ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା : ଯୁବତୀଙ୍କ ଉପରେ ୩ ବର୍ଷ ହେଲା ଚାଲିଥିଲା ପାଶବିକ ଅତ୍ୟାଚାର, ମାମଲାକୁ ରେଡ୍ ଫ୍ଲାଗ ଘୋଷଣା

ଢେଙ୍କାନାଳ, ୧୨/୦୯ : ୧୫ ଦିନ କି ମାସେ ନୁହେଁ, ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ପାଶବିକ ଅତ୍ୟାଚାର ସହୁଥିଲେ ପୀଡ଼ିତା। ଅସହାୟ ଯୁବତୀଙ୍କୁ ଗଣବଳାତ୍କାର ମାମଲାରେ ସମ୍ପୃକ୍ତ ନାବାଳକ ଧରାପଡ଼ିବା ପରେ ଏହି ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି। ନାବାଳକ କୋଭିଡ୍‌ ସମୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ପୀଡ଼ିତାଙ୍କୁ ବଳାତ୍କାର କରିଥିଲେ । ସେବେଠାରୁ ସେ ଏହି କୁକାର୍ଯ୍ୟରେ ଲିପ୍ତ ରହିଥିଲେ। ନାବାଳକ ଏବେ ପଢ଼ା ଛାଡ଼ିଦେଇଥିବା ବେଳେ ତାଙ୍କ ସାଙ୍ଗମାନେ ନବମ ଶ୍ରେଣୀରେ ପଢ଼ୁଛନ୍ତି । ଏଣୁ ସେ ପ୍ରାୟ ୩ ବର୍ଷ ହେବ ଏଥିରେ ସମ୍ପୃକ୍ତ ରହିଥିବା ସ୍ପଷ୍ଟ ହେଉଛି । କେବଳ ନାବାଳକ ନୁହଁନ୍ତି, ଅନ୍ୟମାନେ ବି ସେବେଠାରୁ ପୀଡ଼ିତାଙ୍କୁ ବଳାତ୍କାର କରି ଆସୁଥିଲେ ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ଜଣାଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏ ନେଇ ମୁହଁ ଖୋଲୁନାହିଁ ।  

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରେ ୨୨ ବର୍ଷୀୟ ଅସହାୟ ଯୁବତୀଙ୍କୁ ଗଣବଳାତ୍କାର ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ପୀଡ଼ିତାଙ୍କ ଅସହାୟତାର ସୁଯୋଗ ନେଇ ମନଇଚ୍ଛା ଯିଏ, ଯେବେ ଚାହୁଁଥିଲା ବଳାତ୍କାର କରୁଥିଲା । ପୀଡ଼ିତା ଏନେଇ ଖୋଲାଖୋଲି ପ୍ରତିବାଦ କରିପାରୁନଥିଲେ ମଧ୍ୟ ଗ୍ରାମବାସୀଙ୍କୁ ଜଣାଇ ଆସୁଥିଲେ । ଏପରିକି କେତେକ ଯୁବକଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ । ମାତ୍ର ସମସ୍ତେ ତାଙ୍କୁ ପାଗେଳି ବୋଲି କହି କଥାକୁ ଏଡ଼ାଇ ଆସୁଥିଲେ। ପୀଡ଼ିତା ୭ ମାସର ଅନ୍ତଃସତ୍ତ୍ୱା ହେବା ପରେ ଘଟଣା ସାମ୍ନାକୁ ଆସିଛି । କୌଣସି ସୂତ୍ରରୁ ଖବର ପାଇ ସଖୀ କେନ୍ଦ୍ରର କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ପରେ ଥାନାରେ ଏତଲା ଦିଆଯାଇଥିଲା । ପୀଡ଼ିତାଙ୍କ ବୟାନ୍‌ ଅନୁସାରେ ପୁଲିସ ୪ ଦିନ ହେଲା ୮ ଜଣ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା । ପ୍ରଥମେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇସାରିଥବା ଜାଣିବାକୁ ପାଇଥିଲା । ଅନ୍ୟମାନେ ଫେରାର ହୋଇଯାଇଥିଲେ । 

ଗତ ସୋମବାର ରାତିରେ ଅଭିଯୁକ୍ତ ନାବାଳକକୁ ପୁଲିସ କାବୁ କରିଥିଲା । ନାବାଳକର ବୟସ ୧୬ ବର୍ଷ ବୋଲି ଜାଣି ପୁଲିସ ତାଜୁବ୍‌ ହୋଇଯାଇଥିଲା । ଅଧିକ ପଚରାଉଚୁରା କରିବାରୁ ସେ ସପ୍ତମ ଶ୍ରେଣୀରେ ପଢ଼ିବାବେଳେ କୋଭିଡ୍‌ ସମୟରୁ ଏପରି କାର୍ଯ୍ୟରେ ଲିପ୍ତ ଥିବା ସ୍ୱୀକାର କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଯାହା ପୁଲିସ୍‌କୁ ଆହୁରି ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତ ନାବାଳକ କୁସଙ୍ଗରେ ପଡ଼ି ନିଶାସକ୍ତ ହୋଇ ଏପରି କାର୍ଯ୍ୟ କରୁଥିଲା । ଆଜି ସଦର ଥାନା ପୁଲିସ ଓ ଭାପୁର ଫାଣ୍ଡି ଅଧିକାରୀ ନାବାଳକ ପଢ଼ୁଥିବା ସ୍କୁଲରେ ପହଞ୍ଚି ନାବାଳକର ବୟସ ସମ୍ପର୍କିତ ପ୍ରମାଣପତ୍ର ସଂଗ୍ରହ କରିଛନ୍ତି । ଶିକ୍ଷକମାନଙ୍କୁ ମଧ୍ୟ ନାବାଳକ ସମ୍ପର୍କରେ ପଚରାଉଚୁରା କରାଯାଇଛି । ମାମଲାରେ ଆହୁରି ଅନେକ ସମ୍ପୃକ୍ତ ରହିଥିବା ବେଳେ ଆଗକୁ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଜଣାଯାଇଛି । ପୁଲିସ ଏହି ମାମଲାରେ ଜଣେ ନାବାଳକ ସମେତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଅଭିଯୁକ୍ତ ଫେରାର୍‌ ଅଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଛି ।

ଆଉ ଜଣେ ଯୁବକକୁ ପଚରାଉଚରା 

ଅଭିଯୋଗ ଅନୁସାରେ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଛାନଭିନ୍‌ ଚଳାଇଛି । ବୁଧବାର ଗାଁର ଆଉ ଜଣେ ଯୁବକକୁ ପୁଲିସ ଥାନାକୁ ଉଠାଇ ନେଇଥିଲା । ପଚରାଉଚରା କରିବା ପରେ ପୁଣି ଛାଡ଼ି ଦେଇଥିବା ଜଣାଯାଇଛି । ଯୁବକ ଜଣକ ଅଭିଯୁକ୍ତଙ୍କ ସାଙ୍ଗ ହୋଇଥିବାରୁ ମାମଲାରେ ତାଙ୍କର ସମ୍ପୃକ୍ତି ରହିଛି କି ନାହିଁ ପୁଲିସ ଯାଞ୍ଚ କରିଥିଲା । ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରା ତୁରନ୍ତ ସମସ୍ତ ଦୋଷୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିବାରୁ ପୁଲିସ ଚାପରେ ରହିଛି । ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ସଦର ଥାନା ଅଧିକାରୀ ଓ ଭାପୁର ଫାଣ୍ଡି ଅଧିକାରୀଙ୍କ ସମେତ ପୁଲିସ ଟିମ୍‌ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ବେଳେ ଟିକ୍‌ନିଖ୍‌ ତଥ୍ୟ ପ୍ରମାଣ ସଂଗ୍ରହରେ ଲାଗିଛନ୍ତି ।

ବିଭାଗକୁ ରିପୋର୍ଟ ଦେଲେ ଡିଏସ୍‌ଡବ୍ଲୁଓ 

ଘଟଣା ସମ୍ପର୍କରେ ରାଜ୍ୟ ସମାଜ ମଙ୍ଗଳ ବିଭାଗକୁ ତଦନ୍ତ କରି ରିପୋର୍ଟ ଦେଇଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ । ଘଟଣା ଜଣାପଡ଼ିବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିତା ଶର୍ମା ସୋମବାର ପୀଡ଼ିତାଙ୍କ ଗାଁକୁ ଯାଇ ତଦନ୍ତ କରିଥିଲେ । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କେଉଁ ପରିସ୍ଥିତିରେ ପୀଡ଼ିତା ରହୁଥିଲେ ଦେଖିବା ସହ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ସମସ୍ତେ ଘଟଣା ସମ୍ପର୍କରେ ଜାଣିଥିଲେ ବି ମୁହଁ ଖୋଲିନଥିବା ବେଳେ ପୁଲିସ ଓ ପ୍ରଶାସନକୁ ଜଣାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସେହି ଅନୁସାରେ, ଘଟଣାର ରିପୋର୍ଟ ବିଭାଗକୁ ଦିଆଯାଇଛି ବୋଲି ଶ୍ରୀମତୀ ଶର୍ମା କହିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ପ୍ରଶାସନକୁ ଜଣାଇବା ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ ହୋଇଥିବା ବେଳେ ସେମାନେ ମଧ୍ୟ ଜଣାଇନଥିଲେ । ଏଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଚାଲିଥିବା ଶ୍ରୀମତୀ ଶର୍ମା କହିଛନ୍ତି ।

ମାମଲାକୁ ରେଡ୍‌ ଫ୍ଲାଗ୍‌ ଘୋଷଣା 

ଅସହାୟ ଯୁବତୀଙ୍କୁ ଗଣବଳାତ୍କାର ମାମଲାକୁ ପୁଲିସ ଆଜି ରେଡ୍‌ ଫ୍ଲାଗ୍‌ କାଟାଗୋରୀ ଭାବେ ଘୋଷଣା କରିଛି । ଏହାଦ୍ୱାରା ମାମଲକୁ ଅତି ଗୁରୁତର ସହ ନେଇ ତଦନ୍ତ ଓ ଚାର୍ଜସିଟ୍‌ ଦାଖଲ କରାଯିବ । ପୀଡ଼ିତାଙ୍କ ପ୍ରତି ଅତି ଅମାନୁଷିକ ଭାବେ ମାସାଧିକକାଳ ଗଣବଳାତ୍କାର ଚାଲିବା, ସେ ଅନ୍ତଃସତ୍ତ୍ୱା ହେବା ଓ ସମସ୍ତେ ଘଟଣାକୁ ଜାଣି ଅଦ୍ଭୂତପୂର୍ବ ନିରବ ରହିବା ମାମଲାକୁ ସମ୍ବେଦନଶୀଳ କରିଛି । ଯାହା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏଣୁ ପୁଲିସ ଏହାକୁ ରେଡ୍‌ ଫ୍ଲାଗ୍‌ କାଟାଗୋରୀଭାବେ ଘୋଷଣା କରିଛି ।  ସୂଚନାଯୋଗ୍ୟ, ମହିଳା ଓ ଶିଶୁ ସମ୍ପର୍କିତ ସମ୍ବେଦନଶୀଳ ଓ ବର୍ବରୋଚିତ ମାମଲା ଗୁଡ଼ିକୁ ରେଡ୍‌ ଫ୍ଲାଗ୍‌ ଘୋଷଣା କରାଯାଇଥାଏ । ଜଣେ ଆଇପିଏସ୍‌ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ତଦନ୍ତ ହୋଇଥାଏ ।

ପୀଡ଼ିତା ପରିବାର ପ୍ରତି ଅବହେଳା କରିଛି ପ୍ରଶାସନ, ପ୍ରତିଶ୍ରୁତି ଦେଇ ଘର ଦେଲେନି 

ପରିତ୍ୟକ୍ତ ଘର ସିଡ଼ି ତଳେ ଦୟନୀୟ ଅବସ୍ଥାରେ ପୀଡ଼ିତା ଓ ତାଙ୍କ ବାପା ଦୀଘବର୍ଷ ରହି ଆସୁଥିଲେ । ଅର୍ଥାଭାବରୁ ମରାମତି କରିନପାରି ଚାଳ ଛପର ଘର ଭାଙ୍ଗି ଯିବା ପରେ ବାପ-ଝିଅ ବେଘର ହୋଇପଡ଼ିଥିଲେ । ମହିଳା ସମିତି ଗୃହ ୨ ବଖରା ତାଲା ପଡ଼ି ରହିଥିଲେ ବି ତାଙ୍କୁ ବ୍ୟବହାର କରିବାକୁ ଦିଆଯାଇନଥିଲା । ଯାହାଫଳରେ ଉଭୟ ସିଡ଼ି ତଳେ ଦୟନୀୟ ଅବସ୍ଥାରେ ରହୁଥିଲେ । ପ୍ରଶାସନ ବି ପୀଡ଼ିତା ପରିବାର ପ୍ରତି ଅବହେଳା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦେଢ଼ ବର୍ଷ ପୂର୍ବରୁ ଗାଁରେ କୁକୁଡ଼ା ଫାର୍ମକୁ ନେଇ ବିବାଦ ଦେଖାଯାଇଥିବା ବେଳେ ତତ୍କାଳୀନ ଜିଲ୍ଲାପାଳ ଗାଁକୁ ଯାଇଥିଲେ । କେତେକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ବାପ-ଝିଅଙ୍କ ଅସହାୟତା କଥା ଜଣାଇଥିଲେ । ଜିଲ୍ଲାପାଳଙ୍କୁ ଡାକି କିଭଳି ଦୟନୀୟ ଭାବେ ରହୁଛନ୍ତି ଦେଖାଇଥିଲେ । ତତ୍କାଳୀନ ଜିଲ୍ଲାପାଳ ତାହା ଦେଖିବା ସହ ଦୁଃଖପ୍ରକାଶ କରିଥିଲେ । ଭଲମନ୍ଦ ପଚାରି ବୁଝିବା ସହ ଖୁବ୍‌ ଶୀଘ୍ର ପକ୍କା ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବାପା, ଝିଅ ଘର ପାଇଁ ପୂର୍ବରୁ ଗୁହାରି କରି ଆସୁଥିବା ବେଳେ ଜିଲ୍ଲାପାଳଙ୍କ ମୁହଁରୁ ଏଭଳି କଥା ଶୁଣି ଆଶ୍ୱସ୍ତ ହୋଇଥିଲେ । ହେଲେ ଇତି ମଧ୍ୟରେ ଦେଢ଼ ବର୍ଷ ବିତି ସାରିଥିବାବେଳେ ଜିଲ୍ଲାପାଳ ବଦଳି ଗଲେଣି । ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ୍‌ କରାଯାଇନି କି ପକ୍କାଘର ଯୋଗାଇ ଦିଆଯାଇନି । ଯୋଗ୍ୟ ହିତାଧିକାରୀ ଯୋଜନାରୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ପ୍ରଶାସନ ଅସହାୟ ବାପ- ଝିଅଙ୍କ ପ୍ରତି ଆଖି ବୁଜି ଦେଇଥିଲା ବୋଲି ଅଭିଯୋଗ ହେଉଛି ।

ତଦନ୍ତ ଭାର ନେଲେ ମହିଳା ଡିଏସ୍‌ପି 

ମାମଲା ଅତି ସମ୍ବେଦନଶୀଳ ହୋଇଥିବାରୁ ଏହାର ଡିଏସ୍‌ପିସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଥିଲା । ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପିସିଆର୍‌ ସେଲର ଡିଏସ୍‌ପି ସନ୍ଧ୍ୟାରାଣୀ ବେଉରା ଏହି ମାମଲାରେ ତଦନ୍ତ ଭାର ନେଇଛନ୍ତି । ଏହା ପୂର୍ବରୁ ସଦର ଥାନାର ଜଣେ ଇନିସ୍‌ପେକ୍ଟର ଏହାର ଆଇଓ ଥିଲେ । ଡିଏସ୍‌ପି ବେଉରା ଆଜିଠାରୁ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ମହିଳା ସମ୍ପର୍କିତ ମମଲା ହୋଇଥିବାରୁ ମହିଳା ଡିଏସ୍‌ପିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.