ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇତିହାସ ପାଲଟିବ ଆସିକା ସୂତା କଳ, ଜୀବିକା ଖୋଜୁଛନ୍ତି ଛଟେଇ ଶ୍ରମିକ

ଭଞ୍ଜନଗର,୧୩/୦୨: ଦିନ ଥିଲା କାରଖାନାର ଘଣ୍ଟି ବାଜିଲେ ଚଳଚଞ୍ଚଳ ହୋଇ ଉଠୁଥିଲା ଆସିକା ଅଞ୍ଚଳ । ସୂତା କଳରେ କାମ କରି ପରିବାର ପାଇଁ ଦାନା ଯୋଗାଡରୁ  ଫୁରୁସତ ପାଉନଥିଲେ ପ୍ରାୟ ୧୨୦୦ ଶ୍ରମିକ ।  ହେଲେ କାଳକ୍ରମେ କାରଖାନା ଧୀରେ ଧୀରେ  ଅଚଳ ହୋଇଗଲା । ଶ୍ରମିକ ଧର୍ମଘଟ, ବାରମ୍ବାର  ମାଲିକାନା ସ୍ୱତ୍ତ୍ୱ ପରିବର୍ତ୍ତନ, ପରିଚାଳନାଗତ ତ୍ରୁଟି  ଯୋଗୁଁ ଶେଷରେ କାରାଖାନାରେ ତାଲା ଝୁଲିଲା ।  ଛଟେଇ ହେଲେ ଶହ ଶହ କର୍ମଚାରୀ । ଜୀବିକା  ହରାଇ ଭୋକରେ ଦିନ ବିତାଇଲେ ଶ୍ରମିକ  ପରିବାର । କାରଖାନା ପରିସର କୃତ୍ରିମ ଜଙ୍ଗଲ  ସୃଷ୍ଟି ହେଲା । ଏ ମଧ୍ୟରେ ବହୁ ବର୍ଷ ବିତିଲାଣି ।  ସରକାର ବଦଳିଲେଣି, ଥାନା ଓ କୋର୍ଟରେ  ମାମଲା ଝୁଲୁଛି । ଅଶୀ ଦଶକର ଏକ ବୃହତ୍‌  ସମ୍ଭାବନା ପରବର୍ତ୍ତୀ ସମୟରେ ବିରାଟ ସମସ୍ୟାର  ରୂପ ନେଲା । ସମବାୟ ନଗରୀରେ ଚିନି ଶିଳ୍ପ  ସହ ସୂତା କଳକୁ ନେଇ ଯେଉଁ ସମ୍ଭାବନା ସୃଷ୍ଟି  ହୋଇଥିଲା, ତାହା ଏବେ ସତ୍ତା ହରାଇ ବସିଛି ।  ଇତିହାସ ହେବାକୁ ଯାଉଛି ଆସିକା ସୂତା କଳ ।  

ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ  ଦ୍ୱାରା ଆସିକା ସୂତା କଳର ଶିଳାନ୍ୟାସ ୧୯୮୪  ମସିହାରେ କରାଯାଇ ଥିଲା । ରାଜ୍ୟ ଶିଳ୍ପ ଉନ୍ନୟନ  ନିଗମ ପରିଚାଳନାରେ ୧୯୮୭ ମସିହାରୁ ସୂତା  ଉତ୍ପାଦନ ଆରମ୍ଭ ହେଲା । ପରେ ତାହା ଓଡ଼ିଶା  ରାଜ୍ୟ ତନ୍ତୁବାୟ ନିଗମ (ଓଏସ୍‌ଟିସି)କୁ ଏବଂ ପୁଣି  ରାଜ୍ୟ ସରକାରଙ୍କ ଏସିଏସ୍‌କୁ ହସ୍ତାନ୍ତର ହେଲା । ଆସିକା- ବାରିପଦା- ସୋନପୁର ସ୍ପିନିଂ ଲିମିଟେଡ୍‌  ନାମରେ ପରିଚିତ ହେଲା । ଅଳ୍ପ କିଛି ବର୍ଷ ପରେ  ପରିଚାଳନାଗତ ତୃଟି ବୃଦ୍ଧି ସହ ସୂତା କଳ ସଙ୍କଟ  ଆଡ଼କୁ ଗତି କଲା । କାରଖାନା ରୁଗଣ ହେବାକୁ  ଲାଗିବାରୁ ରାଜ୍ୟ ସରକାର ବିଜୟ ଅଗ୍ରୱାଲଙ୍କ  ମାଲିକାନାରେ ଥିବା କଲିକତାର ବାଲାଜୀ ସୂତା  କଳ ନାମକ ଘରୋଇ ସୂତା କଳ ହାତକୁ ଆସିକା  କାରାଖାନାକୁ ମାତ୍ର ୫ କୋଟି ୨୨ ଲକ୍ଷ ଟଙ୍କାରେ ବିକ୍ରି  କରି ଦିଆଗଲା । 

ସୂତା କଳର ପରିସୀମା ପ୍ରାୟ ୬୭  ଏକର ଥିବା ବେଳେ ସମସ୍ତ ଯନ୍ତ୍ରପାତି, ଘର, ୪୦ଟି  କ୍ୱାର୍ଟର, ଅତିଥି ଭବନକୁ ମିଶାଇ ପାଖାପାଖି ୧୦୦  କୋଟି ଟଙ୍କାର ସମ୍ପତ୍ତିକୁ ରାଜ୍ୟ ସରକାର ଶାଗମାଛ  ଦରରେ ବିକି ଦେଇଥିବା ଅଭିଯୋଗ ହୋଇଥିଲା ।  କାରଖାନା ହସ୍ତାନ୍ତର ପରେ ଅଧିକାଂଶ ଶ୍ରମିକ  ଛଟେଇର ଶୀକାର ହେଲେ । ୧୨୦୦ରୁ ମାତ୍ର ୪୫୦  ଶ୍ରମିକ (ଅର୍ଦ୍ଧାଧିକ ମହିଳା) ନିୟୋଜିତ ହେଲେ ।  କିଛି ଦିନ ଚାଲିବା ପରେ ଶ୍ରମିକଙ୍କ ସହ ବିବାଦକୁ ନେଇ ମାଲିକ ହଠାତ୍‌ ସୂତା କଳ ବନ୍ଦ କରିଦଲେ ।  ଲଗାତର ଆନ୍ଦୋଳନ, ଧର୍ମଘଟ, ଶ୍ରମିକ ଛଟେଇକୁ  ନେଇ ମାମଲା ଅଦାଲତରେ ପହଞ୍ଚିଲା । ଛଟେଇ  ଶ୍ରମିକ ପେଟପାଟଣା ପାଇଁ ବାଧ୍ୟ ହୋଇ ଦାଦନ  ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଯଦିଓ  କମ୍ପାନୀ କିଛି ଶ୍ରମିକଙ୍କୁ ବାଧ୍ୟତାମୂକଳ ଅବସର  ମଞ୍ଜୁର କରିବାରୁ ଶ୍ରମିକମାନେ ଇପିଏଫ୍‌ଓ  ଏବଂ ଭତ୍ତା ପାଇଲେ, ହେଲେ ସବୁଦିନ  ପାଇଁ ହାତପାହାନ୍ତାରୁ ଜୀବିକା ହରାଇଲେ ।  

ଲୋକେ ସୂତା କଳ ପାଇଁ ସେମାନଙ୍କ ଜମିକୁ  ସରକାରଙ୍କ ହାତକୁ ଟେକି ଦେଇଥିଲେ । ଅଥଚ  ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ସହ ଶିଳ୍ପର  ବିକାଶ ପାଇଁ ହୋଇଥିବା ଯୋଜନା କାଳକ୍ରମେ  ପଥଭ୍ରଷ୍ଟ ହୋଇଗଲା । ୨୦୦୨ ମସିହା ବେଳକୁ  ସୂତା କଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା ।  ତଥାପି ଏକ ଘରୋଇ ସଂସ୍ଥା ତାକୁ କିଣି ପ୍ଲଟିଂ  ବ୍ୟବସାୟ ନିମନ୍ତେ ଉଦ୍ୟମ କରୁଥିବା ଅଭିଯୋଗ  ଉଠିଥିଲା । ସ୍ଥାନୀୟ ବାସିନ୍ଦା ତାହାର ବିରୋଧ  କରିଥିଲେ । ଏବେ ସୂତା କଳରେ ତାଲା ଝୁଲୁଛି ।  ଯଦିଓ ଏବେବି ଫାଟକ ଆଗରେ ଚୌକିଦାର  ହାଜିରା ପକାଉଛି କିନ୍ତୁ ଭିତର ପରିସର ଜଙ୍ଗଲ  ହୋଇସାରିଥିବା ବେଳେ କାରଖାନା ଭୂତକୋଠା  ପାଲଟି ଗଲାଣି । ସୂତା କଳର ଜମି ଓ ଜରାଜୀର୍ଣ୍ଣ ଘରଗୁଡିକୁ ବିକା ଭଙ୍ଗା କରିବାକୁ ମାଲିକ ସୁଯୋଗ  ଖୋଜୁଛି । ସ୍ଥାନୀୟ ବାସିନ୍ଦା, ଶ୍ରମିକ ନେତା, ଛଟେଇ  କର୍ମଚାରୀ ଓ ବୁଦ୍ଧିଜୀବୀଙ୍କ କହିବା କଥା ସେଠାରେ  ଅନ୍ୟ କୌଣସି କାରଖାନାଟିଏ ଗଢି ଉଠୁ ଯାହାକି  ସ୍ଥାନୀୟ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବ ।  

ସମବାୟ ଓ ଶିଳ୍ପ ନଗରୀ ଭାବେ ପରିଚିତ  ଆସିକାରେ ଏବେବି ଅନେକ ଲୋକ ବିଶ୍ୱାସ  ରଖିଛନ୍ତି ଯେ ଯଦି ରାଜ୍ୟ ସରକାର ଚେଷ୍ଟା କରନ୍ତି ପୁଣି ଥରେ ସୂତା କଳ ଆରମ୍ଭ ହେବ ।  ପରୋକ୍ଷ ଓ ପ୍ରତ୍ୟକ୍ଷରେ ହଜାର ହଜାର  ପରିବାର ନିଜର ଗୁଜୁରାଣ ମେଣ୍ଟାଇବାକୁ  ସକ୍ଷମ ହୋଇପାରନ୍ତେ । ଏବେ ରାଜ୍ୟ ସରକାର  ଶିଳ୍ପର ଅଭିବୃଦ୍ଧି ପାଇଁ ଅନେକ ସଫଳ ପ୍ରୟୋଗ  କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କପା ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ଏଥିରୁ ଆସିକା ସୂତା  କଳକୁ କଞ୍ଚାମାଲ ମିଳିବାରେ ସମସ୍ୟା ହେବନି ।  ବରଂ ଭଞ୍ଜନଗର ଠାରୁ ଆରମ୍ଭ କରି ହିଞ୍ଜିଳିକାଟୁ,  ଦିଗପହଣ୍ଡି ଯାଏଁ ବହୁ ଅଞ୍ଚଳର ବନ୍ଦ ପଡିଥିବା  ହସ୍ତତନ୍ତର ପୁନରୁଦ୍ଧାର ହୋଇପାରନ୍ତା ।  ଲୋକଙ୍କୁ ଦାଦନ ଖଟିବାକୁ ବାହାରକୁ ଯିବାକୁ  ପଡି ନଥାନ୍ତା ବୋଲି ବୁଦ୍ଧଜୀବୀ ମତ ଦିଅନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.