରେ ବିଫଳ ହୋଇଥିଲେ , ଯେଉଁଥି ପାଇଁ ତାଙ୍କୁ କୌଣସି ଟାଇମ୍ ଏକ୍ସଟେନ୍ସନ ମିଳିଲା ନାହିଁ।
ମନ୍ତ୍ରୀ କହିଛନ୍ତି , ସାଉଦୀ ଆରବ ସହ ଭାରତର ଖୁବ୍ ଭଲ ସଂପର୍କ ଥିବା ଯୋଗୁଁ ଅତିରିକ୍ତ କୋଟା ପ୍ରାପ୍ତ କରିଛି। ସେ କହିଛନ୍ତି , ସାଉଦୀ ହଜ୍ ମନ୍ତ୍ରଣାଳୟ ମିନାରେ ଥିବା ସ୍ଥାନର ଉପଲବ୍ଧତା ଆଧାରରେ ଘରୋଇ ଅପରେଟରଙ୍କୁ ନିଜର କାମ ପୂରା କରିବା ପାଇଁ ପୁଣି ନୁସୁକ୍ ପୋର୍ଟାଲ ଖୋଲିଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ୨୬ଟି ମିଳିତ ହଜ୍ ଗ୍ରୁପ୍ ସଞ୍ଚାଳକ (ସିଏଚଜିଓ ) ବାରମ୍ୱାର ମନେପକାଇବା ସତ୍ତ୍ୱେ ମିନା ଶିବିର , ବାସସ୍ଥାନ ଓ ପରିବହନ ସମ୍ୱନ୍ଧୀୟ ଚୁକ୍ତିନାମା ଚୂଡାନ୍ତ କରିବାର ଶେଷ ତାରିଖ ହରାଇଥିଲେ।
ହେଲେ , ଭାରତ ସରକାରଙ୍କ କୂଟନୀତିକ ପ୍ରୟାସ ପରେ , ସାଉଦୀ ଅଧିକାରୀମାନେ ସିଏଚଜିଓ ପାଇଁ ବିସ୍ତାରିତ ସମୟ ଅବଧିରେ କାଗଜପତ୍ର ଅପଲୋଡ୍ କରିବା ପାଇଁ ପୋର୍ଟାଲକୁ ପୁଣି ଥରେ ଖୋଲିଛନ୍ତି। ଏହି ପ୍ରସଙ୍ଗରେ ସବୁ ଘରୋଇ ଅପରେଟରଙ୍କ ଠାରୁ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି ରିଜିଜୁ କହିଛନ୍ତି, ଆମେ ସବୁ ଘରୋଇ ସଞ୍ଚାଳକ (ସିଜିଏଚଓ)ଙ୍କ ଠାରୁ ନିଜର ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ଓ ଅନୁମୋଦିତ ବର୍ଦ୍ଧିତ ସମୟ ସୀମାରେ ସାଉଦୀ ନୁସୁକ ପୋର୍ଟାଲ ଉପରେ ସବୁ କାଗଜପତ୍ର ଅପଲୋଡ୍ କରିବାକୁ ଅନୁରୋଧ କରୁଛୁ।
ଏହି ଘଟଣାକ୍ରମ ଏକ ମିଡ଼ିଆ ରିପୋର୍ଟ ପରେ ହୋଇଛି , ଯେଉଁଥିରେ ସାଉଦୀ ଆରବ ଦ୍ୱାରା ଘରୋଇ ସଞ୍ଚାଳକଙ୍କ ପାଇଁ ମିନା ଜୋନ୍ ରଦ୍ଦ କରିବା ପରେ ୫୨,୦୦୦ ତୀର୍ଥଯାତ୍ରୀଙ୍କ ହଜ୍ ଯାତ୍ରା ଉପରେ ଅନିଶ୍ଚିତତା ଲାଗି ରହିଥିଲା। ଏହି ଖବର ପରେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ପିଡ଼ିପି ମୁଖ୍ୟ ମେହବୁବା ମୁଫତିଙ୍କ ସମେତ ଅନେକ ସଂଖ୍ୟା ଲଘୁ ନେତାମାନେ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ। ୨୦୨୫ ପାଇଁ ଭାରତର ମୋଟ ହଜ୍ କୋଟା ୧,୭୫,୦୨୫ ତୀର୍ଥଯାତ୍ରୀଙ୍କର , ଯେଉଁଥିରୁ ୭୦ ପ୍ରତିଶତ ଏଚସିଓଆଇ ଦ୍ୱାରା ଓ ୩୦ ପ୍ରତିଶତ ଘରୋଇ ସଞ୍ଚାଳକଙ୍କ ଦ୍ୱାରା ରେଗୁଲେଟ୍ କରାଯିବ।