ଭୁବନେଶ୍ୱର, ୩୧/୦୫: ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳିପାରେ । ଏହାକୁ ପୁନଃ ନାମକରଣ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆଗକୁ ନେଇଛନ୍ତି । ଏ ସମ୍ପର୍କିତ ଏକ ଅନୁରୋଧକୁ ଗ୍ରହଣ କରି ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଛି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳାଇ କଳିଙ୍ଗ, ଉତ୍କଳ, ପାଇକ, ଜୟୀ ରାଜଗୁରୁ, ସହିଦ ଲକ୍ଷ୍ମଣ ନାଏକ ବା ବିଧାନସଭା ଛକରେ ନାମିତ କରିବାକୁ ସରକାରଙ୍କ ପାଖରେ ଦାବି ପହଞ୍ଚିଛି ।
ସୁପ୍ରିମକୋର୍ଟର ଆଇନଜୀବୀ ତଥା ସାମାଜିକ କର୍ମୀ ରାଧାକାନ୍ତ ତ୍ରିପାଠୀ ଏଭଳି ଦାବି କରି କହିଛନ୍ତି, ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳାଇବାର ଆବଶ୍ୟକତା ଅଛି । ରାଜଧାନୀର ଏହି ପ୍ରମୁଖ ଆଉ ଗୁରୁତ୍ୱପୂର୍ଣ୍ଣ ଛକର ନାଁରେ ଯେଭଳି ରାଜ୍ୟର ଗୌରବମୟ ଇତିହାସ, ସଂସ୍କୃତି, ପାରମ୍ପରିକ ମୂଲ୍ୟବୋଧ ପ୍ରତିବିମ୍ବ ପାଲଟିବ ସେଥିପାଇଁ ପଦକ୍ଷେପ ନିଆଯାଉ । ଏବେ ଯେଉଁ ନାଁ ରହିଛି, ତାହା ରାଜ୍ୟର ସମୃଦ୍ଧଶାଳୀ ସଭ୍ୟତାକୁ ପ୍ରତିନିଧିତ୍ୱ କରୁନି ବୋଲି ସେ ଅଭିଯୋଗ କରିଛନ୍ତି ।
ଗତ ୨୦୨୧ ମସିହାରୁ ଶ୍ରୀ ତ୍ରିପାଠୀ ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳାଇବା ପାଇଁ ପ୍ରୟାସ କରି ଆସୁଛନ୍ତି । ନିକଟରେ ସେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖି ଏହି ଦାବିକୁ ପୁଣି ଥରେ ଦୋହରାଇଥିଲେ । ତେବେ ଏହି ଚିଠିକୁ ନେଇ ଏବେ ସରକାରୀ ସ୍ତରରେ ସାମାନ୍ୟ ତତ୍ପରତା ପ୍ରକାଶ ପାଇଛି । ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ ବଦଳିବ କି ନା? ନାଁ ବଦଳିବା ଦାବି ପଛରେ କେଉଁ ଯୁକ୍ତି ରହିଛି? ଯଦି ବଦଳିବ ନୂଆ ନାଁ କ’ଣ ହେବ? ଏ ସବୁକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଯାଇଛି ।