ପ୍ରମୂଖ ଖବର
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

କେନ୍ଦୁଝରରେ କମିବ ହଳଦୀ ଉତ୍ପାଦନ: ଗତବର୍ଷ ୫୦୦, ଏଥର ୧୩୦ ହେକ୍ଟରରେ ଚାଷ

Published By : Prameya | June 2, 2025 1:47 PM

କେନ୍ଦୁଝର,୦୨/୦୬: ଓଡ଼ିଶାରେ କନ୍ଧମାଳରେ ସବୁଠାରୁ ଅଧିକ ହଳଦୀ ଚାଷ ହୋଇଥାଏ । ତେବେ କେନ୍ଦୁଝରରେ ହଳଦୀ  ଚାଷ ପାଇଁ ଅନୁକୂଳ ପରିବେଶ ରହିଛି । ଜଳସେଚନ ସହିତ ବିନା ଜଳସେଚିତ  ଜମିରେ ମଧ୍ୟ ହଳଦୀ ଉତ୍ପାଦନ ହୋଇଥାଏ ।  ପାହାଡିଆ ଅଞ୍ଚଳରେ ଜୈବିକ ପଦ୍ଧତିରେ  ହଳଦୀ ଚାଷ ହେଉଥିବା ବେଳେ ଏଥର କୃଷି  ବିଭାଗ କେନ୍ଦୁଝରକୁ ଅଣଦେଖା କରିଛନ୍ତି ।  ଫଳରେ ୫ଶହ ହେକ୍ଟର ଜମିରେ ହଳଦୀ ଚାଷ  ହେଉଥିବା ବେଳେ ଚଳିତବର୍ଷ ମାତ୍ର ୧୩୦  ହେକ୍ଟର ଜମିରେ ହଳଦୀ ଚାଷ ହୋଇଥିବା  ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି ।  

ହଳଦୀ ଚାଷ ମେ’ ମାସରୁ ଜୁନ୍‌ ମାସ ମଧ୍ୟରେ  ହୋଇଥାଏ । କେନ୍ଦୁଝର ଜିଲ୍ଲାରେ ୧୩ଟି  ବ୍ଲକ୍‌ରେ ହଦଳୀ ଚାଷ କରାଯାଉଛି । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଉନ୍ନତମାନର  ବିହନ ରୋମା ଓ ସୁରମା କିସମର ବିହନ  କେନ୍ଦୁଝରରେ ପହଞ୍ଚିଛି । ୧୩୦ ହେକ୍ଟର ପାଇଁ ୧୯୫୦ କୁଇଣ୍ଟାଲ ବିହନ ସରକାର ଯୋଗାଇ  ଦେଇଛନ୍ତି । ଚାଷୀମାନଙ୍କୁ ସରକାର ହେକ୍ଟର  ପତି ୧୪ ହଜାର ୭୩୨ ଟଙ୍କା ରିହାତି ପ୍ରଦାନ  କରୁଛନ୍ତି । ଜଣେ ଚାଷୀକୁ ଅତିକମ୍‌ରେ ୨୫  ଡିସିମିଲ୍‌ ଓ ସର୍ବାଧିକ ୫୦ ଡିସିମିଲ ଜମିରେ  ହଳଦୀ ଚାଷ ପାଇଁ ରିହାତି ବ୍ୟବସ୍ଥା ରହିଛି ।  କିଲୋଗ୍ରାମ ପ୍ରତି ବିହନର ମୂଲ୍ୟ ୭୮ ଟଙ୍କା  ରହିଥିବା ବେଳେ ୨୫ ଡିସିମିଲ ଜମି ପାଇଁ  ୧୧୭୦୦ ଟଙ୍କାର ବିହନ ଆବଶ୍ୟକ ପଡିଥାଏ ।  ଜଳସେଚିତ ଜମି ହେଲେ ହେକ୍ଟରରେ ୨୦ରୁ  ୨୫ ଟନ୍‌ ହଳଦୀ ଉତ୍ପାଦନ ହେଉଥିବା ବେଳେ  ଅଣଜଳସେଚିତ ଜମିରେ ୯ ଟନ୍‌ ପର୍ଯ୍ୟନ୍ତ  ହଳଦୀ ଆମଦାନୀ ହୋଇଥାଏ ।    

ଚଳିତବର୍ଷ କେନ୍ଦୁଝରରେ ୧ ଲକ୍ଷ ୩୬  ହଜାର ୫୦୦ କୁଇ୍‌ଣ୍ଟାଲ ହଳଦୀ ଉତ୍ପାଦନ  ଲକ୍ଷ୍ୟ ରଖାଯାଇଛି । କେନ୍ଦୁଝର ଉପଖଣ୍ଡରେ  ସର୍ବାଧିକ ୮୦ ହେକ୍ଟର ଜମିରେ ହଳଦୀ ଚାଷ  କରାଯାଉଥିବା ବେଳେ ଆନନ୍ଦପୁରରେ ୩୦  ହେକ୍ଟର ଓ ଚମ୍ପୁଆ ଉପଖଣ୍ଡରେ ମାତ୍ର ୨୦  ହେକ୍ଟର ଜମିରେ ହଳଦୀ ଚାଷ କରାଯାଉଛି ।  ତେଲକୋଇ ଓ ବାଂଶପାଳ ବ୍ଲକ୍‌ରେ ୧୫  ହେକ୍ଟର ଲେଖାଁଏ ଚାଷ କରାଯାଉଥିବା  ସମୟରେ କେନ୍ଦୁଝର ସଦର, ପାଟଣା,  ସାହାରପଡା, ଘଟଗାଁ ଓ ହରିଚନ୍ଦନପୁର ବ୍ଲକ୍‌  ପାଇଁ ୧୦ ହେକ୍ଟର ଟାର୍ଗେଟ୍‌ ରହିଛି । ସେହିପରି  ଆନନ୍ଦପୁର, ହାଟଡିହି ଓ ଘସିପୁରା ବ୍ଲକରେ  ୧୦ ହେକ୍ଟର ଲେଖାଁଏ ଚାଷ କରାଯିବାକୁ ଥିବା  ବେଳେ ଚମ୍ପୁଆ ଉପଖଣ୍ଡର ଚମ୍ପୁଆ ବ୍ଲକରେ  ୧୪୦ ହେକ୍ଟର ଝୁମ୍ପୁରା ବ୍ଲକରେ ୮ ହେକ୍ଟର  ଓ ଯୋଡା ବ୍ଲକରେ ମାତ୍ର ୨ ହେକ୍ଟର ଜମିରେ  ହଳଦୀ ଚାଷ ପାଇଁ ଟାର୍ଗେଟ୍‌ ରହିଛି । ସେହିପରି  ୧ ହେକ୍ଟର ଜମିରେ ୭୦ କୁଇଣ୍ଟାଲ ପର୍ଯ୍ୟନ୍ତ  ଉତ୍ପାଦନ ହେବ ବୋଲି ଉଦ୍ୟାନ କୃଷି ଉପ  ନିର୍ଦ୍ଦେଶକ ସୌମେନ୍ଦ୍ର ପାଣିଗ୍ରାହୀ କହିଛନ୍ତି ।   

ଉଦ୍ୟାନ୍‌ କୃଷି ବିଭାଗ ପକ୍ଷରୁ କୁହାଯାଇଛି  ଯେ, କେନ୍ଦୁଝରରେ ପାହାଡିଆ ଅଞ୍ଚଳ ଯୋଗୁ  ଅଧିକ ହଳଦୀ ଉତ୍ପାଦନ ହୋଇଥାଏ । ହଳଦୀ ଚାଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ୱ କମ୍‌  ରହୁଥିବାରୁ ଚାଷୀମାନେ ଚାଷ କରିବାକୁ ଆଗ୍ରହ  ଦେଖାଇଥାନ୍ତି । ଗତବର୍ଷ ୫ଶହ ହେକ୍ଟରରେ ହଳଦୀ ଚାଷ ହୋଇଥିବା ବେଳେ ଏଥର  ସରକାର ଟାର୍ଗେଟ୍‌ କମ୍‌ ଦେଇଛନ୍ତି । ତଥାପି  ବୈଜ୍ଞାନିକ ପଦ୍ଧତି ଓ ଉନ୍ନତ କିସମର ବିହନ  ଦ୍ୱାରା ଅଧିକ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି  ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଚାଷୀମାନେ  ଚାଷ କରିବା ପୂର୍ବରୁ ଆବେଦନ କଲେ ବିହନ ମାଗଣାରେ ଯୋଗାଇ ଦିଆଯାଉଛି । ଏହାସହିତ  ଚାଷ ସମ୍ପର୍କିତ ପରାମର୍ଶ ମଧ୍ୟ ବିଭାଗ ପକ୍ଷରୁ  ଦିଆଯାଉଛି ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.