ଭୁବନେଶ୍ୱର,୨୬/୦୨: ଆଠଗଡ଼ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ରାଣୀବଣିଆ ଆଦର୍ଶ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ହେଲେ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗାଁର ତୟାବ ଖାଁ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାରଲୋକେ ଅଭିଯୋଗ କରି ୬୫ ନମ୍ବର ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗତ ଡିସେମ୍ବର ମାସରୁ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ଜେଲରେ ତୟାବ ଖାଁ ବିଚାରାଧୀନ କଏଦୀ ଭାବେ ଥିଲେ । ମଙ୍ଗଳବାର ଦିନ ସେ ଘର ଲୋକଙ୍କ ସହ କଥା ହୋଇଥିଲା । ଆଉ ଦୁଇ ଦିନ ପରେ ବେଲ୍ ପାଇବ ବୋଲି ମଧ୍ୟ କହିଥିଲା । ହେଲେ ବୁଧବାର ଦିନ ସକାଳୁ ପରିବାର ଲୋକଙ୍କୁ ଫୋନ୍ ଆସିଲା କି ତୟାବଙ୍କ ମୃତଦେହ ଆଠଗଡ଼ ମେଡିକାଲରେ ଅଛି, ଆପଣମାନେ ତୁରନ୍ତ ଆସନ୍ତୁ । ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ପରିବାର ଏବଂ ଗାଁ ଲୋକଙ୍କ ପକ୍ଷରୁ ଖୁଣ୍ଟୁଣୀ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ରାସ୍ତା ରୋକ କରାଯାଇଛି । ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।