ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣାରେ ମରିଗଲା ମାନବିକତା : ସବୁ ଜାଣିବି ଚୁପ୍ ଥିଲେ ଆଶା, ଅଙ୍ଗନବାଡ଼ି କର୍ମୀ ଏବଂ ଜନପ୍ରତିନିଧି, କିପରି ଟେର୍ ପାଇଲାନି ପୋଲିସ ?

ଢେଙ୍କାନାଳ, ୧୦/୦୯ : ପ୍ରତିଦିନ ଏକାଧିକ ଯୁବକଙ୍କ ଦ୍ୱାରା ଗଣବଳାତ୍କାର ଶିକାର ହୋଇଥିଲେ ଅସହାୟ ଯୁବତୀ । ଗ୍ରାମବାସୀଙ୍କ ଆଗରେ ଅଭିଯୋଗ କରୁଥିବା ବେଳେ ମାନସିକ ବିକୃତ ବୋଲି କହି ସମସ୍ତେ ତାଙ୍କ କଥାକୁ ଏଡ଼ାଇ ଦେଉଥିଲେ । ପୀଡ଼ିତା ୭ ମାସର ଅନ୍ତଃସତ୍ତ୍ୱା ହୋଇ ଅତ୍ୟାଚାର ସହି ଆସୁଥିଲେ ମଧ୍ୟ ଏହି ନାରକୀୟ କାର୍ଯ୍ୟକୁ ପ୍ରତିବାଦ କରିବା ଦୂର କଥା ଅସହାୟ ଯୁବତୀଙ୍କୁ ସହାଯ୍ୟ କରିବାକୁ କେହି ଆଗେଇ ଆସିନଥିଲେ । ମାନବିକତାକୁ ଜଳାଞ୍ଜଳି ଦେଇ ନିଜ ନିଜ ରାସ୍ତାରେ ସମସ୍ତେ ଚାଲିଥିଲେ । ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଶା, ଅଙ୍ଗନୱାଡି କର୍ମୀ, ଜନପ୍ରତିନିଧି ବି ନିରବ ବସିଥିଲେ । ପୀଡ଼ିତା ରହୁଥିବା ଘର ଗାଁର ମଝିସ୍ଥାନରେ ଓ ବିଦ୍ୟାଳୟ ସମ୍ମୁଖରେ ଥାଇ ବି କେହି ପୁଲିସ ପ୍ରଶାସନକୁ ଖବର ଦେଲେନି । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ତଦନ୍ତ ସମୟରେ ଗ୍ରାମବାସୀ ସମସ୍ତ ଘଟଣା ସମ୍ପର୍କରେ ଜାଣି ବି ଚୁପ୍‌ ରହିଥିବା ଜଣାଯାଇଛି । ଯାହା ପ୍ରଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ମଣିଷର ମାନବିକତା ଓ ସାମାଜିକ ଦାୟିତ୍ୱବୋଧ ମରିଯାଇଥିବା ଦର୍ଶାଉଛି । 

ଆଶା, ଅଙ୍ଗନବାଡ଼ି କର୍ମୀ ଗାଁରେ ପ୍ରତି ଘରର ସ୍ୱାସ୍ଥ୍ୟ, ଭଲମନ୍ଦ ବୁଝି ଥାନ୍ତି । ଶିଶୁ, କିଶୋରୀ, ଗର୍ଭବତୀ, ପ୍ରସୂତିଙ୍କୁ ସ୍ୱ ।ସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସେମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷାଠାରୁ ଆରମ୍ଭ କରି ଅଣ୍ଡା, ଛତୁଆ ଆଦି ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ଦାୟିତ୍ୱ ଦିଆଯାଇଛି । ଏସବୁ ସତ୍ତେ୍ୱ ୭ମାସର ଅନ୍ତଃସତ୍ତ୍ୱା ହେବା ପରେ ଆଶା, ଅଙ୍ଗନବାଡ଼ି କେଉଁ ଉଦ୍ଦେଶ୍ୟରେ ପୀଡ଼ିତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରି ଆସୁଥିଲେ ବୋଲି ପ୍ରଶ୍ନ ଉଠିଛି । ଆହୁରି ସମ୍ବେଦନଶୀଳ କଥା ହେଲା, ପୀଡ଼ିତା ରହୁଥିବା ମହିଳା ସମିତି ଘର ପଛ ପାଶ୍ୱର୍ରେ ରହିଛି ଅଙ୍ଗନବାଡ଼ି କେନ୍ଦ୍ର । ଏତେ ସବୁ ଘଟଣା ଘଟିବା ପରେ ସମ୍ପୃକ୍ତ କର୍ମୀ କିଭଳି ଜାଣି ପାରିଲେ ନାହିଁ? ନା ଜାଣିଶୁଣି ଘଟଣାକୁ ଚାପି ଦିଆଯାଇଥିଲା । ଦୁଇ ମାସ ତଳେ ସ୍ୱାସ୍ଥ୍ୟ ସର୍ବେକ୍ଷଣ ହୋଇଥିଲା । ଫାଇଲେରିଆ ନିରାକରଣ ପାଇଁ ଘରକୁ ଘର ବୁଲି ଆଶା, ଅଙ୍ଗନବାଡ଼ି କର୍ମୀ ଔଷଧ ଖୁଆଇଥିବା ସ୍ୱାସ୍ଥ୍ୟ ବିଭାଗ କହିଥିଲା । ମାତ୍ର ବାପା, ଝିଅଙ୍କ ପାଖରେ ଏସବୁ ସେବା ପହଞ୍ଚି ପାରିନି । ସ୍ୱାସ୍ଥ୍ୟ ସର୍ବେକ୍ଷଣ କେଉଁ କାମକୁ ବୋଲି ପ୍ରଶ୍ନ ଉଠିଛି । କେବଳ ସେତିକି ନୁହେଁ, ଗାଁରେ ୱାର୍ଡସଭ୍ୟଙ୍କ ଠାରୁ ଆରମ୍ଭ କରି ସମିତିସଭ୍ୟ ଓ ସରପଞ୍ଚ ରହିଛନ୍ତି । ପ୍ରଶାସନକୁ କିଭଳି ଜଣାଇଲେ ନାହିଁ? ଏହିଭଳି ନାନା ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି । 

ଉକ୍ତ ଘର ସମ୍ମୁଖରେ ବିଦ୍ୟାଳୟ ରହିଛି । ଶିକ୍ଷକମାନେ ଅସହାୟ ବାପ-ଝିଅଙ୍କୁ ମଧ୍ୟାହ୍ନ ଭୋଜନରୁ କିଛି ଖାଇବାକୁ ଦେଉଥିଲେ ବି ଏପରି ଘଟଣା ସମ୍ପର୍କରେ ଚୁପ୍‌ ରହିଥିଲେ ବୋଲି ଜଣାଯାଇଛି । ଘଟଣା ଜଣାପଡ଼ିବା ପରେ ଆଜି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ମିତା ଶର୍ମା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ପୀଡ଼ିତା ରହୁଥିଲେ ଦେଖିବା ସହ ଆଖପାଖ ଲୋକଙ୍କୁ ପଚରାଉଚୁରା କରିଥିଲେ । ଆଶା ଓ ଅଙ୍ଗନବାଡ଼ି କର୍ମୀ ଏ ସମ୍ପର୍କରେ କିଛି ଜାଣିନଥିବା କହିଥିଲେ ବୋଲି ଡିଏସ୍‌ଡବ୍ଲୁଓ କହିଛନ୍ତି । ଏନେଇ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି ଶ୍ରୀମତୀ ଶର୍ମା ପ୍ରକାଶ କରିଛନ୍ତି । ସୂଚନାଥାଉକି, ସୋମବାର ମାମଲାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗାଁଠୁ ଏକ କିମି ଦୂରରେ ଫାଣ୍ଡି, ଖବର ପାଇଲାନି ପୁଲିସ୍‌
ପୀଡ଼ିତାଙ୍କ ଗାଁରୁ ଭାପୁର ଫାଣ୍ଡି ପ୍ରାୟ ୧ କିଲୋମିଟର ଦୂର ହେବ । ଜଣେ ଯୁବତୀ ନିତି ଗଣବଳାତ୍କାରର ଶିକାର ହେଉଥିଳେ । ସେ ଗ୍ରାମବାସୀଙ୍କୁ ଜଣାଉଥିଲେ ମଧ୍ୟ ପୁଲିସ ପାଖରେ କେମିତି ଖବର ପହଞ୍ଚି ପାରିଲାନି ବୋଲି ପ୍ରଶ୍ନ ଉଠିଛି । ଗାଁରେ ଗାଁ ଗ୍ରାମରକ୍ଷୀ ରହିଥିବା ବେଳେ ପୁଲିସକୁ ସେ କିଭଳି ଜଣାଇଲେ ନାହିଁ । ପୁଲିସର ଗୁଇଁନ୍ଦା ନେଟୱାର୍କ ବି କାମ କରୁନଥିବା ଦର୍ଶାଉଛି । ଭାପୁର ଫାଣ୍ଡି ଅଞ୍ଚଳ ନିଶା ବେପାରୀ, ଗୋରୁ ବେପାରୀଙ୍କ କାରକାର ପେଣ୍ଠସ୍ଥଳ ତଥା ଟ୍ରାଞ୍ଜିଟ୍‌ ରୁଟ୍‌ ହୋଇଥିବା ବେଳେ ପୁଲିସ କିଭଳି ଖବର ପାଉଥିବ ତାହା ଏହି ଘଟଣାରୁ ଅନୁମାନ କରାଯାଇପାରେ । ଅଭିଯୋଗକୁ ୨ ଦିନ ବିତିଥିଲେ ବି ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିନପାରିବା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି କାରଣରୁ ମାନବଧିକାର କମିଶନରେ ପୁଲିସ ବିରୋଧରେ ଅଭିଯୋଗ ହୋଇଛି ।

ଶିଡ଼ି ତଳେ ୧୬ ବର୍ଷ

ପରିତ୍ୟକ୍ତ ଘରର ଶିଡ଼ି ତଳେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ ପୀଡ଼ିତା ଓ ତାଙ୍କ ବାପା । ମାସେ କି ବର୍ଷେ ନୁହେଁ, ୧୬ ବର୍ଷରୁ ଅଧିକ ସମୟ ହେଲା ଶିଡ଼ି ତଳେ ରହି ଆସୁଛନ୍ତି । ପୀଡ଼ିତାଙ୍କ ବାପା ଘରଜ୍ୱାଇଁ ଭାବେ ଶ୍ୱଶୁର ଘରେ ରହୁଥିବା ବେଳେ ମା’ଙ୍କ ମୃତ୍ୟୁକୁ ପ୍ରାୟ ୧୮ ବର୍ଷ ବିତିଲାଣି । ଘର ଭାଙ୍ଗିଯିବା ପରେ ପ୍ରାୟ ୧୬ ବର୍ଷ ହେଲା ଆସି ଗାଁ ମଝିରେ ଥିବା ମହିଳା ସମିତି ଗୃହଠାରେ ରହୁଛନ୍ତି । ସେଠାରେ ୨ଟି କୋଠରୀରେ ତାଲା ପଡ଼ିଛି । ଉଭୟ ଶିଡ଼ି ତଳେ ରହୁଥିଲେ । ଶିଡ଼ିଘରର ଏକ ଲୁହା ଗ୍ରୀଲ୍‌ ରହିଛି । ଯାହା ସଠିକ୍‌ ଭାବେ ବନ୍ଦ ହେଉନାହିଁ । ଯାହାର ସୁଯୋଗ ନେଇ ଅଭିଯୁକ୍ତମାନେ ତାଙ୍କୁ ଛାତ ଉପରକୁ ନେଇ ଗଣବଳାତ୍କାର କରୁଥିଲେ ।

ଝାନ୍‌ସୀ ଚାଲାଣ ପାଇଁ ହୋଇଥିଲା ଉଦ୍ୟମ

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ୭ ଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି । ମାତ୍ର ଏହିମାନେ ହିଁ କେବଳ ଅଭିଯୁକ୍ତ ନା ଅନ୍ୟ ଅଭିଯୁକ୍ତ ବି ଏ ଘଟଣାରେ ସଂପୃକ୍ତ ଅଛନ୍ତି ତାହାକୁ ନେଇ ଗାଁରେ ଚର୍ଚ୍ଚା ଜୋର୍‌ ଧରିଛି । ଅନେକ ଅଭିଯୁକ୍ତ ପୁଲିସ ତାଲିକାରେ ନାହାନ୍ତି । ୬ ମାସ ତଳେ ପୀଡ଼ିତାଙ୍କୁ ଝାନ୍‌ସୀ ଅଞ୍ଚଳର କିଛି ଯୁବକଙ୍କ ହାତରେ ଟେକି ଦେବାକୁ ଉଦ୍ୟମ ହୋଇଥିବା ବୋଲି କିଛି ଗ୍ରାମବାସୀ କହିଛନ୍ତି । ସୂଚନା ଅନୁସାରେ, ଉକ୍ତ ଗାଁ’ର କିଛି ଯୁବତୀ ଝାନ୍‌ସୀ ଅଞ୍ଚଳରେ ବିବାହ କରିଛନ୍ତି । ଗାଁ’ରେ ମାର୍ଚ୍ଚ ମାସରେ ତିନି ଦୋଳ ଯାତ୍ରା ହୋଇଥାଏ । ଏଥର ଝାନ୍‌ସୀର କିଛି ଯୁବକ ଗାଁକୁ ଆସିଥିଲେ । ପୀଡ଼ିତାଙ୍କୁ ସେମାନଙ୍କ ହାତରେ ବିକ୍ରି କରିଦେବାକୁ ଉଦ୍ୟମ ହୋଇଥିଲା । ସମ୍ପୃକ୍ତ ଯୁବକମାନେ ପୀଡ଼ିତାଙ୍କୁ ଅସ୍‌ଦବ୍ୟବହାର କରିଥିଲେ ବୋଲି ଚର୍ଚ୍ଚା ହେଉଛି । ପୁଲିସ ଏହି ଦିଗରେ ତଦନ୍ତ କଲେ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

ପୀଡ଼ିତାଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବ

ଅସହାୟ ପରିବାର । ବାପା କିଛିକାଂଶରେ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ପୁଅ ଓ ପୀଡ଼ିତା ମଧ୍ୟ ମାନସିକ ରୋଗୀ ବୋଲି ଗ୍ରାମବାସୀ କହୁଛନ୍ତି । ଯାହାର ସୁଯୋଗ ନେଇ ଅଭିଯୁକ୍ତମାନେ ଏଭଳି ପାଶବିକ ଅତ୍ୟାଚାର କରିଛନ୍ତି । ପୀଡ଼ିତା ଗ୍ରାମବାସୀଙ୍କୁ ଏ ନେଇ ଅଭିଯୋଗ କରୁଥିବା ବେଳେ ପାଗେଳୀ କହି ସମସ୍ତେ ଘଟଣାକୁ ଏଡ଼ାଇ ଦେଇଥିଲେ । ମାତ୍ର ଉଦ୍ଧାର ହୋଇ ଆସିବା ପରେ ଯୁବତୀ ତାଙ୍କ ସହ ଘଟିଥିବା ସମସ୍ତ କଥା ଗୋଟିଗୋଟି କରି କହୁଛନ୍ତି । ଏଣୁ ଯୁବତୀ କେତେ ପ୍ରତିଶତ ମାନସିକ ରୋଗୀ ତାହା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏଥିଲାଗି ପୀଡ଼ିତାଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ ବୋଲି ଜଣାଯାଇଛି । ଖୁବଶୀଘ୍ର ପୁଲିସ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଏହି ଯାଞ୍ଚ କରାଇବ ବୋଲି ସୂଚନା ମିଳିଛି ।

ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସ୍ୱାଗତ କଲେ ମହେଶ

ଏହି ଲଜ୍ଜାଜନକ ଘଟଣାକୁ ରାଜନୈତିକ, ସାମାଜିକ ସଂଗଠନଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ନିନ୍ଦା କରାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍‌ବେଗ ପ୍ରକାଶ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଢେଙ୍କାନାଳ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଢେଙ୍କାନାଳର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ମହେଶ ସାହୁ ସ୍ୱାଗତ କରିବା ସହ ସଖୀ କେନ୍ଦ୍ରର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଭାପୁରରେ ଘଟିଥିବା ଘଟଣାରେ ମାନବିକତାର ଅଭାବ ଦେଖିବାକୁ ମିଳିଛି । ଏହା ଏକ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା । ଅସହାୟ ପରିବାରକୁ ଏଭଳି କ୍ଷେତ୍ରରେ ସାହାଯ୍ୟ କରିବା ପରିବର୍ତ୍ତେ ପରିସ୍ଥିତିର ଫାଇଦା ନେବା ଅତି ନିନ୍ଦନୀୟ ବୋଲି ଶ୍ରୀ ସାହୁ କହିଛନ୍ତି । ପ୍ରଶାସନ ଏ ବାବଦରେ ଯତ୍ନବାନ ହେବା ସହ ଦୋଷୀକୁ ଏଭଳି ଦଣ୍ଡର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.