ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ମୁର୍ଶିଦାବାଦ ହିଂସାରେ ପ୍ରଭାବିତ ପରିବାରକୁ ସାକ୍ଷାତ କରିଛନ୍ତି। ଶୁକ୍ରବାର ସେ ସେମାନଙ୍କୁ ଭେଟିବା ପାଇଁ ମାଲଦା ଜିଲ୍ଲାର ଏକ ସୁରକ୍ଷା ଶିବିରରେ ପହଞ୍ଚି ଥିଲେ। ରାଜ୍ୟପାଳଙ୍କ ମୁତାବିକ , ମହିଳାମାନେ କହିଛନ୍ତି , ତାଙ୍କୁ ଧମକା ଯାଇଥିଲା ଏବଂ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ତାଙ୍କ ଘରକୁ ପଶି ଆସିଥିଲେ। କେବଳ ଏତିକି ନୁହଁ , ତାଙ୍କୁ ମାରପିଟି ମଧ୍ୟ କରାଯାଇଛି ଏବଂ ଅପଶବ୍ଦର ମଧ୍ୟ ବ୍ୟବହାର ହୋଇଛି। ଆନନ୍ଦ ବୋଷ କହିଛନ୍ତି, ମୁଁ ଏହି କ୍ୟାମ୍ପରେ ରହୁଥିବା ପରିବାର ସହ ସାକ୍ଷାତ୍ କରି ତାଙ୍କର ସମସ୍ୟାକୁ ବିସ୍ତୃତ ଭାବେ ଶୁଣିଲି ଏବଂ ସେମାନଙ୍କର ଭାବନା ଓ ବିଚାରକୁ ବୁଝିବାକୁ ଚେଷ୍ଟା କଲି।ସେମାନେ କଣ ଚାହାନ୍ତି ମୋତେ କହିଲେ। ନିଶ୍ଚିତ ଭାବେ ଏହାକୁ ନେଇ ପଦକ୍ଷେପ ନିଆଯିବ।
ମୁର୍ଶିଦାବାଦ ଜିଲ୍ଲାର ଶମଶେରଗଞ୍ଜ , ସୁତି , ଧୁଲିଆନ ଓ ଜଙ୍ଗିପୁର ଅଞ୍ଚଳରେ ୱାକଫ ସଂଶୋଧନ ଆଇନ ବିରୋଧରେ ୧୧ ଓ ୧୨ ଅପ୍ରେଲରେ ହୋଇଥିବା ବିରୋଧ ପ୍ରଦର୍ଶନ ବେଳେ ସାଂପ୍ରଦାୟିକ ହିଂସା ଆରମ୍ଭ ହୋଇଥିଲା।ଏଥିରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା। ଜିଲ୍ଲାର ଅନେକ ନିବାସୀ ଆହୁରି ହିଂସା ଉପୁଜିବାର ଆଶଙ୍କାରେ ପଡୋଶୀ ମାଲଦା ଜିଲ୍ଲା ପଳାୟନ କରିଥିଲେ। ଦଙ୍ଗା କରିବା ଓ ଭଙ୍ଗାରୁଜା କରିବାରେ ସଂପୃକ୍ତିକୁ ନେଇ ଏବେସୁଦ୍ଧା ୨୭୪ ଲୋକଙ୍କୁ ଗିରଫ କରାଯାଇଛି। ହିଂସା ପ୍ରଭାବିତ ଅଞ୍ଚଳରେ ଅର୍ଦ୍ଧ ସୈନିକ ଓ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଏହି ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦ ଶନିବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଏହି ସମୟରେ ମୁର୍ଶିଦାବାଦ ଜିଲ୍ଲାରେ ସାଂପ୍ରଦାୟିକ ହିଂସାକୁ ନେଇ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରାଯିବ। ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ, ସାରା ଦେଶର ପ୍ରତି ଜିଲ୍ଲାର ମୁଖ୍ୟାଳୟରେ ସଙ୍ଗଠନର ସଦସ୍ୟ ଓ ସମର୍ଥକ ମୁର୍ଶିଦାବାଦରେ ହୋଇଥିବା ହିଂସାର ବିରୋଧରେ ଧାରଣା ଦେବେ।
ଆଲୋକ କୁମାର ଦାବି ପୂର୍ବକ କହିଛନ୍ତି , ସଂଶୋଧିକ ନାଗରିକ ଆଇନ୍ (ସିଏଏ) , ତିନ୍ ତଲାକ୍ ଓ ୱାକଫ ଆଇନ୍ ଭଳି ଅନେକ ପ୍ରସଙ୍ଗ ଉପରେ ହିଂସାତ୍ମକ ବିରୋଧ କେବଳ ପଶ୍ଚିମବଙ୍ଗରେ ହୋଇଛି, କୌଣସି ଅନ୍ୟ ରାଜ୍ୟରେ ନୁହେଁ । ଏହା ଗଭୀର ଚିନ୍ତାର ବିଷୟ ଯେ, ଏମିତି ହିଂସା କେବଳ ପଶ୍ଚିମବଙ୍ଗରେ ହିଁ ହୋଇଛି।