ଢେଙ୍କାନାଳ,୩।୯ : ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟ ଛକରେ ଏକ ସ୍କୁଟିକୁ ଟ୍ରକ ଧକ୍କା ଦେବାରୁ ଜଣେ ମହିଳା ଗୁରୁତର ହୋଇଛି। ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମହିଳାଙ୍କ ଅବସ୍ଥା ଅତି ଜଟିକ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମହିଳା ଜଣଙ୍କ ସହରର ବାଜିଚୌକ ଅଂଚଳର ସ୍ବାଗତିକା ମହାନ୍ତି । ସେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ ।
ବାଜିଚୌକ ଅଂଚଳର ସ୍ବାଗତିକା ମହାନ୍ତି ସ୍କୁଟି ଯୋଗେ ମହିଷାପାଟ ଅଂଚଳକୁ ଯାଇ ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ତାଙ୍କ ସ୍କୁଟିକୁ ଟ୍ରକ ଧକ୍କା ଦେଇଥିଲା । ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଥିଲା। ମହିଷାପାଟ ଛକରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ରାସ୍ତାର ଉଭୟ ପାଶ୍ବରେ ଶହ ଶହ ସଂଖ୍ୟାର ଗାଡି ଛିଡା ହୋଇ ରହିଥିଲା। ଦୁର୍ଘଟଣା ସ୍ଥଳରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସହିତ ଗୁରୁତର ମହିଳାଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦାବି କରିଥିଲେ । ଘଟଣାସ୍ଥଳକୁ ଟାଉନ ପୋଲିସ ପହଁଚି ଦୁର୍ଘଟଣା ଘଟିଥିବା ଟ୍ରକକୁ ଜବତ କରିଥିବାବେଳେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝାସୁଝା କରିବା ପରେ ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧରୁ ହଟିଥିଲେ।