ଚନ୍ଦନେଶ୍ଵର, ୦୧/୦୬ : ବାଲେଶ୍ୱର ଜିଲ୍ଲା ଭୋଗରାଇର ଅନନ୍ୟ ପର୍ଯ୍ୟଟନ ସ୍ଥଳ ବିଚିତ୍ରପୁର ଇକୋ ଟୁରିଜିମ। ଏହି ଅଞ୍ଚଳର ବିକାଶ ତଥା ପର୍ଯ୍ୟଟନ ସ୍ଥଳୀକୁ ଆଉ ପାଦେ ଆଗକୁ ନେବା ପାଇଁ ସରକାର ହୋଟେଲ ଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଉଛନ୍ତି । ମାତ୍ର ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରୁଥିବା ଦେଖିବାକୁ ମିଳିଛି । ମରିଯିବୁ ପଛେ ଆମର ଏକ ଇଞ୍ଚ ଜାଗା ମଧ୍ୟ ଛାଡିବୁ ନାହିଁ ବୋଲି ଜିଦ୍ରେ ଅଟଳ ଅଛନ୍ତି । ମାତ୍ର ଗାଁର ଆଉ କିଛି ଲୋକ ଚାଷବାସ ହେଉଥିବା ଜାଗାକୁ ଛାଡି ଲୋକଙ୍କ ବ୍ୟବହାରରେ ଆସୁନଥିବା ସ୍ଥାନରେ ହୋଟେଲ ନିର୍ମାଣ କରିବାକୁ ଦାବି କରୁଛନ୍ତି। ଏନେଇ ସେମାନେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅବଗତ କରିବେ ବୋଲି ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଭୋଗରାଇର ପର୍ଯ୍ୟଟନ ସ୍ଥଳ ବିଚିତ୍ରପୁର ଇକୋ ଟୁରିଜିମ। ଏହାର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପ୍ରତିଦିନ ବହୁ ପର୍ଯ୍ୟଟକ ଆସିଥିନ୍ତି। ମାତ୍ର ରହିବା, ଖାଇବାର ସୁବ୍ୟବସ୍ଥା ନଥିବାରୁ ବହୁ ପର୍ଯ୍ୟଟକ ନିରାଶ ହୋଇ ଫେରିଥାନ୍ତି। ସମୁଦ୍ର ଛାଡିଯିବା ପରେ ଖାଲି ପଡିଥିବା ଚରାଭୂଇଁକୁ ପ୍ରାୟ ୫୦ବର୍ଷ ହେବ ବଡପାହି ଗାଁର ଲୋକେ ଚାଷବାସ କରି ଜୀବିକା ନିର୍ବାହ କରି ଆସୁଥିଲେ। ଉକ୍ତ ଜାଗାରେ ସରକାର ହୋଟେଲ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯୋଜନା ହାତକୁ ନେଇଛନ୍ତି । ମାତ୍ର ଲୋକଙ୍କ ଭାତହାଣ୍ଡି ସାଜିଥିବା ଏହି ଚାଷଜମି ଛଡାଇ ନନେବାକୁ ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି।