ଭୁବନେଶ୍ୱର,୦୭/୦୨: କମିବ ରାତି ତାପମାତ୍ରା । ଶୁକ୍ରବାର ରାତିରୁ ପରବର୍ତ୍ତୀ ୩ ଦିନ ଭିତରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିବା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ରାଜ୍ୟରେ ଦୁଇଦିନ ପରେ ଦିନ ତାପମାତ୍ରା ମଧ୍ୟ ସାମାନ୍ୟ କମିବା ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୮ ତାରିଖରୁ କୁହୁଡ଼ି ପ୍ରଭାବ କମିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଜାରି କରିଛି ।
ରାଜ୍ୟରେ ବର୍ତ୍ତମାନ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ପ୍ରାୟତଃ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ଉପରେ ଅଛି । ଗୁରୁବାର ୪ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା । ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡିଗ୍ରୀ, ମାଲକାନଗିରିରେ ୩୫, ଝାରସୁଗୁଡ଼ାରେ ୩୫, ଅନୁଗୁଳରେ ୩୫.୧ ଡିଗ୍ରୀ ଥିଲା । ବରଗଡ଼ ତାପମାତ୍ରା ୩୪.୫, ସମ୍ବଲପୁର ୩୪, ସୁନ୍ଦରଗଡ଼ ୩୪, ବଲାଙ୍ଗୀର ୩୩.୯ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ରାତି ତାପମାତ୍ରା ଉପକୂଳ ଓଡ଼ିଶାରେ ୨୨ରୁ ୨୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ୧୮ରୁ ୨୦ ଡିଗ୍ରୀ ପାଖାପାଖି ଅଛି ରାତିର ତାପମାତ୍ରା ।
ପାଣିପାଗ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ଗୁରୁଚାପ ବଳୟ ଦୁର୍ବଳ ହେବା ସହ ଉତ୍ତର-ପଶ୍ଚିମରୁ ପବନ ଆସିବ । ଏହା ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ଖସିପାରେ । ଉପକୂଳରେ ତାପମାତ୍ରା କମିଲେ ବି ଥଣ୍ଡା ବେଶି ବଢ଼ିନପାରେ । ଏପଟେ ଭୁବନେଶ୍ୱର ସମେତ ଅନେକ ଅଞ୍ଚଳରେ ଘନ କୁହୁଡ଼ି ପ୍ରଭାବ ଗୁରୁବାର ସକାଳେ ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ୧୦୦ ମିଟର ଆଗକୁ କିଛି ଦିଶୁନଥିଲା ସକାଳେ । ଭାରତୀୟ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ ଲଗାତାର ୧୮ ଦିନ ଧରି ଓଡ଼ିଶାରେ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିଛି । ବିଗତ କିଛି ବର୍ଷ ଭିତରେ ଏଭଳି ଲମ୍ବା ଅବଧି ଧରି କେବେ କୁହୁଡ଼ି ନଥିଲା । ଗୁରୁଚାପ ବଳୟ ଯୋଗୁ ଉପକୂଳ ଓଡ଼ିଶାରେ ଏଭଳି ଘନ କୁହୁଡ଼ି ରହୁଛି । ପାଣିପାଗ ବିଭାଗ କହିଛି, ଶୁକ୍ରବାର ସକାଳେ ନୟାଗଡ଼, କଟକ, ଖୋର୍ଦ୍ଧା, ଗଞ୍ଜାମରେ ଘନ କୁହୁଡ଼ି ସମ୍ଭାବନା ଅଛି । ଏହାବାଦ୍ ପୁରୀ, ଗଜପତି, କଳାହାଣ୍ଡି, କନ୍ଧମାଳରେ ବି ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।