ଭୁବନେଶ୍ୱର, ୧୬/୦୨: ବିଳମ୍ବିତ ରାତିରେ ନରସିଂହପୁର ପୋଲିସ ପକ୍ଷରୁ ସଂରକ୍ଷିତ ଜଙ୍ଗଲରେ ଚଢାଉ । ବେଆଇନ୍ ଗୋଚାଲାଣ ବେଳେ ୩୧ ଗୋରୁ ଉଦ୍ଧାର କରି ଗୋଟିଏ ପିକଅପ୍ ଭ୍ୟାନ୍, ଦୁଇଟି ବାଇକ୍ ଜବତ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରଶାନ୍ତ ଜେନା, ଫକୀର ଜେନା, କୃଷ୍ଣ ମଲ୍ଲିକ, ଅକ୍ଷୟ ମଲ୍ଲିକ, ରବୀନ୍ଦ୍ର ସାହୁ ଓ ଗଣେଶ ମଲ୍ଲିକ । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବୀରସିଂହପୁର -ଚତରାପଦା ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ଏହି ଚଢାଉ ହୋଇଛି ।
ସୂଚନା ମୁତାବକ, ସଂରକ୍ଷିତ ଜଙ୍ଗଲରେ ବେଆଇନ୍ ଗୋଚାଲାଣ ହେଉଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ କଟକ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂ ଙ୍କ ନିର୍ଦ୍ଦେଶକ୍ରମେ ସ୍ପେସିଆଲ ସ୍କ୍ୱାଡ଼ ଓ ନରସିଂହପୁର ପୋଲିସ ପକ୍ଷରୁ ଶନିବାର ବିଳମ୍ୱିତ ରାତିରେ ମିଳିତ ଚଢାଉ କରାଯାଇଥିଲା । ଏହି ଚଢାଉରେ ନରସିଂହପୁର ଥାନା ଅନ୍ତର୍ଗତ ବୀରସିଂହପୁର -ଚତରାପଦା ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ବନ୍ଧା ହୋଇ ରଖା ହୋଇଥିବା ୩୧ ଟି ଗୋରୁ ଉଦ୍ଧାର ହୋଇଥିଲା । ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନରସିଂହପୁର ପୋଲିସ । ଜବତ ହୋଇଥିବା ଗୋରୁ ମାନଙ୍କୁ ଗୋ ଶାଳରେ ଛଡ଼ା ଯିବ ବୋଲି ନରସିଂହପୁର ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି।