ଭୁବନେଶ୍ବର,୧୮।୧ : ଗାଡିର ବୀମା ନ ଥିଲେ ସ୍ବୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲଗେଟ୍। ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରିହେବ ଇ-ଚାଲାଣ। ଆସନ୍ତା ଫେବୃୟାରୀ ପହିଲାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲଗେଟରେ ଏହା କାର୍ଯ୍ୟକାରୀ ହେବ। ବୀମା ନ ଥାଇ ଗାଡି ଚଳାଚଳ କରୁଥିବା ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ମୋଟର ଯାନ ଆଇନର ଧାରା ୧୪୬ ଅନୁଯାୟୀ ପ୍ରତ୍ୟେକ ମୋଟର ଯାନ ବୀମାଭୁକ୍ତ ହେବା ବାଧ୍ୟତାମୂଳକ। ଏହାର ଉଲ୍ଲଘଂନ କଲେ ଧାରା ୧୯୬ ଅନୁଯାୟୀ ୨ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ସେହିଭଳି ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ଅଛି।
ଅନେକ ଗାଡି ନିୟମ ଉଲ୍ଲଂଘନ କରି ବୀମା କରୁ ନାହାନ୍ତି। ଫଳରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପାମୂଳକ ବୀମା ରାଶି ପାଇବାକୁ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ଆୟକ୍ତ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଇ-ଡିଟେକ୍ସନରେ ପରମିଟ, ଫିଟନେସ, ଟିକସ ନିୟମ ଉଲ୍ଳଂଘନକାରୀଙ୍କୁ ଟୋଲଗେଟରେ ଚିହ୍ନଟ କରାଯାଉଥିଲା। ଏବେ ବୀମା ନିୟମ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ଚିହ୍ନଟ କରାଯିବ।