ନୂଆଦିଲ୍ଲୀ: ଆସାମ ସରକାର ରାଜ୍ୟରେ ସରକାରୀ କାର୍ଯ୍ୟ ପାଇଁ ଅସମୀୟା ଭାଷାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଘୋଷଣା କରିଛନ୍ତି ଯେ ଅସମୀୟା ଭାଷା ରାଜ୍ୟର ସରକାରୀ କାର୍ଯ୍ୟ, ଯୋଗାଯୋଗ ଏବଂ ଡକୁମେଣ୍ଟେସନରେ ବ୍ୟବହୃତ ହେବ। ଏହି ନିଷ୍ପତ୍ତି ରାଜ୍ୟରେ ଅସମୀୟା ଭାଷା ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଅସମୀୟା ଭାଷା ଆମର ପରିଚୟର ଏକ ଅବିଚ୍ଛେଦ୍ୟ ଅଂଶ। ଏହାକୁ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ କରି ଆମେ ଏହାର ଗୁରୁତ୍ୱକୁ ସୁନିଶ୍ଚିତ କରୁଛୁ।" ତେବେ, ଅନ୍ୟ ଭାଷା ବ୍ୟବହାର ଉପରେ କୌଣସି ନିଷେଧାଦେଶ ନାହିଁ, କିନ୍ତୁ ଅସମୀୟାକୁ ପ୍ରାଥମିକତା ଦିଆଯିବ। ଏନେଇ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।
୨୦୧୧ ଜନଗଣନା ଅନୁଯାୟୀ ଭାରତରେ ବହୁଳ ବ୍ୟବହୃତ ଭାଷା ମଧ୍ୟରେ ଅସମୀୟା ଭାଷା ରହିଛି। ଆସାମର ପ୍ରାୟ ୧.୫ କୋଟିରୁ ଅଧିକ ଲୋକ ମାତୃଭାଷା ଭାବେ ଏହି ଭାଷାର ବ୍ୟବହାର କରୁଛନ୍ତି। ଯାହା ଆସାମ ଲୋକସଂଖ୍ୟାର ୪୮.୩୬ ପ୍ରତିଶତ ବୋଲି ଅନୁମାନ କରାଯାଉଛି। ଏହାଛଡା ୯୦ ଲକ୍ଷରୁ ଅଧିକ ବଙ୍ଗଳା ବ୍ୟବହାରକାରୀଙ୍କ ସହିତ ବଙ୍ଗଳା ରାଜ୍ୟର ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ଭାଷା ଭାବେ ମାନ୍ୟତା ପ୍ରାପ୍ତ କରିଛି। ଏହାଛଡା ବୋଡୋ ବାଷାର ମଧ୍ୟ ବ୍ୟବହାର ଅଧିକ କରାଯାଇଥାଏ।
ଏହି ନିଷ୍ପତ୍ତିକୁ ଅସମୀୟା ଭାଷା ସଂଗଠନ ଓ ସାହିତ୍ୟିକ ମହଲରେ ସ୍ୱାଗତ କରାଯାଇଛି। ତେବେ, ରାଜ୍ୟର ବିଭିନ୍ନ ଭାଷାଭାଷୀ ଜନଗୋଷ୍ଠୀ ମଧ୍ୟରେ ଏହା କିପରି କାର୍ଯ୍ୟକାରୀ ହେବ, ତାହା ଉପରେ ଆଲୋଚନା ଜାରି ରହିଛି।