ଭୁବନେଶ୍ବର, ୨୦/୨ : ନାଗ ନାଗୁଣୀ ଛନ୍ଦି ହେଇଗଲେ ଜାଲ ଭିତରେ । ଯେତେ ଚେଷ୍ଟା କରି ଆଉ ନାଗୁଣୀ ଜାଲରୁ ମୁକୁଳି ପାରିଲା ନାହିଁ । ନାଗ କିନ୍ତୁ ନାଗୁଣୀକୁ ଏକୁଟିଆ ଛାଡି ଚାଲି ଗଲା ନାହିଁ । ସେଇ ଜାଲ ପାଖା ପାଖି ଲୁଚି ରହିଲା । ଯେତେବେଳେ ବି ସେଇ ଜାଲ ପାଖରେ ମଣିଷ ଏବଂ ଗୃହପାଳିତ ପଶୁଙ୍କ ଯାତାୟାତ ବନ୍ଦ ରହିଲା, ନାଗ ନିଜର ଲୁଚିଥିବା ସ୍ଥାନରୁ ବାହାରି ଆସି ନାଗୁଣୀକୁ ପ୍ରେମ ନିବେଦନ କରିବାରେ ଲାଗିଲା । ନାଗୁଣୀ ମୁହଁ ରେ ମୁହଁ ଘଷି ତାକୁ ନିଜ ପ୍ରତି ଆକୃଷ୍ଟ କରିବାରେ ଚେଷ୍ଟା କରୁଥାଏ ନାଗ, ହେଲେ ମିଳନ କରିବାରେ ସଫଳତା ମିଳପାରିନଥିଲା । କାରଣ ନାଗୁଣୀର ବେକ ଛନ୍ଦି ହୋଇ ରହିଥିଲା ପ୍ଲାଷ୍ଟିକ ଜାଲ । ଜାଲରୁ ମୁକୁଳିବା ପାଇଁ ଚେଷ୍ଟା କରି କରି ଥକି ଯାଇଥିଲା ନାଗୁଣୀ । ନାଗର ପ୍ରେମ ନିବେଦନ କଣ ଗ୍ରହଣ କରିବ, ବରଂ ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ନିଶ୍ଚିତ ମୃତ୍ୟୁ କୁ ଅପେକ୍ଷା କରି ରହିଥିଲା ନାଗୁଣୀ ।
ଏଇ ଘଟଣାଟି ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଜୟରାମପୁର ଗ୍ରାମର ବିଜୟ ନାୟକଙ୍କ ଖଳା ବାଡ଼ିରେ । ଖଳା ବାଡ଼ିରେ ଗୋରୁ ଗାଈ ନ ପଶିବା ପାଇଁ ବିଜୟ ଏକ ପ୍ଲାଷ୍ଟିକ ଜାଲ ଘେରେଇ ଥିଲେ । ଗତକାଲି ସକାଳେ ସେଇ ଜାଲରେ ପ୍ରାୟ ୪ଫୁଟ ଲମ୍ବର ଏକ ହଳଦିଆ ରଙ୍ଗର ନାଗ ସାପ ଫସି ଥିବାର ଦେଖିବାକୁ ପାଇଥିଲେ ବିଜୟଙ୍କ ଘର ଲୋକେ । ପ୍ରଥମେ ସେମାନେ ଭାବିଥିଲେ ନାଗଟି ନିଜେ ନିଜେ ସେଇ ଜାଲରୁ ମୁକୁଳି ଯିବ । ହେଲେ କିଛି ସମୟ ପରେ ଆଉ ଗୋଟିଏ ବଡ ନାଗ ସାପ ଆସି ସେଇ ଜାଲ-ବନ୍ଦୀ ନାଗ ସାପ ପାଖରେ ବୁଲିବାକୁ ଲାଗିଲା ଏବଂ ତା ମୁହଁରେ ମୁହଁ ଘଷିବାକୁ ଲାଗିଲା । ଏକାଥରେ ଦୁଇ ଦୁଇଟି ନାଗ ସାପଙ୍କୁ ଦେଖି ଭୟଭୀତ ହୋଇଥିଲେ ବିଜୟଙ୍କ ପରିବାର । ତେବେ କେହି ଲୋକ ସେଇ ପାଖକୁ ଗଲା ବେଳେ ବଡ଼ ନାଗ ସାପଟି ସେଠାରୁ ଚାଲି ଯାଇ କେଉଁଠି ଲୁଚି ଯାଉଥିଲା । ପୁଣି ସେଇ ସ୍ଥାନ ନିଶବ୍ଦ ହେବା ପରେ, କେଉଁଠୁ ଆସି ପୁଣି ବନ୍ଦୀ ନାଗ ପାଖରେ ହାଜିର୍ ହେଇ ଯାଉଥିଲା । ଏଇଭଳି ନାଗ ସାପଟି ବନ୍ଦୀ ନାଗ ସାପ ପାଖକୁ ଆସିବା ଏବଂ ଲୋକଙ୍କୁ ଦେଖିଲେ ପଳେଇବା ଭଳି ଛକା ପଞ୍ଝା ଗତକାଲି ପୁରା ଦିନ ଯାକ ଲାଗି ରହିଥିଲା ।
ଆଜି ସକାଳୁ ମଧ୍ୟ ସମାନ ଦୃଶ୍ୟ ଦେଖି ବିଜୟ ବାଧ୍ୟ ହୋଇ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଉଭୟ ସାପଙ୍କୁ କିଛି କ୍ଷଣ ନିରୀକ୍ଷଣ କରିବା ପରେ ସାପ ଦୁଇଟି ମାଈ ଏବଂ ଅଣ୍ଡିରା ହେବା ସହ ମିଳନ ପାଇଁ ଉଦ୍ୟମ କରୁଥିବା ଜାଣିବାକୁ ପାଇଥିଲେ । ସୁଶାନ୍ତ ଦୁଇ ସାପଙ୍କ ଗତିବିଧିର କିଛି ଫଟୋ ଏବଂ ଭିଡ଼ିଓ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇଥିଲେ । ଶୁଭେନ୍ଦୁ ମଲ୍ଲିକ ସାପ ଦୁଇଟି ଉଦ୍ଧାର କରିବା ପରେ ଯଥା ଶୀଘ୍ର ସମ୍ଭବ ଗୋଟିଏ ସ୍ଥାନରେ ଛାଡ଼ିବା ପାଇଁ ସୁଶାନ୍ତଙ୍କୁ ପରାମର୍ଶ ଦେଇଥିଲେ ।
ସୁଶାନ୍ତ ପ୍ରଥମେ ବନ୍ଧନ ହୋଇନଥିବା ଅଣ୍ଡିରା ନାଗ ସାପଟିକୁ ଉଦ୍ଧାର କରିବା ପରେ, ଜାଲକୁ କାଟି ମାଈ ସାପଟିକୁ ବନ୍ଧନ ମୁକ୍ତ କରିଥିଲେ । ମାଈ ସାପଟି ଦେହରେ କୌଣସି କ୍ଷତ ଦେଖିବାକୁ ପାଇ ନଥିଲେ ସୁଶାନ୍ତ । ତେଣୁ, ଗାଁଠାରୁ ଅନତି ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଗୋଟିଏ ଯାଗାରେ ସାପ ଦୁଇଟିକୁ ଛାଡି ଦେଇଥିଲେ ସୁଶାନ୍ତ । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ନାଗ ସାପ ମାନଙ୍କର ଏବେ ମେଟିଂ ସିଜିନ ଚାଲିଛି । ତେଣୁ, ଏଇ ସମୟରେ ଗୋଟିଏ ସ୍ଥାନରେ ଦୁଇଟି ବା ତତ୍ତୋଧିକ ନାଗ ସାପ ଦେଖା ଯିବା ଏକ ସାଧାରଣ ଘଟଣା ମାର୍ଚ୍ଚ ରୁ ଏପ୍ରିଲ ଭିତରେ ନାଗୁଣୀ ଅଣ୍ଡା ଦେଇଥାଏ । ଅଣ୍ଡା ଦେବାର ପ୍ରାୟ ୬୦ ଦିନ ଭିତରେ ଅଣ୍ଡା ଗୁଡ଼ିକ ଛୁଆ ଫୁଟିଥାଏ