ଭୁବନେଶ୍ୱର,୩୧/୦୫: ଆସନ୍ତା ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ । ଉତ୍ତର ବାଂଲାଦେଶ ଓ ସଂଲଗ୍ନ ମେଘାଳୟ ଉପରେ ଥିବା ଏହି ଅବପାତ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଶନିବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ରବିବାର ଉପକୂଳ ଓଡ଼ିଶା, ମୟୂରଭଞ୍ଜ ଓ କେନ୍ଦୁଝର ସମେତ ଅନ୍ୟ କିଛି ସ୍ଥାନରେ ସ୍ପଳ୍ପ ବର୍ଷା ସମ୍ଭାବନା ଅଛି ।
ସୋମବାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ୩, ୪ ଓ ୫ ତାରିଖରେ ମାଲକାନଗିରି, କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ମୌସୁମୀ ବାୟୁ ଭବାନୀପାଟଣା ଓ ପୁରୀ ଅତିକ୍ରମ କରିଛି ।
ଶୁକ୍ରବାର ବରଗଡ଼ ଜିଲ୍ଲାରେ ୩୫.୪ ମିମି ବର୍ଷା ହୋଇଛି । ବଲାଙ୍ଗିରରେ ୨୬.୫ ଓ ଚାନ୍ଦବାଲିରେ ୨୬.୮ ମିମି ବର୍ଷା ରେକର୍ଡ ହୋଇଛି।