ମୁମ୍ବାଇ,୦୪/୦୨: ଦିନକ ପୂର୍ବରୁ ପୁଣେରେ ଲାଇଭ୍ କନସର୍ଟ ସମୟରେ ବିଗିଡିଥିଲା ସୋନୁ ନିଗମଙ୍କ ସ୍ୱାସ୍ଥ୍ୟ । ଯେଉଁଥିରେ ସେ ହଠାତ୍ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏନେଇ ସୋନୁ ନିଗମ ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାର ଦିନକ ପରେ ତାଙ୍କୁ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଭବନ ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ନୂତନ ଭାବରେ ଉଦ୍ଘାଟିତ ଓପନ୍ ଏୟାର ଥିଏଟରରେ ସେ ସଙ୍ଗୀତ ପରିବେଷଣ କରିଛନ୍ତି। ଏନେଇ ରାଷ୍ଟ୍ରପତି ଭବନର ସୋସିଆଲ ମିଡି଼ଆ ଆକାଉଣ୍ଟରୁ ଏହି କାର୍ଯ୍ୟକ୍ରମର ଅନେକ ଫଟୋ ସେୟାର ହୋଇଛି।
ତେବେ ସୋନୁ ନିଗମ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ନେଇ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଇଲେ , ଯେଉଁଥିରେ ସେ ଯନ୍ତ୍ରଣାରେ ଥିବାର ଦେଖିବାକୁ ମିଳିଛି । ଏହା ପରେ ସେ ବିଛଣାରେ ଶୋଇ କହିଛନ୍ତି, 'ଏହା ମୋ ଜୀବନର ଏକ ବହୁତ କଷ୍ଟକର ଦିନ ଥିଲା, ଶୋ' କରିବା ସମୟରେ ମୁଁ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲି । ତଥାପି, ମୁଁ କୌଣସି ପ୍ରକାରେ ଏହାକୁ ସମ୍ଭାଳିଲି ଏବଂ ମୋ କନସର୍ଟ ଶେଷ କରିଲି । ଏଥିସହ ସୋନୁ ଏହି ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ମା ସରସ୍ୱତୀଙ୍କ ଆଶୀର୍ବାଦ ମୋ ସହ ଥିଲା, ଯାହା ଯୋଗୁଁ ମୁଁ ଏସବୁ କରିପାରିଲି ।' ଗାୟକ ସୋନୁ ନିଗମଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଦେଖି ଫ୍ୟାନ୍ସ ଚିନ୍ତିତ ହୋଇଛନ୍ତି । ପୋଷ୍ଟର ମନ୍ତବ୍ୟ ଦେଇ ଫ୍ୟାନ୍ସ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଜଣେ ଲେଖିଛନ୍ତି, ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ସୋନୁ ଜୀ, ତୁମେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ।