କଳାହାଣ୍ଡି ୧୦/୦୯: ନର୍ଲା ଥାନା ମୁଣ୍ଡା ଗାଆଁରେ ଅଭାବନୀୟ ଘଟଣା । ଜଣେ ପୂଜକଙ୍କୁ ୪ଜଣ ଦୁର୍ବୃତ୍ତ ଚାପଡ଼ରେ ଆକ୍ରମଣ କରିଛି । ଗୁରୁତର ଅବସ୍ଥାରେ ପୂଜକଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ନର୍ଲା ଥାନାରେ ଅଭିଯୋଗ ହୋଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ପ୍ରାୟ ୧୧ଟା ବେଳେ ନର୍ଲା ଥାନା ଅନ୍ତର୍ଗତ ମୁଣ୍ଡା ଗାଆଁର ତାରିଣୀ ପୂଜକ ସୁଶାନ୍ତ ଠାକୁର (୪୦) ନିଜ ସ୍ତ୍ରୀ ସହିତ ସ୍କୁଲକୁ ନିଜ ପୁଅ ଝିଅକୁ ଆଣିବା ପାଇଁ ଯାଉଥିଲେ । ଏହି ସମୟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ୪ଜଣ ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ। ମଝି ରାସ୍ତାରେ ଏକ ଚାପଡ ସାହାଯ୍ୟରେ ପୂଜକଙ୍କୁ ମୁଣ୍ଡକୁ ହାଣିଥିଲେ। ଆକ୍ରମଣରେ ପୂଜକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ୍ ମାରିଥିଲେ। ଘଟଣାସ୍ଥଳରେ ନର୍ଲା ଥାନା ଅଧିକାରୀଙ୍କ ତଦନ୍ତ ଜାରି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଛାନ୍ଭିନ୍ ଆରମ୍ଭ କରିଥିବା ଜଣାପଡିଛି।