ଆଦିଲ୍ଲୀ,୦୮/୦୪: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ହାଇକୋର୍ଟ ଦେଇଥିବା ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ସରକାରୀ ସ୍କୁଲରେ ୨୫,୭୫୩ ଶିକ୍ଷକ ଏବଂ କର୍ମଚାରୀଙ୍କ ନିଯୁକ୍ତିର ଅନ୍ୟାନ୍ୟ ଦିଗଗୁଡ଼ିକ ସମ୍ପର୍କରେ ସିବିଆଇ ତଦନ୍ତ ଜାରି ରହିବ ।
ତେବେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। କୋର୍ଟ କହିଛନ୍ତି, କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିକୁ ଯାଞ୍ଚ କରିବା ଆମର କାମ ନୁହେଁ। କିନ୍ତୁ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦେଶ କେବଳ ଅତିରିକ୍ତ ପଦବୀ ସୃଷ୍ଟିର ତଦନ୍ତ ବିଷୟରେ ସୀମିତ । ଏହା କୌଣସି ପ୍ରକାରେ ସିବିଆଇ ଦ୍ୱାରା କରାଯାଉଥିବା ତଦନ୍ତ କିମ୍ବା ଏହି ସମଗ୍ର ଦୁର୍ନୀତିର ଅନ୍ୟାନ୍ୟ ଦିଗଗୁଡ଼ିକରେ ଦାଖଲ ହେଉଥିବା ଚାର୍ଜସିଟ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ଏହା ମଧ୍ୟ ପଢନ୍ତୁ- ମୁଦ୍ରା ଯୋଜନାକୁ ୧୦ ବର୍ଷ : ହିତାଧିକାରୀଙ୍କ ସହ ଆଲୋଚନା କଲେ ପିଏମ୍ ମୋଦି, ଉଦ୍ୟୋଗୀ ହେବାର ସିକ୍ରେଟ୍ କହିଲେ ଲାଭାର୍ଥୀ
ଏପ୍ରିଲ ୩ ତାରିଖରେ, ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୫,୭୫୩ ଶିକ୍ଷକ ଏବଂ କର୍ମଚାରୀଙ୍କ ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ। କୋର୍ଟ ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟାକୁ ତ୍ରୁଟିପୂର୍ଣ୍ଣ ବୋଲି କହିଥିଲେ। ଏହି କର୍ମଚାରୀମାନଙ୍କୁ ୨୦୧୬ ମସିହାରେ ରାଜ୍ୟ ସ୍କୁଲ ସେବା ଆୟୋଗ ଦ୍ୱାରା ପରିଚାଳିତ ଏକ ନିଯୁକ୍ତି ଅଭିଯାନ ମାଧ୍ୟମରେ ଚୟନ କରାଯାଇଥିଲା। ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସନ୍ତୁଷ୍ଟ ନୁହଁନ୍ତି। ସେ କହିଛନ୍ତି ଯେ, ଜେଲ ଯିବାକୁ ପଡିଲେ ମଧ୍ୟ ସେ ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବେ।