ଲକ୍ଷ୍ନୌ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାକୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ଚାଲିଥିବା ବେଳେ ଏକ ଲଜ୍ଜାକର ଘଟଣା ମାନବ ସମାଜକୁ ବିସ୍ମିତ କରିଛି । ସଙ୍ଗମରେ ବୁଡ଼ ପକାଉଥିବା ମହିଳାମାନଙ୍କ ଫଟୋ ଏବଂ ସେମାନେ ପୋଷାକ ପରିବର୍ତ୍ତନ କରୁଥିବାର ସ୍ପଷ୍ଟ ଭିଡିଓ ଓ ଚିତ୍ର ସୋସିଆଲ ମିଡିଆରେ ଘୂରି ବୁଲୁଛି । ବହୁ ଅସାଧୁ ବ୍ୟକ୍ତି ଏହି ସବୁ ଫଟୋ ଓ ଭିଡିଓକୁ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ତତ୍ପରତା ପ୍ରକାଶ କରିବା ସହ ଏହି ସବୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ପ୍ରୟାଗରାଜ ପୋଲିସ ଏହି ମାମଲାରେ ୧୩ଟି ଏଫଆଇଆର ରୁଜୁ କରିଛି ଏବଂ ୧୦୩ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପବିତ୍ର ମହାକୁମ୍ଭରେ ସ୍ପାଏ କ୍ୟାମେରା ମାଧ୍ୟମରେ ସ୍ନାନ କରୁଥିବା ମହିଳାମାନଙ୍କ ଫଟୋ ଓ ଭିଡିଓ ରେକର୍ଡ କରାଯାଉଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଡିଓଗୁଡ଼ିକ ଡାର୍କ ୱେବରେ ବିକ୍ରି ହେଉଛି ଏବଂ ଫେସବୁକ୍, ଟେଲିଗ୍ରାମ ଓ ଇନଷ୍ଟାଗ୍ରାମରେ ଉପଲବ୍ଧ ଅଛି ।
ପୋଲିସ ଏଫଆଇଆର ରୁଜୁ କରିଛି ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ୭୯ ଏବଂ ୩୫୩ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି । ଅତିରିକ୍ତ ଏସପି ଅନିଲ କୁମାର କହିଛନ୍ତି ଯେ, କୁମ୍ଭମେଳାର ଭିଡିଓ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବା ପାଇଁ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ସନ୍ଦେହଘେରକୁ ଆସୁଥିବା ଲୋକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେପଟେ ଫଟୋ ଏବଂ ଭିଡିଓ ସୁଟ୍ କରୁଥିବା ଲୋକେ ସଂପୃକ୍ତ ମହିଳାଙ୍କ ପରିବାର ସଦସ୍ୟ କି ନୁହେଁ ସେନେଇ ମଧ୍ୟ ପୋଲିସ ଯାଞ୍ଚ କରୁଛି ।