ନୂଆଦିଲ୍ଲୀ: ୫୦ କୋଟିର କୁକୁର କିଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଞ୍ଜାରେ ବେଙ୍ଗାଲୁରୁର ଯୁବକ ଏସ ସତିଶ। ନିକଟରେ ସେ ଏକ ୱଲ୍ଫଡଗ ପ୍ରଜାତିର କୁକୁର ସହ ଏକ ଫଟୋ ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଯାହା ଭାଇରାଲ ହୋଇଯାଇଥିଲା। ଏହି ଭାଇରାଲ ପୋଷ୍ଟ ଇଡି ନଜରରେ ପଡିବା ପରେ ଏହାର ଲିଙ୍କ ଖୋଜି ଖୋଜି ଇଡି ସତିଶଙ୍କ ନିକଟରେ ପହଞ୍ଚିଛି।
ଭାଇରାଲ ହୋଇଥିବା ପୋଷ୍ଟରେ ସତିଶ କହିଥିଲେ ଯେ ଏହା ଏକ ଦୁର୍ଲଭ ପ୍ରଜାତିର କୁକୁର। ଏହି ପ୍ରଜାତିର ନାମ ହେଉଛି କାଡାବମ ଓକାମି, ଯାହାର ଆନୁମାନିକ ମୁଲ୍ୟ ୫୦ କୋଟି ଟଙ୍କା ହେବ ବୋଲି କହିଥିଲେ। ଏହି ପୋଷ୍ଟଟି ଅନଲାଇନରେ ବ୍ୟପକ ଭାବେ ପ୍ରସାର ହେବା ସହ ୟୁଜର୍ସ ମାନଙ୍କ ମନରେ ଉତ୍ସୁକତା ସୃଷ୍ଟି କରିଥିଲା। ଅନେକ ୟୁଜର୍ସ ଏହି କୁକୁର ପ୍ରଜାତିକୁ ମୁଲ୍ୟବାନ ବିଦେଶୀ କୁକୁର ପ୍ରଜାତି ବୋଲି ମଧ୍ୟ କହିଥିଲେ।
ଏହାପରେ ଇଡି ନିକଟରେ କେହି ଜଣେ ଅଭିଯୋଗ ଦାଖଲ କରିଥିଲେ। କୁକୁରଟିକୁ କିଣିବା ପାଇଁ ହାୱାଲା କାରବାର ତଥା ଅବୈଧ ଅର୍ଥର ବ୍ୟବହାର କରାଯାଇଥାଇପାରେ ବୋଲି ଏହି ଅଭିଯୋଗରେ ଉଲ୍ଲେଖ ରହିଥିଲା। ଇଡି ଏହି ଅଭିଯୋଗକୁ ଭିତ୍ତି କରି ଯାଞ୍ଚ ପାଇଁ ସତୀଶଙ୍କୁ କୁକୁର ସହ ହାଜର ହବା ପାଇଁ ଆଦେଶ ଦେଇଥିଲେ। ତେବେ ସତୀଶ ଏହାର ଉତ୍ତରରେ କୁକୁରଟି ତାଙ୍କର ଜଣେ ବନ୍ଧୁଙ୍କ ନିକଟରେ ଅଛି ବୋଲି ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି।
ଏହାସହ ସତୀଶ ସମସ୍ତ ଆର୍ଥିକ ଅନିୟମିତତାର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କେବଳ ଏହି କୁକୁର ସହିତ ଫଟୋ କ୍ଲିକ୍ କରିଥିଲେ ବୋଲି କହିଛନ୍ତି। ୫୧ ବର୍ଷୀୟ ସତୀଶ ତାଙ୍କର ବିରଳ ପୋଷା ପ୍ରାଣୀ ପ୍ରଜନନ ବ୍ୟବସାୟ ପାଇଁ ବେଙ୍ଗାଲୁରୁରେ ଖୁବ ଜଣାଶୁଣା ଚେହେରା। ତାଙ୍କ ଭାଇରାଲ ହୋଇଥିବା ପୋଷ୍ଟରେ ଥିବା କୁକୁରଟି ଏକ ଜଙ୍ଗଲୀ ଗଧିଆ ଏବଂ କକେସିଆନ୍ ସେଫାର୍ଡ ପ୍ରଜାତିର ଏକ ବିରଳ ହାଇବ୍ରିଡ୍ ବୋଲି ଜଣାପଡିଛି। ସେ ଜଣେ ବ୍ରୋକରଙ୍କ ଯୋଗେ ଗତ ଫ୍ରେବୃୟାରି ମାସରେ ଏହି କୁକୁରଟିକୁ କ୍ରୟ କରିଥିଲେ ବୋଲି ଗଣମାଧ୍ୟମ ସଂସ୍ଥା ସନ ରିପୋର୍ଟ ପ୍ରକାଶ କରିଛି। ଓକାମି ପ୍ରଜାତିର କୁକୁର ସମଗ୍ର ବିଶ୍ୱର ଏକ ବିରଳ ପ୍ରଜାତିର କୁକୁର ଭାବେ ପରିଗଣିତ। ଏହି କୁକୁରଟିର ବୟସ ମାତ୍ର ୮ ମାସ ହୋଇଥିବା ବେଳେ ଏହାର ଓଜନ ୭୫ କିଲୋ ରହିଛି। ଏହି କୁକୁରର ଲାଞ୍ଜର ଲମ୍ବେଇ ୩୦ ଇଞ୍ଚ ରହିଛି ବୋଲି ଜଣାପଡିଛି।
ସନ ସହ ଏନେଇ ସାକ୍ଷାତକାର ଦେବା ଅବସରରେ ସତିଶ କହିଥିଲେ ଯେ “ଏହି କୁକୁରଟି ଏକ ଅତ୍ୟନ୍ତ ବିରଳ ପ୍ରଜାତିର କୁକୁର ଓ ଏହ ଦେଖିବାକୁ ଠିକ ଜଙ୍ଗଲି ଗଧିଆ ଭଳି। ବିଶ୍ୱରେ ପୂର୍ବରୁ ଏହି ପ୍ରଜାତିର କୁକୁରର ବିକ୍ରି ହୋଇନଥିଲା। ଏହି କୁକୁରକୁ ଆମେରିକାରେ ବ୍ରିଡିଂ କରାଯାଇଥିଲା। ମୁଁ ପାଖାପାଖି ୫୦ କୋଟି ଖର୍ଚ୍ଚ କରି ଏହି କୁକୁରକୁ ଭାରତକୁ ଆଣିଛି। କାରଣ ମତେ ଏଭଳି କୁକୁରଙ୍କୁ ରଖିବାକୁ ବହୁତ ଭଲ ଲାଗେ।”
ସେ ଆହୁରି ମଧ୍ୟ କହିଥିଲେ ଯେ “ମୁଁ ଏ କୁକୁର ଉପରେ ଖର୍ଚ୍ଚ କରିଲି କାରଣ ସତରେ ଏହା ବହୁତ ବିରଳ। ଆଗକୁ ମୁଁ ଏହି କୁକୁରରୁ ଭଲ ପଇସା କମେଇବି ମଧ୍ୟ। କାରଣ ଲୋକ ସବୁବେଳେ ଦୁର୍ଲଭ ପ୍ରଜାତି ପ୍ରତି ନିଜର ରୁଚି ଦେଖାଇଥାନ୍ତି। ସେମାନେ ସେଲ୍ଫି ଓ ଫଟୋ ନେବାକୁ ଚେଷ୍ଟା କରିଥାନ୍ତି। ମୁଁ ଓ ମୋ କୁକୁର କୌଣସି ଅଭିନେତାଙ୍କ ଠୁ କମ ନୁହେଁ। କାରଣ ଆମେ ଯୁଆଡେ ଯାଉ ଭିଡ ସିଆଡେ ଚାଲିଆସେ।”