ଭୁବନେଶ୍ଵର, ୩୦/୦୫ : ପୁଳା ପୁଳା ଟଙ୍କା, ଗଦା ଗଦା ପାଟ ଶାଢୀ। ଆଖି ଖୋସି ହୋଇଗଲା ଭଳି ସୁନା ଗହଣା। ପ୍ଲଟ୍ କଥା କହି ହେବନି। ଯୁଆଡ଼େ ଦେଖିଲେ ଖାଲି ବଣ୍ଡଲ୍ ବଣ୍ଡଲ୍ ୫ଶହ ଟଙ୍କିଆ ନୋଟ୍। ସକାଳୁ ସକାଳୁ ଟଙ୍କାର ପାହାଡ଼ ଦେଖି ଭିଜିଲାନ୍ସ ବି ତାଜୁବ। ରାଜ୍ୟରେ ରାସ୍ତା ଖରାପ ହେଇଯାଉ କି ପ୍ଲାନିଂ ଠିକ୍ ଭାବେ ନହେଉ... କିନ୍ତୁ ରିଟାୟାରମେଣ୍ଟ ପ୍ଲାନିଂ ଠିକ୍ କରିଥିଲେ ବାବୁ। ଚାକିରି ସରିବା ଆଗରୁ ସାତ ପୁରୁଷ ପାଇଁ ଖଞ୍ଜି ଦେଇଛନ୍ତି ସବୁ କିଛି। ବିଳାସପୂର୍ଣ୍ଣ ଜୀବନ ପାଇଁ ସଞ୍ଚିଥିଲେ ସମ୍ପତ୍ତି। ହେଲେ ଭଣ୍ଡୁର କରିଦେଲା ଭିଜିଲାନ୍ସ। ଦୁଇ ଦିନ ପରେ ଅବସର ନେଇଥାନ୍ତେ... ଫେୟାରୱେଲ୍ ଦେଲା ଭିଜିଲାନ୍ସ।
ଭିଜିଲାନ୍ସ ପଞ୍ଝାରେ RW ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀ। ଇଏ ହେଉଛନ୍ତି ଆଉ ଜଣେ ସରକାରୀ ବାବୁ। ଟଙ୍କାରେ ତିଆରି କରିଛନ୍ତି ବୈକୁଣ୍ଠପୁରୀ। ଘର ନୁହେଁତ ଇଏ ତାଙ୍କର ମିନି ରିଜର୍ଭ ବ୍ୟାଙ୍କ୍। ଟଙ୍କାର ଗଦିରେ ଶୋଉଥିଲେ ବାବୁ। ସକାଳୁ ସକାଳୁ ପଶିଲା ଭିଜିଲାନ୍ସ। ଛାନିଆ ହୋଇ ଝରକା ବାଟେ ପଡୋଶୀ ଘରର ଆଜବେଷ୍ଟସକୁ ଫିଙ୍ଗିଦେଲେ ବିଡ଼ା ବିଡ଼ା ଟଙ୍କା। ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବୈକୁଣ୍ଠ ନାଥଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ଏବେ ଯାଏଁ ଜବତ ହେଲାଣି ୨ କୋଟିରୁ ଅଧିକ। ଟଙ୍କା ଗଣି ଗଣି ଝାଳ ନାଳ ଭିଜିଲାନ୍ସ ଟିମ୍। ହେଲେ ଟଙ୍କା ଗଣା ସରୁନି।
ଭିଜିଲାନ୍ସ ଟିମ୍ ବୈକୁଣ୍ଠ ନାଥଙ୍କ ଭୁବନେଶ୍ବର ସମେତ ୭ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି। ଭୁବନେଶ୍ବର ସ୍ଥିତ ଅଫିସ, ଅନୁଗୁଳ କରଡଗଡିଆସ୍ଥିତ ଦୁଇ ମହଲା ଘର, ଭୁବନେଶ୍ବର ଡୁମଡୁମାସ୍ଥିତ ଫ୍ଲାଟ, ପିପିଲିରେ ଥିବା ଫ୍ଲାଟ, ଅନୁଗୁଳରେ ଥିବା ପୈତୃକ ବାସଭବନ, ଅନୁଗୁଳ ଶିକ୍ଷକପଡାରେ ଥିବା ସମ୍ପର୍କୀୟଙ୍କ ଘର, ଅନୁଗୁଳ ମାଟିଆସାହିରେ ଥିବା ପୈତୃକ ଘରେ ଚଢାଉ ଜାରି ରହିଛି। ଭୁବନେଶ୍ଵର ସ୍ଥିତ ବାସଭବନରୁ ଏଯାବତ୍ ପାଖାପାଖି ୧ କୋଟି ଟଙ୍କା ମିଳିଲାଣି। ସେପଟେ ଅନୁଗୁଳ ସ୍ଥିତ ବାସଭବନରୁ ମିଳିଲାଣି ନଗଦ କୋଟିଏ ୧୦ ଲକ୍ଷ ଟଙ୍କା। ଚଢାଉରେ ୮ ଜଣ ଡିଏସ୍ପି, ୧୨ ଜଣ ଇନସ୍ପେକ୍ଟର, ୬ ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ତେବେ ସମ୍ପତ୍ତି ତାଲିକା ଆହୁରି ବଢିପାରେ। ଲୋକଙ୍କ ଟଙ୍କାକୁ ହଡ଼ପ କରିଥିବା ବାବୁଙ୍କ ଉପରେ ଏବେ କି ଆକ୍ସନ ନିଆଯିବ ତାହା ଦେଖିବାକୁ ବାକି ରହିଲା।