ରାଉରକେଲା ୦୧/୦୬: ପୁଣି ଜବତ ହେଲା ବିସ୍ଫୋରକ । ପେଟ୍ରୋଲ ପମ୍ପରେ ପାର୍କିଂ ହୋଇଥିବା ଗାଡିରୁ ବିସ୍ଫୋରକ ଜବତ କଲା ପୁଲିସ। ଗୋଦାମ ମାଲିକଙ୍କୁ ପଚରାଉଚରା।
ରାଉରକେଲାରେ ଆଜି ପୁଣି ଥରେ ପୁଲିସ ବିସ୍ଫୋରକ ଜବତ କରିଛି। ଦେଓଗାଁ ସ୍ଥିତ ଫୁଏଲ ପେଟ୍ରୋଲ ପମ୍ପରେ ପାର୍କିଂ ହୋଇଥିବା ଦୁଇଟି ଗାଡିରୁ ୧୧୬ପ୍ୟାକେଟ ଜିଲୋଟିନ, ୪୧୬ ଡେଟୋନେଟର, ୧୫ପେଟି ୭୫୦ମିଟର ତାର ଜବତ ହୋଇଛି। ଏହି ଦୁଇଟି ଗାଡ଼ି କିଛି ଦିନ ହେଲା ପେଟ୍ରୋଲ ପମ୍ପରେ ପାର୍କିଂ ହୋଇଥିଲା। ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ଉପରେ ପୁଲିସ ନଜର ରଖିଥିଲା। ଆଜି ଶ୍ରବଣ ପେଟ୍ରୋଲ ପମ୍ପରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ମାଡି ବସିଥିଲା।
ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଶ୍ରବଣଙ୍କ ଗୋଦାମ ସିଲ୍ ଥିଲେ ହେଁ ସେ ଏହି ଦୁଇଟି ଗାଡ଼ିରେ ବେଆଇନ ଭାବେ ବିସ୍ଫୋରକ ରଖିଥିଲେ। ପୁଲିସ ଶ୍ରବଣଙ୍କୁ ନେଇ ଅଧିକ ପଚରାଉଚରା କରୁଛି। କିଛି ଦିନ ପୂର୍ବରୁ କେ ବଲାଙ୍ଗ ଥାନା ଅଞ୍ଚଳରୁ ୨୦୦ପେଟି ବିସ୍ଫୋରକ ଲୁଟ ହୋଇଥିଲା। ସେଥିରୁ କିଛି ମାତ୍ରାରେ ବିସ୍ଫୋରକ ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି।