ଗୌହାଟୀ,୩୧/୦୫: ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତିର କୋପ ଦେଖିବାକୁ ମିଳିଛି । ବର୍ଷା ବିତ୍ପତିରେ ଜନଜୀବନ ହନ୍ତସନ୍ତ ହୋଇଛି । ଜଳବନ୍ଦୀ ସ୍ଥିତି ଉପୁଜିଛି । ଯେଉଁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି କାର୍ ବୁଡ଼ିଲାଣି । ଉତ୍ତରପୂର୍ବ ରାଜ୍ୟ ଆସାମ, ମିଜୋରାମ ଓ ନାଗାଲାଣ୍ଡରେ ପ୍ରବଳ ବର୍ଷା ହୋଇଛି । ଘରେ ପାଣି ପଶିଛି । ଗାଡ଼ି ବୁଡ଼ିଯାଇଛି । ବର୍ଷା ବିତ୍ପତିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ଷାର ପରିମାଣ ଆଗକୁ ବଢିପାରେ । ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ଆଲର୍ଟ ଜାରି ହୋଇଛି ।
ଗଛ ଉପୁଡ଼ିଲା,ମାଟି ଧସିଲା- ଆସମରେ ଭୀଷଣ ବର୍ଷାରେ ଗୌହାଟୀରେ ବନ୍ୟା ହୋଇଛି । ରାସ୍ତାଘାଟ ବୁଡ଼ିଛି ଆଣ୍ଠୁଏ ପାଣି ଛିଡା ହୋଇଛି । ଗଛ ଉପୁଡ଼ିଛି ମାଟି ଧସିଛି । ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ହୋଇଛି । ଗତ ୨୪ ଘଣ୍ଟା ହେବ ଲଗାତାର ବର୍ଷା ହେଉଛି । ତେଣୁ ବର୍ଷା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ପୂର୍ବ ଆସାମ ଦିବ୍ରୁଗଡ ଜିଲ୍ଲା ନାଦୁବାରେ ଗଛ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣ ଆହତ ହୋଇଛନ୍ତି । ନାଗାଲାଣ୍ଡରେ ବନ୍ୟା ସ୍ଥିତିରେ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି ।
ଆସାମକୁ ରେଡ୍ ଆଲର୍ଟ- ଭାରତୀୟ ପାଣିପାଗ ବିଭାଗ ମେ ୨୯ରୁ ଜୁନ୍ ପହିଲା ଯାଏ ସମସ୍ତ ଉତ୍ତରପୂର୍ବ ରାଜ୍ୟକୁ ବର୍ଷା, ପବନ ନେଇ ସତର୍କତା ଜାରି କରିଛନ୍ତି । ପ୍ରବଳ ପବନ ସହ ଭୀଷଣ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ଗୁରୁବାରଠୁ ଲଗାତାର ବର୍ଷା କାରଣକୁ ଆସାମକୁ ରେଡ୍ ଆଲର୍ଟ ଜାରି କରିଛି ଆଇଏମ୍ଡି ।