ମାଲକାନଗିରି,୧୩/୨ : ପ୍ରଥମ ଥର କରି ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ସହ ସମୀକ୍ଷା କରି ରାତ୍ର ଯାପନ କଲେ ଉପଜିଲ୍ଲାପାଳ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଥିବା ସ୍ଵାଭିମାନ ଅଞ୍ଚଳ ଯାହା କି ପୂର୍ବରୁ ବିଛିନ୍ନାଞ୍ଚଳ ଓ ମାଓ ଗଡ଼ ଭାବେ ପରିଚିତ ଥିବାବେଳେ ଏଠାକୁ ଯିବାକୁ ହେଲେ ଅଧିକାରୀ ଓ ରାଜନେତାଙ୍କୁ ପୋଲିସର ସହାୟତା ନେବାକୁ ପଡୁଥିଲା ।
ଯନ୍ତ୍ରୀ, ଅଣ୍ଡ୍ରାପାଲି, ଯୋଡ଼ାମ୍ବ ଭଳି ଅନେକ ପଞ୍ଚାୟତ ସମ୍ପୂର୍ଣ୍ଣ ରୂପେ ମାଓଗଡ଼ ଭାବେ ପରିଚିତ ଥିଲାବେଳେ ଏଠାକୁ ଯିବାକୁ ହେଲେ ବିଗତ ଦିନରେ କେବଳ ଜଳ ପଥ ହିଁ ଏକମାତ୍ର ମାଧ୍ୟମ ଥିଲା । ବୋଟ କିମ୍ବା ଲଞ୍ଚ ଯୋଗେ ଘଣ୍ଟା ଘଣ୍ଟା ଧରି ଜଳଯାତ୍ରା କରିବା ପରେ ଏହି ଅଞ୍ଚଳରେ ପହଞ୍ଚିବା ସମ୍ଭବ ଥିବାରୁ ଅନେକ ଅଞ୍ଚଳରେ ବିକାଶ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏପରି ସ୍ଥାନରେ ଅଞ୍ଚଳରେ ବିକାଶ ଆଣିବା ପାଇଁ ପୂର୍ବ ନବୀନ ସରକାର ଅନେକ ପଦକ୍ଷେପ ଅଞ୍ଚଳକୁ ମାଓ ମୁକ୍ତ କରିବା ପାଇଁ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ଅଞ୍ଚଳରେ ବିଏସଏଫ ଓ ପୋଲିସକୁ ନିୟୋଜିତ କରାଇ ବହୁ ପ୍ରୟାସ ପରେ ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ନିର୍ମାଣ କରିଥିଲେ ଓ ଏହାକୁ ସ୍ଵାଭିମାନ ଅଞ୍ଚଳ ଭାବେ ନାମିତ କରିଥିଲେ।
ଏହାପରେ ଅଞ୍ଚଳରେ ବିକାଶ ଆଗେଇ ଚାଲିଲା। ବିଭିନ୍ନ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନକୁ ପକ୍କା ସଡକ ହୋଇଥିବା ବେଳେ ଏବେ ଯାତାୟତରେ ଆସିଛି ଅନେକ ସୁଧାର। ଫଳରେ ଅଞ୍ଚଳରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନିକ ଅଧିକାର ମାନେ ଏହି ସ୍ଵାଭିମାନ ଅଞ୍ଚଳରେ ସହଜରେ ପହଞ୍ଚି କରୁଛନ୍ତି ସମୀକ୍ଷା। ଏହି କ୍ରମରେ ଅଞ୍ଚଳରେ ଆହୁରି ଅଧିକ ବିକାଶ ଆଣିବା ପାଇଁ ଏବଂ ଜାରି ରହିଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ଲାଗି ମାଲକାନଗିରି ଉପଜିଲ୍ଲାପାଳ ତଥା ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପରିଚାଳକ ଦୁର୍ଯୋଧନ ଭୋଇ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ସ୍ଵାଭିମାନ ଅଞ୍ଚଳର ଦୁର୍ଗମ ମାଓପ୍ରବଣ ଜନ୍ତ୍ରୀ, ପଣସପୂଟ, ଯୋଡାମ୍ବ, ଅଣ୍ଡ୍ରାପାଲି ପ୍ରଭୁତି ଅଞ୍ଚଳକୁ ଗତ ଦୁଇଦିନ ଧରି ଗସ୍ତ କରିଥିଲେ। ଏହି ସବୁ ଅଞ୍ଚଳରେ ଗଞ୍ଜେଇ ଚାଷ ବହୁଳ ମାତ୍ରାରେ ହେଉଥିବା ବେଳେ ଏହାକୁ ବନ୍ଦ କରାଇ ଲୋକଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ହଳଦୀ, ପନି ପରିବା ଚାଷ ଓ ଅନ୍ୟାନ୍ୟ ଚାଷ କରି ଲୋକେ ଲାଭବାନ ହେବା ଦିଗରେ ଆଲୋଚନା କରିଥିଲେ।
ଜନଜାତି ବିକାଶ ଯୋଜନା ମାଧ୍ୟମରେ ଡିଡାଇ ଜନଜାତିର ଲୋକଙ୍କ ସମେତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକେ କିପରି ଲାଭବାନ ହୋଇ ପାରିବେ ସେନେଇ ସମୀକ୍ଷା କରିଥିଲେ। ଏହାସହ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ଆବାସ ଯୋଜନା କିପରି ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବ ତାହାକୁ ନେଇ ମଧ୍ୟ ସେ ସ୍ଥାନୀୟ ଅଧିଆକରି ଓ ଜନ ସାଧାରଣଙ୍କ ସହ ଆଲୋଚନା କରିଥିଲେ। ତେବେ ପ୍ରଥମ ଥର ପାଇଁ ଉପଜିଲ୍ଲାପାଳ ଏହି ଗସ୍ତ କରି ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ରେ ରାତ୍ରି ଯାପନ କରିଥିଲେ। ଦୁଇଦିନ ଧରି ସେ ଏହି ଗସ୍ତ କରି ନାନା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।