ଭୁବନେଶ୍ୱର,୦୭/୦୪: ୧୮ତମ ଜାତୀୟ ଦୃଷ୍ଟିହୀନ ଚେସ୍ ଚାମ୍ପିଅନସିପରେ ଗୁଜରାଟର ପର୍ଦଣ ଇରାନୀ ଚାମ୍ପିଅନ, କର୍ଣ୍ଣାଟକର କିଷାନ ଗାଙ୍ଗୋଲି ରନର୍ସଅପ୍ ହୋଇଥିବାବେଳେ ମହାରାଷ୍ଟ୍ରର ଅର୍ଯ୍ୟନ ବି ଯୋଶୀ ତୃତୀୟ ସ୍ଥାନରେ ରହିଥିଲେ । ୯ ରାଉଣ୍ଡ ମୁକାବିଲାରୁ ଉଭୟ ଦର୍ପଣ ଓ କିଷାନ ଉଭୟ ୭.୫ ପଏଣ୍ଟ ଲେଖାଏଁ ପାଇଥିଲେ । ସେହିପରି ଯୋଶୀ ଓ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ୭ ପଏଣ୍ଟ ଲେଖାଏଁ ହାସଲ କରିଥିଲେ । ଯୋଶୀ ତୃତୀୟ ଓ ସୌନ୍ଦର୍ଯ୍ୟ ଚତୁର୍ଥ ସ୍ଥାନରେ ରହିଥିଲେ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୪ ଜଣ ଖେଳାଳି ବିଶ୍ୱ ଚାମ୍ପିଅନସିପ୍ରେ ଭାଗ ନେବାକୁ ଯୋଗ୍ୟତା ହାସଲ କରିଛନ୍ତି ।
ଅନ୍ତିମ ରାଉଣ୍ଡରେ ସୌନ୍ଦର୍ଯ୍ୟ ଉନ୍ନତ ପ୍ରଦର୍ଶନ କରି ଯୋଶୀଙ୍କୁ ପରାଜିତ କରିଥିଲେ । ସେହିପରି ସୋମେନ୍ଦରଙ୍କୁ ଗାଙ୍ଗୋଲି, ଶୁଭେନ୍ଦୁ କୁମାର ପାତ୍ରଙ୍କୁ ପର୍ଦଣ ପରାଜିତ କରିଥିଲେ । ଓଡ଼ିଶାର ପ୍ରାଚୁର୍ଯ୍ୟ କୁମାର ପ୍ରଧାନ (୬ ପଏଣ୍ଟ) ସପ୍ତମ, ଶୁଭେନ୍ଦୁ (୫.୫) ୧୩ତମ ଏବଂ ଦୀପକ କୁମାର ଭୋଇ (୪) ୩୭ତମ ସ୍ଥାନରେ ରହିଥିଲେ । ପୁରସ୍କାର ବିତରଣ ଉତ୍ସବରେ କ୍ରୀଡ଼ା ବିଭାଗର ଦୀପଙ୍କର ମହାପାତ୍ର, ସାଇ ରେସିଡେନସିଆଲ ସ୍କୁଲର ଅଧ୍ୟକ୍ଷ ଅମିତାଭ ଅଗ୍ନିହୋତ୍ରୀ ଏବଂ ଆଇଏମ୍ ଏସ. ସତ୍ୟପ୍ରଜ୍ଞ ଅତିଥି ଭାବରେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ସ୍ୱରୂପ ଚାମ୍ପିଅନଙ୍କୁ ୭୫ ହଜାର ଟଙ୍କା ଓ ଟ୍ରଫି, ରନର୍ସଅପଙ୍କୁ ୫୦ ହଜାର ଓ ଟ୍ରଫି, ତୃତୀୟ ସ୍ଥାନ ପାଇଁ ୩୫ ହଜାର ଓ ଟ୍ରଫି, ଚତୁର୍ଥ ସ୍ଥାନ ପାଇଁ ୩୦ ହଜାର ଓ ଟ୍ରଫି ଏବଂ ପଞ୍ଚମ ସ୍ଥାନ ହାସଲ କରିଥିଲା ମିଲିନ୍ଦ ସାମନ୍ତଙ୍କୁ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସେମିତି ଷଷ୍ଠରୁ ଦଶମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ଆର୍ଥିକ ପୁରସ୍କାର ମିଳିଥିଲା । ଉତ୍ସବ ଶେଷରେ ପ୍ରାଚୁର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।