ନୂଆଦିଲ୍ଲୀ: ଦେଶର କିଛି ରାଜ୍ୟରେ ୱାକଫ ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଜାରି ରହିଛି । ଏହି କ୍ରମରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ ଦକ୍ଷିଣ ୨୪ ପ୍ରଗଣାରେ, ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସୀମା ସୁରକ୍ଷା ବଳ (BSF), କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF), ରାଜ୍ୟ ସଶସ୍ତ୍ର ପୋଲିସ ଏବଂ ରାପିଡ୍ ଆକ୍ସନ୍ ଫୋର୍ସ (RAF) କର୍ମଚାରୀ ମାନଙ୍କୁ ବହୁ ସଂଖ୍ୟାରେ ମୁତୟନ କରାଯାଇଛି। ଏହି ହିଂସାକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।
ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ,"ବେଙ୍ଗଲର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଉଚିତ । କେନ୍ଦ୍ର ସରକାର ସେଠାକାର ପରିସ୍ଥିତି ଉପରେ ରାଜନୀତି କରିବାକୁ ଏବଂ ଫଟୋ ଉଠାଇବାକୁ ଚାହୁଁଛନ୍ତି। ସେ ଆହୁରି ପୁଣି କହିଛନ୍ତି ଯେ, ବେଙ୍ଗଲର ହିନ୍ଦୁ ମାନଙ୍କ ପାଇଁ ଏବେ ବି ସମୟ ଅଛି ଯେ, ସେମାନେ ଗୋ ମାତାଙ୍କୁ ସୁରକ୍ଷା ଦେବା ପାଇଁ ଏକାଠି ଠିଆ ହୁଅନ୍ତୁ ଏବଂ ଯେଉଁମାନେ ଗାଈକୁ ମାରିବାକୁ ଆସୁଛନ୍ତି ସେମାନଙ୍କୁ ହତ୍ୟା କରିବା ଆରମ୍ଭ କରନ୍ତୁ।"
ରାଜ୍ୟ ପୋଲିସ କହିଛି ଯେ ମୁର୍ଶିଦାବାଦର ଦଙ୍ଗା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଦୋକାନ ଖୋଲିବା ସହିତ ବିସ୍ଥାପିତ ପରିବାର ଗୁଡ଼ିକ ଫେରି ଆସୁଛନ୍ତି। ୱାକଫ ସଂଶୋଧନ ଆଇନକୁ ନେଇ ଶୁକ୍ରବାର ଏବଂ ଶନିବାର ଦିନ ସୁତି, ଧୂଲିଆନ୍ ଏବଂ ଜାଙ୍ଗିପୁର ସମେତ ଜିଲ୍ଲାର ଅନେକ ଅଞ୍ଚଳରେ ହିଂସାତ୍ମକ ପ୍ରତିବାଦ ଦେଖା ଦେଇଥିଲା। ଯେଉଁଥିରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।