ନୂଆଦିଲ୍ଲୀ,୦୭/୦୪: ବ୍ରାଜିଲ ଠାରେ ଆୟୋଜିତ ବିଶ୍ୱ ବକ୍ସିଂ କପ୍ରେ ଭାରତ ମୋଟ ୬ଟି ପଦକ ସହ ଅଭିଯାନ ଶେଷ କରିଛି । ଅନ୍ତିମ ଦିବସରେ ହିତେଶ ଗୁଲିଆ ସ୍ୱର୍ଣ୍ଣ ଏବଂ ଅବିନାଶ ଜାମୱାଲ ରୌପ୍ୟ ପଦକ ଭେଟି ଦେଇଥିଲେ ।
ପୁରୁଷ ୭୦କିଲୋ ବର୍ଗ ଫାଇନାଲ୍ରେ ହିତେଶଙ୍କ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡର ଓଡେଲ କାମରା ଓହରି ଯାଇଥିଲେ । ସେ ଆହତ ଥିବାରୁ ବକ୍ସିଂ ରିଙ୍ଗ୍କୁ ଆସି ନଥିଲେ ଏବଂ ହିତେଶଙ୍କୁ ୱାକ୍ ଓଭର ମିଳିଥିଲା । ଅନ୍ୟ ପଟରେ ଅବିନାଶ (୬୫କିଲୋ) ସ୍ୱର୍ଣ୍ଣ ଲଢ଼େଇରେ ବ୍ରାଜିଲର ୟୁରି ରେଇସ୍ଙ୍କ ନିକଟରୁ ହାରି ଯାଇଥିଲେ । ପୂର୍ବରୁ ଯଦୁମଣି ସିଂହ (୫୦କିଲୋ), ମନୀଷ ରାଠୋର (୫୫କିଲୋ), ସଚିନ ସିୱାଚ (୬୦କିଲୋ) ଏବଂ ବିଶାଲ (୯୦) ନିଜ ନିଜ ବର୍ଗର ସେମି ଫାଇନାଲ୍ରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ।