ନୂଆଦିଲ୍ଲୀ: ସାଉଦୀ ଆରବ ସରକାର ଭାରତୀୟ ହଜ ଯାତ୍ରୀଙ୍କ ପାଇଁ ୧୦,୦୦୦ ଅତିରିକ୍ତ ସ୍ଥାନ ମଞ୍ଜୁର କରିଛନ୍ତି, ଯାହା ଫଳରେ ୨୦୨୫ ପାଇଁ ଭାରତର ମୋଟ ହଜ କୋଟା ୧,୭୫,୦୨୫କୁ ବୃଦ୍ଧି ପାଇଛି। କେନ୍ଦ୍ରୀୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହି ନିଷ୍ପତ୍ତି ଭାରତ ସରକାରଙ୍କ ଅନୁରୋଧ ପରେ ନିଆଯାଇଛି। କାରଣ ଅନେକ ବେସରକାରୀ ଟୁର ଅପରେଟର ସାଉଦୀ ନିର୍ଦ୍ଦେଶିକା ଅନୁଯାୟୀ ସମୟସୀମା ପୂରଣ କରିବାରେ ବିଫଳ ହୋଇଥିଲେ।
ମନ୍ତ୍ରଣାଳୟ ଦୋଷାରୋପ କରିଛି ଯେ ବେସରକାରୀ ଟୁର ଅପରେଟରଙ୍କ ଅପାରଗତା ହେତୁ ୫୨,୫୦୦ରୁ ଅଧିକ ହଜ ଯାତ୍ରୀ ନିଜ ସ୍ଥାନ ହରାଇବା ଆଶଙ୍କା ସୃଷ୍ଟି ହୋଇଥିଲା। ସାଉଦୀ ଆରବର ନୂତନ ନିୟମ ଅନୁଯାୟୀ, ୮୦୦ରୁ ଅଧିକ ବେସରକାରୀ ଅପରେଟରଙ୍କୁ ୨୬ଟି କମ୍ବାଇଣ୍ଡ ହଜ ଗ୍ରୁପ ଅର୍ଗାନାଇଜର (ସିଏଚଜିଓ) ଭାବେ ଏକତ୍ରିତ କରାଯାଇଥିଲା। କିନ୍ତୁ ଏହି ସିଏଚଜିଓ ମାନେ ମିନାରେ କ୍ୟାମ୍ପ, ବାସସ୍ଥାନ ଏବଂ ପରିବହନ ପାଇଁ ଆବଶ୍ୟକୀୟ ଚୁକ୍ତି ଚୂଡାନ୍ତ କରିବାରେ ବିଳମ୍ବ କରିଥିଲେ।
ଭାରତ ସରକାରଙ୍କ ହସ୍ତକ୍ଷେପ ପରେ, ସାଉଦୀ ହଜ ମନ୍ତ୍ରଣାଳୟ ମିନାରେ ଉପଲବ୍ଧ ସ୍ଥାନ ଆଧାରରେ ୧୦,୦୦୦ ଯାତ୍ରୀଙ୍କ ପାଇଁ ନୁସୁକ ପୋର୍ଟାଲ ପୁନଃ ଖୋଲିବାକୁ ରାଜି ହୋଇଛି। ମନ୍ତ୍ରଣାଳୟ ଏହି ସିଏଚଜିଓ ମାନଙ୍କୁ ତୁରନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛି।
୨୦୨୫ ହଜ ଯାତ୍ରା ଜୁନ ୪ରୁ ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଯାହା ଚନ୍ଦ୍ର ଦର୍ଶନ ଉପରେ ନିର୍ଭର କରିବ। ଭାରତୀୟ ଯାତ୍ରୀମାନେ ଏପ୍ରିଲ ଶେଷ ସୁଦ୍ଧା ସାଉଦୀ ଆରବ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ମୋଟ କୋଟାରୁ ୧,୨୨,୫୧୮ ଯାତ୍ରୀଙ୍କ ବ୍ୟବସ୍ଥା ହଜ କମିଟି ଅଫ ଇଣ୍ଡିଆ (ଏଚସିଓଏଲ) ମାଧ୍ୟମରେ କରାଯିବ। ଅବଶିଷ୍ଟ ସ୍ଥାନ ବେସରକାରୀ ଅପରେଟରଙ୍କ ପାଇଁ ବଣ୍ଟନ କରାଯାଇଛି।
ଏହି ଘଟଣା ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ, ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ପିଡିପି ନେତ୍ରୀ ମେହବୁବା ମୁଫତି ଆଦି ରାଜନେତାମାନେ ବେସରକାରୀ କୋଟାରେ ୮୦ ପ୍ରତିଶତ ହ୍ରାସ ନେଇ ଚିନ୍ତା ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।
ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ମୁସଲମାନଙ୍କ ହଜ ଯାତ୍ରାକୁ ସହଜ କରିବା ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି। ୨୦୧୪ରେ ଭାରତର ହଜ କୋଟା ୧,୩୬,୦୨୦ ଥିବାବେଳେ ଏହା ୨୦୨୫ରେ ୧,୭୫,୦୨୫କୁ ବୃଦ୍ଧି ପାଇଛି। ସାଉଦୀ ଆରବ ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରିବା ପାଇଁ ଯଦି କୌଣସି ପଦକ୍ଷେପ ନିଅନ୍ତି, ତାହାକୁ ଭାରତ ସ୍ୱାଗତ କରିବ ବୋଲି ସଂଖ୍ୟାଲଘୁ ମନ୍ତ୍ରଣାଳୟ ଘୋଷଣା କରିଛି।