ହିନ୍ଦୋଳ,୨୯।୮ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ସାତମାଇଲ ନିକଟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି କଡଲା ପଞ୍ଚାୟତ ପିଇଓ ଅନିରୁଦ୍ଧ ମହାଭୋଇ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ହିନ୍ଦୋଳ ବ୍ଲକ କଡଲା ପଞ୍ଚାୟତ ପିଇଓ ଅନିରୁଦ୍ଧ ମହାଭୋଇ ନିଜର ମୋଟରସାଇକେଲ ଯୋଗେ ଭତ୍ତା ଟଙ୍କା ଏବଂ ପୋଖରୀ ନିଲାମ ଟଙ୍କା ନେଇ ହିନ୍ଦୋଳ ବ୍ଲକ ଅଫିସକୁ ଯାଉଥିଲେ। ଏହି ସମୟରେ ୩ଜଣ ଏକ ମୋଟର ସାଇକେଲରେ ଆସି ପିଇଓଙ୍କ ମୋଟର ସାଇକେଲ ଅଟକାଇ ଗାଡି ଚାବି ଛଡାଇ ନେଇଥିଲେ। ଏଥି ସହିତ ଅନ୍ୟଜଣେ ଭୂଜାଲିରେ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡ଼ାଇ ନେଇ ପଳେଇଥିଲେ। ଖବର ପାଇ ହିନ୍ଦୋଳ ଥାନା ଅଧିକାରୀ ଚାରୁଲତା ବେହେରା ଏବଂ ହିନ୍ଦୋଳ ଏସଡିପିଓ ଦୀପକ ରଞନ ଜେନା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।