ନୂଆଦିଲ୍ଲୀ – ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ୨୪ ଫେବ୍ରୁଆରୀରେ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ମହାକୁମ୍ଭରେ ଭିଡ଼କୁ ଦେଖି ପ୍ରୟାଗରାଜ ଜିଲ୍ଲାରେ ୨୪ ଫେବ୍ରୁଆରୀରେ ହେବାକୁ ଥିବା ହାଇସ୍କୁଲ ଓ ଇଣ୍ଟରମିଡିଏଟ୍ର ପରୀକ୍ଷାକୁ ବୋର୍ଡ ଆଗକୁ ଘୁଞ୍ଚାଇ ଦେଇଛି। ଏହା ସହ ବୋର୍ଡ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣ ମଧ୍ୟ କରି ଦେଇଛନ୍ତି। ୨୪ ଫେବ୍ରୁଆରୀରେ ହେବାକୁ ଥିବା ପରୀକ୍ଷା ଏବେ ୯ମାର୍ଚ୍ଚରେ ହେବ।
ୟୁପି ବୋର୍ଡ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ , ମହାକୁମ୍ଭ ସ୍ନାନର ଅନ୍ତିମ ତିଥିକୁ ଦେଖି ପ୍ରୟାଗରାଜ ଜିଲ୍ଲାରେ ୨୪ଫେବ୍ରୁଆରୀରେ ହେବାକୁ ଥିବା ହାଇସ୍କୁଲ ଓ ଇଣ୍ଟରମିଡିଏଟର ପରୀକ୍ଷାକୁ ଆଗକୁ ବଢାଇବାକୁ ଅନୁରୋଧ କରାଯାଇ ଥିଲା। ଏହି ସମ୍ୱନ୍ଧରେ ଏବେ ପ୍ରୟାଗରାଜରେ ୨୪ ଫେବ୍ରୁଆରୀରେ ହେବାକୁ ଥିବା ହାଇସ୍କୁଲ ଓ ଇଣ୍ଟରମିଡିଏଟ୍ର ପରୀକ୍ଷା କାର୍ଯ୍ୟକ୍ରମକୁ ସଂଶୋଧିତ କରାଯାଇଛି।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ପ୍ରୟାଗରାଜରେ ୨୪ଫେବ୍ରୁଆରୀରେ ହାଇସ୍କୁଲର ହିନ୍ଦୀ ପ୍ରାରମ୍ଭିକ ଓ ହେଲଥ୍ କେୟାରର ପରୀକ୍ଷା ଏବେ ୯ ମାର୍ଚ୍ଚରେ ହେବ। ଏହିପରି ଇଣ୍ଟରମିଡିଏଟ୍ ପାଇଁ ୨୪ ଫେବ୍ରଆରୀରେ ହେବାକୁ ଥିବା ସୈନ୍ୟ ବିଜ୍ଞାନ ଓ ସାମାନ୍ୟ ହିନ୍ଦୀର ପରୀକ୍ଷା ୯ ମାର୍ଚ୍ଚରେ କରାଯିବ। ଏହି ଦୁଇଟି ପରୀକ୍ଷାର ଟାଇମିଂରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, କେବଳ ତାରିଖ ଆଗକୁ ବଢାଇ ଦିଆ ଯାଇଛି।
ପ୍ରୟାଗରାଜ ବ୍ୟତୀତ ଅନ୍ୟ ଜିଲ୍ଲା ଗୁଡ଼ିକରେ ବୋର୍ଡ ପରୀକ୍ଷା ଦିଆ ଯାଇଥିବା ସିଡ୍ୟୁଲ ହିସାବରେ କରାଯିବ। ଏଥିପାଇଁ ବୋର୍ଡ ସ୍ୱତନ୍ତ୍ର ବନ୍ଦୋବସ୍ତ କରିଛି। ପୂରା ରାଜ୍ୟରେ ୮,୧୪୦ ଟି ପରୀକ୍ଷା କେନ୍ଦ୍ର ଗଠନ ହୋଇଛି। ଏଥିରେ ୫୭୬ଟି ସରକାରୀ ଓ ୩,୪୪୬ ବେସରକାରୀ ସହାୟତା ପ୍ରାପ୍ତ ଓ ୪,୧୧୮ ସେଲ୍ଫ ଫାଇନାନ୍ସଡ୍ ସ୍କୁଲ ସାମିଲ ଅଛି। ଏଥିରୁ ୩୦୬ଟି ପରୀକ୍ଷା କେନ୍ଦ୍ରକୁ ଅତିସମ୍ୱେଦନଶୀଳ ଓ ୬୯୨କୁ ସମ୍ୱେଦନଶୀଳ ଘୋଷିତ କରାଯାଇଛି। ଏହା ଉପରେ ନଜର ରଖିବା ପାଇଁ କଣ୍ଟ୍ରୋଲ ରୁମ୍ ମଧ୍ୟ ଗଠନ କରାଯାଇଛି , ଯେଉଁଠାରୁ ଅନଲାଇନ୍ ସବୁ କେନ୍ଦ୍ର ଉପରେ ନଜର ରଖାଯାଇ ପାରିବ।