ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଡେନମାର୍କର ପିଏମ୍ ମେଟେ ଫ୍ରେଡରିକ୍ସେନଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଉଭୟ ନେତା ଭାରତ-ଡେନମାର୍କ ଗ୍ରୀନ୍ ରଣନୀତିକ ସହଭାଗୀତା ପାଇଁ ଦୃଢ ସମର୍ଥନକୁ ସୁନିଶ୍ଚିତ କରିଛନ୍ତି। ଏହସହ , ଆହୁରି ଅନେକ କ୍ଷେତ୍ରରେ ସହଯୋଗ ବୃଦ୍ଧିକୁ ନେଇ ଆଲୋଚନା ହୋଇଛି। ପିଏମ୍ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି , ଆଜି ପିଏମ୍ ମେଟେ ଫ୍ରେଡରିକ୍ସେନଙ୍କ ସହ କଥାବାର୍ତ୍ତା ହୋଇ ଖୁସି ଲାଗିଲା। ଆମେ ଭାରତ-ଡେନମାର୍କ ଗ୍ରୀନ୍ ଷ୍ଟ୍ରାଟେଜିକ ପାର୍ଟନରସିପ୍ ପାଇଁ ନିଜ ନିଜର ଦୃଢ ସମର୍ଥନ ଓ ଆମ ଲୋକଙ୍କ ଲାଭ ପାଇଁ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢାଇବାକୁ ସ୍ପଷ୍ଟ କରିଛୁ। ଆମେ ପାରସ୍ପରିକ ହିତର କ୍ଷେତ୍ରୀୟ ଓ ବୈଶ୍ୱିକ ଘଟଣାକ୍ରମ ଉପରେ ମଧ୍ୟ କଥା ହୋଇଛୁ ।
ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଉଭୟ ନେତା ୨୦୨୦ରେ ଗ୍ରୀନ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ର ଶୁଭାରମ୍ଭ ପର ଠାରୁ ଉଭୟ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ଆଦାନପ୍ରଦାନର ସମୀକ୍ଷା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଗ୍ରୀନ୍ ରଣନୀତିକ ସହଭାଗୀତାର ବିସ୍ତାର କଥାକୁ ଉଲ୍ଲେଖ କରାଯାଇ ଥିଲା। ଏହା ଭାରତରେ ଡେନମାର୍କ ନିବେଶ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ନେତା ପାରସ୍ପରିକ ହିତର ଆଞ୍ଚଳିକ ଓ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ଆଲଚନା କରିଥିଲେ।
ପିଏମ୍ ମୋଦି କହିଛନ୍ତି ,ସେ ଚଳିତ ବର୍ଷ ନରୱେରେ ହେବାକୁ ଥିବା ୨ୟ ଭାରତ-ନାର୍ଡିକ୍ ଶିଖର ସମ୍ମିଳନୀ ଓ ଏହି ସମୟରେ ଫ୍ରେଡରିକ୍ସେନଙ୍କ ସହ ତାଙ୍କର ବୈଠକ ନେଇ ଆଶା ରଖିଛନ୍ତି।
ଭାରତ ଓ ଡେନମାର୍କ ମଧ୍ୟରେ ବନ୍ଧୁତା ଓ ସହଯୋଗ ପୂର୍ଣ୍ଣ ସମ୍ୱନ୍ଧ ରହିଛି, ଯାହା ଐତିହାସିକ , ଆର୍ଥିକ ଓ ସାଂସ୍କୃତି ଆଧାରରେ ତିଷ୍ଠି ରହିଛି। ଉଭୟ ଦେଶ ୧୯୪୯ରୁ ରାଜନୀତିକ ସମ୍ୱନ୍ଧ ସେୟାର କରୁଛନ୍ତି। ଭାରତ ଡେନମାର୍କକୁ ଏକ ବିଶ୍ୱସନୀୟ ପାର୍ଟନର ମନେକରେ, ବିଶେଷ କରି ଗ୍ରୀନ ଏନର୍ଜୀ , ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର ବିକାଶ କ୍ଷେତ୍ରରେ। ଡେନମାର୍କର ଅଭିଜ୍ଞତା ନବୀକରଣ ଶକ୍ତି ଓ ପବନ ଶକ୍ତିରେ ରହିଛି, ଯାହା ଭାରତର ମହତ୍ୱାକାଂକ୍ଷୀ ସବୁଜ ଲକ୍ଷ୍ୟ ପାଇଁ ମହତ୍ତ୍ୱପୂର୍ଣ୍ଣ। ଉଭୟ ଦେଶ ଇଣ୍ଡିଆ-ଡେନମାର୍କ ଗ୍ରୀନ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ୨୦୨୦ ଅନୁସାରେ ସହଯୋଗ କରିଥାନ୍ତି ,ଯାହା ପରିବେଶ , ଟେକନିକ୍ ଓ ବ୍ୟାପାର ଉପରେ କେନ୍ଦ୍ରିତ। ଆର୍ଥିକ ରୂପେ ନରଡିସ୍କ ଓ ମାର୍ସ୍କ ଭଳି ଡେନମାର୍କର କମ୍ପାନୀ ଗୁଡିକ ଭାରତରେ ସକ୍ରିୟ ଅଛନ୍ତି। ଭାରତୀୟ ଆଇଟି ଓ ଔଷଧ କମ୍ପାନୀ ଗୁଡ଼ିକ ଡେନମାର୍କରେ ନିବେଶ କରୁଛନ୍ତି।