ନୂଆଦିଲ୍ଲୀ,୧୯/୦୪: ନିର୍ବାଚନ ପ୍ରଚାର ଲାଗି କଣ୍ଟେଣ୍ଟ ପ୍ରସ୍ତୁତ କରିବାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ର ଭୂମିକା କ୍ରମଶଃ ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ (ଇସି) ଏହାର ଦୁରୂପଯୋଗ ଉପରେ ରୋକ ଲଗାଇବା ତଥା ସକାରାତ୍ମକ ବ୍ୟବହାରକୁ ପ୍ରୋତ୍ସାହନ ଲାଗି ଗାଇଡ୍ଲାଇନ୍ସ (ମାର୍ଗଦର୍ଶିକା) ପ୍ରସ୍ତୁତ କରୁଛନ୍ତି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏଥିନେଇ ବ୍ୟାପକ ଗାଇଡ୍ଲାଇନ୍ ଜାରି ହୋଇପାରେ । ଆଗକୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ଏହାର ଉପଯୋଗ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ଡିଜିଟାଲ ଯୁଗରେ ନିର୍ବାଚନରେ ପାରଦର୍ଶିତା, ନିରପେକ୍ଷତା ଓ ମତଦାତାଙ୍କ ଅଧିକାରର ରକ୍ଷା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ମନେ କରାଯାଉଛି ।
ଇସିଙ୍କର ସୂତ୍ର ମୁତାବକ, ପ୍ରସ୍ତାବିତ ଗାଇଡ୍ଲାଇନରେ ରାଜନୈତିକ ଦଳ, ମିଡିଆ ସଂସ୍ଥା ଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ୍ଗୁଡିକ ପାଇଁ ଏଆଇ ଜେନେରେଟେଡ୍ କଣ୍ଟେଣ୍ଟ ନେଇ ସ୍ପଷ୍ଟ ଭାବେ ଖୁଲାସା କରିବା ଅନିବାର୍ଯ୍ୟ ହେବ । ବିଶେଷକରି ଡିପଫେକ୍ ଓ ଜାଲ୍ ଭିଡିଓ/ଅଡିଓ ନେଇ ପାରଦର୍ଶିତା ସୁନିଶ୍ଚିତ କରିବାକୁ କଡା଼ ପ୍ରାବଧାନ ସ୍ଥିର କରାଯିବ । ଭୋଟରମାନଙ୍କୁ ଭ୍ରମିତ କରିବା କିମ୍ବା ସେମାନଙ୍କ ପସନ୍ଦକୁ ପ୍ରଭାବିତ କରିବା ଲାଗି ଯେପରି ଏଆଇର ବ୍ୟବହାର ନ ହେବ ତାହା ସୁନିଶ୍ଚିତ କରିବା ଗାଇଡଲାଇନ୍ର ଉଦ୍ଦେଶ୍ୟ ।
ଆୟୋଗ ଅନୁସାରେ, ଏଆଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସହାୟକ ହୋଇପାରେ । କିନ୍ତୁ ଏହାର ଆଳରେ ଗୋପନୀୟତା ଓ ନିରପେକ୍ଷତା ସହ ବୁଝାମଣା କରାଯିବା ଅନୁଚିତ୍ । ଡିପଫେକ୍ ଜରିଆରେ ଅସଲି ଭଳି ଲାଗୁଥିବା ସିନ୍ଥେଟିକ୍ କଣ୍ଟେଣ୍ଟ ପ୍ରସ୍ତୁତ କରିହେବ । କିନ୍ତୁ ସେହି କଣ୍ଟେଣ୍ଟ ଡିପଫେକ୍ ବୋଲି ଦର୍ଶାଇବାକୁ ପଡି଼ବ । ବିରୋଧୀମାନଙ୍କୁ ପରିହାସ କରୁଥିବା ଭ୍ରାମକ ଭିଡିଓ ଉପରେ ବ୍ୟାନ୍ ଲାଗିପାରେ । ନିର୍ବାଚନୀ ରାଲିରେ ସାମିଲ ଲୋକଙ୍କର ହାବଭାବ ଓ ପ୍ରତିକ୍ରିୟାର ବିଶ୍ଳେଷଣ କରି ପ୍ରଚାର ରଣନୀତି ବନାଇବାକୁ ଅନୁମତି ମିଳିବ । କିନ୍ତୁ ବିରୋଧୀ ଦଳର ରାଲିରେ ଉପସ୍ଥିତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଟାର୍ଗେଟ୍ କରାଯିବା ଉପରେ ରୋକ ରହିବ । ନିର୍ବାଚନୀ ପ୍ରଚାରରେ ଡାଟା ଆନାଲିଟିକ୍ସ ଉପରେ ବି ନଜର ରଖାଯିବ ।