ଭୁବନେଶ୍ୱର, ୦୫/୦୨ : ଆଇଏଏସ୍ ବାବୁମାନେ ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ । ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ । ସ୍କୁଲରେ ମଧ୍ୟାହ୍ନଭୋଜନ ହେଉ ଅବା ଆହାର କେନ୍ଦ୍ରରେ ନିଶ୍ଚୟ ଖାଇବେ । ଖାଦ୍ୟର ମାନ ପରଖିବେ । ରାତି କାଟିବେ । ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀଙ୍କ ସହ ଖୋଲା ଆଲୋଚନା କରିବେ । ଭଲମନ୍ଦ ପଚାରି ବୁଝିବେ । ସରକାରଙ୍କ ପକ୍ଷରୁ ସଚିବମାନଙ୍କୁ ଏମିତି ଜାରି ହୋଇଛି ନିର୍ଦ୍ଦେଶ ।
ନୂଆ ସରକାର ଆସିବା ପରେ ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାକୁ ବିଭାଗୀୟ ସଚିବମାନେ ଜିଲ୍ଲା ଗସ୍ତରେ ଯିବାକୁ ନିଷ୍ପତ୍ତି ହେଲା । ଏପରିକି ମନ୍ତ୍ରୀମାନଙ୍କୁ ମଧ୍ୟ ଦୁଇଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଗଲା । ମାତ୍ର ସରକାରୀ ନିର୍ଦ୍ଦେଶ କାଟୁ କଲାନି । ଅଧିକାଂଶ ଜିଲ୍ଲାକୁ ବାବୁମାନେ ଆଦୌ ଯାଇନାହାନ୍ତି । ଏହା ଗଣମାଧ୍ୟମରେ ଚର୍ଚ୍ଚା ପରେ ଏବେ ଉନ୍ନୟନ କମିଶନର ପୁଣି ଜାରି କରିଛନ୍ତି ନିର୍ଦ୍ଦେଶନାମା । ବିଭାଗୀୟ ବାବୁମାନେ ପଞ୍ଚାୟତକୁ ଯିବେ । ଯୋଜନାର ତଦାରଖ କରିବେ । ଅପହଞ୍ଚ ଓ ଆଦିବାସୀ ଅଞ୍ଚଳକୁ ଯାଇ ବିକାଶ କାମ କେଉଁଠି ପହଞ୍ଚିଛି, ତାକୁ ଦେଖିବେ । ସରକାରୀ ଯୋଜନାରେ ଲୋକେ ମୌଳିକ ସୁବିଧା ପାଉଛନ୍ତି ନା’ ବଞ୍ଚିତ ଅଛନ୍ତି, ପଚାରି ବୁଝିବେ । ଅନାଥାଶ୍ରମ କିମ୍ବା ଆହାର କେନ୍ଦ୍ରରେ ବାବୁ ମଧ୍ୟାହ୍ନଭୋଜନ ଖାଇବେ । ଯାଞ୍ଚ କରିବେ ଖାଦ୍ୟର ଗୁଣବତ୍ତା । ପରିଷ୍କାର, ପରିଚ୍ଛନ୍ନତା ଓ ସୁରକ୍ଷା ଦିଗକୁ ପରଖିବେ । କାର୍ଯ୍ୟକାରୀ ହେଉଥିବା ଯୋଜନାର ଟିକିନିଖି ସମୀକ୍ଷା ହେବ । ଅଭିଯୋଗ ଶୁଣାଣିରେ କେତେ ସମାଧାନ ହୋଇଛି ତାହାକୁ ମଧ୍ୟ ଯାଞ୍ଚ କରିବେ ସଚିବ ।
ଜୁନ୍ରୁ ଜାନୁଆରୀ ୮ ମାସ ବିତିଲାଣି । ବିକଶିତ ଓଡ଼ିଶା ଗଠନ ପାଇଁ ଡବଲ ଇଞ୍ଜିନ ସରକାର ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ମଧ୍ୟ ନେଇଛନ୍ତି । ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ସାଧାରଣ ଲୋକଙ୍କ ସହ ଶାସନକୁ ଯୋଡ଼ିବାକୁ ଅମଲାମାନେ ଲୋକଙ୍କ ପାଖକୁ ଯିବାର ଢେର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ନେଇ ବିସ୍ତୃତ ଗାଇଡଲାଇନ୍ ଆସିଛି । ବରିଷ୍ଠ ଅଧିକାରୀଙ୍କ ଭିତରେ ୩୦ ଜିଲ୍ଲା ବଣ୍ଟାଯାଇଛି । ସରକାର ପରାମର୍ଶ ଦେଇଛନ୍ତି, ୧୬ଜିଲ୍ଲାରେ ଥିବା ୨୯ଟି ଆକାଂକ୍ଷୀ ବ୍ଲକ୍ ବୁଲିବେ ବରିଷ୍ଠ ଅଧିକାରୀ । ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ର ୮ଟି ଡିଏମ୍ଏଫ୍ ଜିଲ୍ଲାରେ ଖଣିଜ ପାଣ୍ଠି ଓ ଓମ୍ବାଡ୍ସି ପାଣ୍ଠିର କିଭଳି ବିନିଯୋଗ ହୋଇଛି, ତା’ର ସମୀକ୍ଷା କରିବେ । ଜିଲ୍ଲାର ବନ୍ଦର, ବିମାନବନ୍ଦର, ଶିଳ୍ପପାର୍କ, ମେଡିକାଲ କଲେଜ ଓ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ ।
ଜିଲ୍ଲା ବୁଲିବା ସମୟରେ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଯାହାସବୁ ସମସ୍ୟା ଥିବା ତାକୁ କେମିତି ହଟେଇ ବିକାଶ ଆଗକୁ ଯିବ ସେ ନେଇ ବାବୁମାନେ ପରାମର୍ଶ ଦେବେ । ଜିଲ୍ଲାରୁ ଫେରି ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଫେବ୍ରୁଆରୀ ଓ ମାର୍ଚ୍ଚ ମାସ ପାଇଁ ବରିଷ୍ଠ ଅଧିକାରୀ ଦେଓରଂଜନ କୁମାର ସିଂଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସୁରେନ୍ଦ୍ର କୁମାରଙ୍କୁ ଯାଜପୁର, ଜି ମାଥିଭାଥନନ୍ଙ୍କୁ ବଲାଙ୍ଗୀର, ହେମନ୍ତ ଶର୍ମା ସମ୍ବଲପୁର, ଡ. ଅରବିନ୍ଦ ପାଢ଼ୀ ପୁରୀ, ଚିତ୍ରା ଅରୁମୁଗମ୍ ଖୋର୍ଦ୍ଧା, ଶାଶ୍ୱତ ମିଶ୍ର ଢେଙ୍କାନାଳ, ସଂଜୟ କୁମାର ସିଂହ ନୟାଗଡ଼, ସୁରେଶ ବଶିଷ୍ଠ ମୟୂରଭଞ୍ଜ, ଶୁଭା ଶର୍ମା ମାଲକାନଗିରି, ଉଷା ପାଢ଼ୀ ଭଦ୍ରକ, ବଲୱନ୍ତ ସିଂହ କେନ୍ଦୁଝର, ଶାଳିନୀ ପଣ୍ଡିତ କଟକ, ଅରବିନ୍ଦ ଅଗ୍ରୱାଲ ରାୟଗଡ଼ା, ଗିରୀଶ ଏସ୍ଏନ୍ କଳାହାଣ୍ଡି, ଭାସ୍କରଜ୍ୟୋତି ଶର୍ମା ସୁନ୍ଦରଗଡ଼ ଏବଂ ଭୂପେନ୍ଦ୍ର ଏସ୍ ପୁନିଆଙ୍କୁ ଅନୁଗୁଳ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଅନ୍ୟ ଜିଲ୍ଲା ଦାୟିତ୍ୱ ମଧ୍ୟ ବରିଷ୍ଠ ବାବୁମାନଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି ସରକାର ।