ପ୍ରମୂଖ ଖବର
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ବାଲିଯାତ୍ରା ଗାଡ଼ି ଷ୍ଟାଣ୍ଡ୍‌ ଟେଣ୍ଡର୍‌ ବିବାଦ: ୬୦ କୋଟିର ଷ୍ଟାଣ୍ଡ୍‌ ୧୯ ଲକ୍ଷକୁ ଖସିଲା, ନିଲାମରେ ୮ଟି ଷ୍ଟାଣ୍ଡ୍‌ ଆବଣ୍ଟନ

କଟକ, ୨୭/୧୧: ଚାରିଦିନ ତଳେ ବାଲିଯାତ୍ରାର ଯେଉଁ ଗାଡ଼ି ଷ୍ଟାଣ୍ଡ୍‌ ୬୦କୋଟି ଟଙ୍କାରେ ଟେଣ୍ଡର୍‌ ହୋଇଥିଲା, ଶୁକ୍ରବାର ସେହି ଷ୍ଟାଣ୍ଡ୍‌ ସାନି ଟେଣ୍ଡର ପରେ ୧୯ଲକ୍ଷ ୧୧ ହଜାର ଟଙ୍କାରେ ଗଲା । ସେହିପରି ଅନ୍ୟ ଏକ ବିବାଦୀୟ ଷ୍ଟାଣ୍ଡ୍‌ ଯାହାର ବର୍ଗଫୁଟ୍‌ ପିଛା ୮ହଜାର ୫ଶହ ଟଙ୍କାରେ ସର୍ବାଧିକ ବିଡ୍‌ ଯାଇଥିଲା, ତାହା ବର୍ଗଫୁଟ୍‌ ପିଛା ମାତ୍ର ୧୮ ଟଙ୍କା ୬୧ ପଇସାରେ ନିଲାମ ଯାଇଛି । ବାଲିଯାତ୍ରା ଗାଡ଼ି ଷ୍ଟାଣ୍ଡ୍‌ ଟେଣ୍ଡର୍‌ ପ୍ରକ୍ରିୟାରେ ହୋଇଥିବା ତ୍ରୁଟି ଓ ଫିକ୍ସିଂ ଆଶଙ୍କାକୁ ସୁଧାରିବାକୁ ଯାଇ କଟକ ମହାନଗର ନିଗମ(ସିଏମ୍‌ସି) ତରଫରୁ ଆଜି ଓପନ୍‌ ଟେଣ୍ଡର୍‌ କରାଯାଇଥିଲା । ଓପନ୍‌ ଟେଣ୍ଡର ପ୍ରକ୍ରିୟାରେ ୧୨ଟି ଷ୍ଟାଣ୍ଡ୍‌ରୁ ଶୁକ୍ରବାର ୮ଟି ଷ୍ଟାଣ୍ଡ୍‌ ନିଲାମ ଯାଇଛି । ପୂର୍ବରୁ ତିନୋଟି ଷ୍ଟାଣ୍ଡ୍‌ ମିଶାଇଲେ ଏବେ ସୁଦ୍ଧା ୧୧ଟି ଗାଡ଼ି ଷ୍ଟାଣ୍ଡ୍‌ ଚୂଡାନ୍ତ ହୋଇଛି ।

ଏବେ ବି ବାଲିଯାତ୍ରାର ଆଉ ୪ଟି ଷ୍ଟାଣ୍ଡ୍‌ ନିଲାମ ହୋଇପାରିନାହିଁ । ଆସନ୍ତାକାଲି ଶନିବାରଠାରୁ ସୋମବାର ଯାଏ ସରକାରୀ ଛୁଟି ରହିଥିବାରୁ ଏ ଚାରିଟି ଷ୍ଟାଣ୍ଡ୍‌ କେମିତି ଆବଣ୍ଟନ କରାଯିବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଯେଉଁମାନେ ପୂର୍ବ ଟେଣ୍ଡରରେ ଅଂଶଗ୍ରହଣ କରିଥିଲେ ଏବଂ ଯେଉଁମାନେ ଅବାସ୍ତବ ବିଡ୍‌ ଲଗାଇ ସମସ୍ୟା ସୃଷ୍ଟି କରିଥିଲେ, ସେମାନେ ମଧ୍ୟ ଆଜି ନିଲାମରେ ସାମିଲ ହୋଇଥିଲେ । ବର୍ଗଫୁଟ୍‌ ପିଛା ୧୨ହଜାର ଟଙ୍କା ବିଡ୍‌ ଦାଖଲ କରିଥିବା ଆଶାୟୀ ସିଲଭର ସିଟି ବୋଟିଂ କମ୍ପେ୍ଲକ୍ସ ପଶ୍ଚିମ ପାଶ୍ୱର୍ ଷ୍ଟାଣ୍ଡ୍‌-ଏ’ ଲାଗି ବର୍ଗଫୁଟ୍‌ ୧୮ଟଙ୍କାରୁ ଟପିନଥିଲେ ।  ଏକ ଘରୋଇ ଏଜେନ୍ସି ଏହି ଷ୍ଟାଣ୍ଡ୍‌କୁ ୧୯ଲକ୍ଷ ୧୧ ହଜାର ଟଙ୍କାରେ ନେଲା । ସିଲଭର ସିଟି ବୋଟିଂ କମ୍ପେ୍ଲକ୍ସ ପଶ୍ଚିମପାଶ୍ୱର୍ ଷ୍ଟାଣ୍ଡ୍‌-ବି’ ୧୬ଲକ୍ଷ ୭୫ହଜାର ଟଙ୍କା, ସିଲଭର ସିଟି ବୋଟିଂ କମ୍ପେ୍ଲକ୍ସ ପଶ୍ଚିମପାଶ୍ୱର୍ ଷ୍ଟାଣ୍ଡ୍‌-ସି’ ୧୨ଲକ୍ଷ ୧୫ହଜାର ଟଙ୍କାରେ ନିଲାମ ଯାଇଥିବା ସୂଚନା ମିଳିଛି । 

ତେବେ ଶୁକ୍ରବାର ଓପନ୍‌ ଟେଣ୍ଡରକୁ ନେଇ ଅନେକ ବିବାଦ ଉପୁଜିଥିଲା । ବିବାଦୀୟ ବିଡର୍‌ମାନଙ୍କୁ କାହିଁକି ସୁଯୋଗ ଦିଆଗଲା ତାକୁ ନେଇ ଅନେକ ଆପତ୍ତି ଉଠାଇଥିଲେ । ଅନ୍ୟପକ୍ଷରେ କିଛି କର୍ପୋରେଟରଙ୍କ ସମ୍ପର୍କୀୟ ଟେଣ୍ଡର ପ୍ରକ୍ରିୟାରେ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ନିଲାମ ପ୍ରକ୍ରିୟା ଚାଲୁଥିବା ସମୟରେ ହାଡ଼ିଆ ପଠାରେ ଥିବା ୨୦ହଜାର ବର୍ଗଫୁଟ୍‌ ପରିମିତ ଜମିର ଷ୍ଟାଣ୍ଡ୍‌ ଟେଣ୍ଡର ହଠାତ୍‌ ବାତିଲ୍‌ କରାଯାଇଥିଲା । ଏହାପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ସ୍ପଷ୍ଟ ହୋଇନଥିଲା । ଯାହା ଜଣାପଡ଼ିଛି ସୁପାରିସରେ ଏହି ଷ୍ଟାଣ୍ଡ୍‌ କାହାରିକୁ ଦିଆଯିବାର ରହିଛି । ଅନ୍ୟପକ୍ଷରେ ମୋଟ୍‌ ୧୧ଟି ଷ୍ଟାଣ୍ଡ୍‌ରୁ ସିଏମ୍‌ସି ୯୪ଲକ୍ଷ ଟଙ୍କା ରାଜସ୍ୱ ପାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

‘କଟକ ଇନ୍‌ କଟକ’ରେ ବାଲିଡଙ୍ଗା, ଏଲ୍‌ଇଡିରେ ଝଲସିବ ୩୫ ଫୁଟ ଉଚ୍ଚ ବାଲୁକା କଳା

  • prameyanews
  • PrameyaOdia
  • prameya
  • BaliYatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.