ଭୁବନେଶ୍ୱର, ୦୫/୦୨ : ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ବସିଲା ପ୍ରସ୍ତୁତି ବୈଠକ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ-୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ (୧୦ମ) ପରୀକ୍ଷା-୨୦୨୫ ନିମନ୍ତେ ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ ।
ଚଳିତ ବର୍ଷ ଯୁକ୍ତ-୨ କଳାରେ ମୋଟ ୨ ଲକ୍ଷ୪୭ ହଜାର ୩୯୧, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬, ଧନ୍ଦାମୂଳକ ପରୀକ୍ଷାରେ ୫୭୨୧ ଏହିପରି ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷା ଦେବେ । ଏଥିପାଇଁ ମୋଟ ୨୦୫ଟି ପରୀକ୍ଷା ପରିଚାଳନା ହବ୍ ହେବା ସହ ୧୨୭୬ ଜଣ କେନ୍ଦ୍ରରେ ପରୀକ୍ଷା କରାଯିବ । ସେହିପରି ମାଟ୍ରିକ ପରୀକ୍ଷାରେ ୫ଲକ୍ଷ ୧୦ ହଜାର ୭୭୮, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୭୭୬୬, ମଧ୍ୟମାରେ ୩୭୯୨ ଏହିପରି ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ମୋଟ ୩୧୩୩ଟି କେନ୍ଦ୍ର କରାଯିବ। ପରୀକ୍ଷା କେନ୍ଦ୍ରରେ ପୁଲିସ ମୁତୟନ ଓ ସିସିଟିଭି ବ୍ୟବସ୍ଥା କରାଯିବ । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ପ୍ରବେଶ କଟକଣା ରହିଛି । ଜିଲ୍ଲାରେ ଏଡିଏମ୍ ପାହ୍ୟାର ଜଣେ ଅଧିକାରୀ ନୋଡାଲ ଅଧିକାରୀ ରହିବେ ।
ଏହି ଖବରଟିକୁ ପଢନ୍ତୁ-ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ, ରୋଡ୍ ଉପରକୁ ମାଡ଼ିଗଲା ୩ ବଗି
ଏହି ବୈଠକ ପରେ ସିଏଚ୍ଏସ୍ଇ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ କହିଥିଲେ ଯେ, କପି ରୋକିବାକୁ ୫ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ହେବ । ସେହିପରି ପ୍ରଶ୍ନପତ୍ର ଲିକ୍ କିମ୍ୱା ଗୁଜବ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟରେ ୩୫ ସ୍ଥାନରେ ସେଣ୍ଟ୍ରାଲ ସ୍କ୍ୱାଡ୍ ରହିବେ । ପରୀକ୍ଷା ଦିନ ୧୦ରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ଆଉ ଏକ ଘଣ୍ଟା ଅଧିକ ମିଳିବ । ପରୀକ୍ଷାର ଦେଢ଼ ଘଣ୍ଟା ଆଗରୁ ଅର୍ଥାତ ୮ଟା ୩୦ରୁ ପରୀକ୍ଷା ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ତେବେ ଏଥର ୧୦ ମାର୍କ ବଦଳରେ ୫ ମାର୍କର ପ୍ରଶ୍ନ ପଡ଼ିବ । ୪୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ କରାଯିବାକୁ ଲକ୍ଷ୍ୟ ରହିଥିବା ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ।