ନୂଆଦିଲ୍ଲୀ, ୨୨/୦୨ : ଦିଲ୍ଲୀରେ ନୂଆ ସରକାର ଗଠନ ହେବାପରେ ଆସନ୍ତା ୨୪ରୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ତାହା ଫେବ୍ରୁଆରୀ ୨୭ ଯାଏ ଚାଲିବ । ଏହି ଅବଧି ମଧ୍ୟରେ ୩ଟି କାର୍ଯ୍ୟଦିବସ ପଡି଼ବ । ୨୬ ତାରିଖରେ ଶିବରାତ୍ରୀ ଲାଗି ଛୁଟି ରହିବ । ବାଚସ୍ପତି ପଦ ଲାଗି ଆଶାୟୀ ଥିବା ବିଜେନ୍ଦ୍ର ଗୁପ୍ତା ଆଜି କହିଛନ୍ତି, ଅରବିନ୍ଦର ସିଂହ ଲଭ୍ଲିଙ୍କୁ କାମଚଳା ବାଚସ୍ପତି କରାଯିବ । ୨୪ ତାରିଖରେ ନବନିର୍ବାଚିତ ୭୦ ବିଧାୟକ ଶପଥ ନେବେ । ଏହାପରେ ବାଚସ୍ପତି ଓ ଉପବାଚସ୍ପତିଙ୍କୁ ଚୟନ କରାଯିବ । ୨୫ ତାରିଖରେ ସରକାର ସିଏଜି ରିପୋର୍ଟ ଆଗତ କରିବେ ।
ସେପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନକ ପରେ ରେଖା ଗୁପ୍ତା ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଓ ତାଙ୍କ ମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ଷ୍ଟାଫଙ୍କୁ ହଟାଇ ଦେଇଛନ୍ତି । ଏହାଛଡ଼ା ଆତିଶୀ ସରକାର ଯେଉଁ ଅଧିକାରୀକର୍ମଚାରୀମାନଙ୍କୁ ଅନ୍ୟତ୍ର ନିଯୁକ୍ତ କରିଥିଲେ ସେମାନଙ୍କୁ ତୁରନ୍ତ ମୂଳ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୁକ୍ରବାର ସଚିବାଳୟରେ ପହଞ୍ଚି ମନ୍ତ୍ରୀ- ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ । ସେଥିରେ ଦିଲ୍ଲୀ ଜଳ ବୋର୍ଡ, ପୂର୍ତ୍ତ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଡକାଯାଇଥିଲା । ବୈଠକରେ ଖରାପ ରାସ୍ତା, ପାଣି ଓ ମୋହଲ୍ଲା କ୍ଲିନିକ୍କୁ ନବୀକରଣ କରିବା ନେଇ ଚର୍ଚ୍ଚା ହୋଇଥିଲା । ପରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ସାକ୍ଷାତ କରିଥିଲେ । ଶପଥ ନେବାପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ସେ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଉପରେ ମୋହର ଲଗାଇଥିଲେ ।
ଏହି ଖବରଟିକୁ ପଢନ୍ତୁ-BBC କାର୍ଯ୍ୟାଳୟ ଉପରେ ଚଢଉ କଲା ଇଡି; ଲଗାଇଲା ମୋଟା ଅଙ୍କର ଜରିମାନା