ଭୁବନେଶ୍ୱର,୧୩/୦୨: ରାଜ୍ୟରେ ଅସହ୍ୟ ତାତି। କଲବଲ କଲାଣି ଖରା। ବୁଧବାର ଝାରସୁଗୁଡ଼ାରେ ୩୭ ଡିଗ୍ରୀ ସେଲସିୟସ୍, ଭୁବନେଶ୍ବରରେ ୩୪ ଡିଗ୍ରୀ ଡେଇଁଲା ତାପମାତ୍ରା। ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରେ ପ୍ରଚଣ୍ଡ ଖରାକୁ ନେଇ ଚିନ୍ତାରେ ଜନସାଧାରଣ। ଆସନ୍ତା ୪ ଦିନ ରାତିରେ ପାରଦ ୫ ଡିଗ୍ରୀ ତଳକୁ ଖସିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାଫଳରେ କିଛି ସ୍ଥାନରେ ସାମାନ୍ୟ ଶୀତ ଅନୁଭବ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ଚଳିତବର୍ଷ ପାଇଁ ରାଜ୍ୟରେ ପ୍ରଥମଥର ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି । ଝାରସୁଗୁଡ଼ାରେ ବୁଧବାର ଏହି ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି ।
ସୋମବାର ଦିନ ୨ଟା ୩୦ ବେଳକୁ ଝାରସୁଗୁଡ଼ାର ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଥିଲା । ମଙ୍ଗଳବାର ଏହି ସମୟ ସୁଦ୍ଧା ତାପମାତ୍ରା ୩୬ ଡିଗ୍ରୀ ଡେଇଁ ଯାଇଥିଲା । ମଙ୍ଗଳବାର ଝାରସୁଗୁଡ଼ା ପରେ ଭଦ୍ରକରେ ଦିନ ତାପମାତ୍ରା ସର୍ବାଧିକ ୩୬.୨ ଡିଗ୍ରୀ ରେକର୍ଡ ହୋଇଛି । ବଲାଙ୍ଗୀରରେ ୩୬, ଅନୁଗୁଳରେ ୩୫.୭, ଭବାନୀପାଟଣା ଓ ଟିଟିଲାଗଡ଼ରେ ୩୫.୫, ସୋନପୁରରେ ୩୫.୩, ମାଲକାନଗିରି ଓ ବରଗଡ଼ରେ ୩୫.୨, ଭୁବନେଶ୍ୱରରେ ୩୪.୮ ଓ କଟକରେ ଦିନ ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ ହୋଇଛି ।
ସେହିଭଳି ଫେବ୍ରୁଆରୀ ପ୍ରଥମ ସପ୍ତାହ ପରେ ବୁଧବାର ଦ୍ୱିତୀୟ ସପ୍ତାହରେ ରାଜଧାନୀ ତାତି ପୁଣି ୩୪ ଡିଗ୍ରୀ ପାର୍ କରିଛି । ରାତିରେ ରାଉରକେଲାରେ ପାରଦ ସବୁଠୁ କମ୍ ବା ୧୩.୧ ଡିଗ୍ରୀ ରେକର୍ଡ ହୋଇଥିଲା । କୋରାପୁଟରେ ୧୪.୫, ଝାରସୁଗୁଡ଼ାରେ ୧୫.୬, ସୁନ୍ଦରଗଡ଼ରେ ୧୬.୩, ଓ ଅନୁଗୁଳରେ ୧୭ ଡିଗ୍ରୀ ରହିଥିଲା ।