ପ୍ରମୂଖ ଖବର
  • ବଲାଙ୍ଗୀର : ଜଙ୍ଗଲରୁ ୨ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଗଜପତି : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ
  • ||
  • ଢେଙ୍କାନାଳ : କଷ୍ଟ ସହି ନପାରି ରେଲ୍‌ ୱେ ଟ୍ରାକ୍‌ରେ ଜୀବନ ହାରିଲେ ପୂଜକ, ଉଦ୍ଧାର ହେଲା ମୃତଦେହ
  • ||
  • ଢେଙ୍କାନାଳ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୯ଟି ସ୍ଥାନରେ ଚଢାଉ
  • ||
  • ବରଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଜଣେ ଗୁରୁତର
  • ||
  • ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଭୁବନେଶ୍ୱର : ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍, ୨ ଆହତ
  • ||

ଯାତ୍ରା ଭିତରେ ବି ଯାତ୍ରା : ନରି-ପ୍ରତାପ ବ୍ୟାନ୍‌, ପୀୟୂଷଙ୍କୁ ବିଶ୍ରାମ... କୋଟି କୋଟି ଟଙ୍କାର ଫିକ୍ସିଂ ଆଉ ସଟ୍ଟାବାଜି, କୁଆଡ଼େ ଗଲା ସରକାରଙ୍କ ମାର୍ଗଦର୍ଶିକା?

Published By : Prameya | April 16, 2025 8:54 AM

ଭୁବନେଶ୍ୱର,୧୬/୦୪: ଯାତ୍ରା ଭିତରେ ବି ଯାତ୍ରା । ଏଠି କି ଯାତେରା ଚାଲିଛି । କିଏ ସାମାଜିକ ଗଣମାଧ୍ୟମରେ କାହାକୁ କ’ଣ କହିଲାଣି ତ କିଏ ବୟକଟ୍‌, ବ୍ୟାନ୍‌ କଲାଣି । ପୁଣି କିଏ ରହିଲେ ନାଟକ କରିବେନି ବୋଲି ନାଟ୍ୟଗୁରୁ କହିଲେଣି । ସେ ଭିତରେ ସାଂଘାତିକ କେଳେଙ୍କାରୀ । କୋଟି କୋଟି ଟଙ୍କାର ଫିକ୍ସିଂ ଆଉ ସଟ୍ଟାବାଜି । କେଉଁଠି ମୋଟା ଟଙ୍କାର ଲୋଭ, ଉପହାର ଦେଖାଇ କଳାକାରଙ୍କୁ ଯାତ୍ରା ଦଳ ମାଲିକ କିଣିନେଲେଣି ତ ଆଉ କେଉଁଠି ମାଡ଼ ମାରି, ଧମକେଇ, ଚମକେଇ ଜୀବନ ନେବାର ଡର ଦେଖାଇ ହାଇଜାକ୍‌ ସହ କଳାକାରଙ୍କୁ ଚୁପ୍‌ କଲେଣି । କଳାକାର ବି କିଛି କମ୍‌ ନୁହଁନ୍ତି । ଅନେକ ଏମିତି ଅଭିନୟ କରୁଛନ୍ତି, ତାଙ୍କ ଅଭିନୟ ଯାତ୍ରା ଖଳନାୟକଙ୍କ ଅଭିନୟକୁ ବି ବଳିଯିବ । 

ବିଗତ କିଛି ଦିନ ହେବ ଓଡ଼ିଶା ଯାତ୍ରା ଅପେରା ଖାଲି ଉଠୁଛି ପଡ଼ୁଛି । ପ୍ରତିଦିନ କିଛି ନା’ କିଛି ଘଟଣା ଏବେ ଶୀର୍ଷ ଖବର । ଯାହାକୁ ନେଇ ଚହଳ ପଡ଼ିଛି । ଯାତ୍ରା ପାର୍ଟି ବଦଳାଇବାକୁ ଅଗ୍ରୀମ ନେଇ ଅଡ଼ୁଆରେ ପଡ଼ିଥିବା ହାସ୍ୟାଭିନେତା ନରି ପଣ୍ଡାଙ୍କୁ ଯାତ୍ରା ମାଲିକ ସଂଘ ବ୍ୟାନ୍‌ କରିଥିଲା ବେଳେ ପୀୟୂଷଙ୍କ ବିବାଦ ତୁଟାଇ ତାଙ୍କ ଅନୁରୋଧରେ ତାଙ୍କୁ ବର୍ଷେ ବିଶ୍ରାମ ଦେଇଛି । ଏଣେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ବୟାନ ରଖି ମାଲିକଙ୍କ ଉପରକୁ ଅଙ୍ଗୁଳି ଉଠାଇଥିବା ପ୍ରତାପ ମହାନ୍ତିଙ୍କୁ ବି ନରିଙ୍କ ଭଳି ବ୍ୟାନ୍‌ ଦଶା ଭୋଗିବାକୁ ପଡ଼ିଛି । କିନ୍ତୁ ସମାନ କଥା ଲାଗି ଅଭିନେତ୍ରୀ ନମିତାଙ୍କୁ ମାଲିକ ସଂଘ ବ୍ୟାନ୍‌ ବଦଳରେ କାରଣ ଦର୍ଶାଅ ନୋଟିସ୍‌ ପଠାଇଛି । ଯାହା ବିଷୟରେ ନିମିତା ଚୁପ୍‌ ରହିବା ସହିତ ଯାତ୍ରାରେ ସବୁ ଭଲ ହେଉ ବୋଲି କହିଛନ୍ତି । 

ଅନ୍ୟପକ୍ଷରେ ଓଡ଼ିଶାର ନାଟ୍ୟଗୁରୁଙ୍କ ଉପରେ ନକାରାତ୍ମକ ଟିପ୍ପଣୀ ଦେଇ ଅପମାନିତ କରିଥିବା ଅଭିନେତା ଦୟାଙ୍କୁ ବିରୋଧ କରିଛି ଅପେରା ମାଷ୍ଟର୍ସ ଆସୋସିଏସନ୍‌ (ଓମା) । ଏହାର ସଭାପତି ବିଜୟ ଦାଶ କହିଛନ୍ତି, ଦୟା ଗୁରୁ ହୋଇଗଲାଣି । ତା’ର ଆଉ ଆମ ଭଳି ଗୁରୁଙ୍କ ଆବଶ୍ୟକତା ନାହିଁ । ସେ ଯେଉଁଠି ରହିବ, ସେଠି ଆମର ଆବଶ୍ୟକତା ନାହିଁ । ପୂର୍ବରୁ ସେ ଥିବା ଯାତ୍ରା ଦଳ ମାଲିକଙ୍କୁ କହି ୭ଦିନ ସମୟ ଦେଇଥିଲୁ କିନ୍ତୁ ସେ ଆସିଲେ ନାହିଁ କି କିଛି ଉତ୍ତର ରଖିଲେ ନାହିଁ ତା’ ବଦଳରେ ଓଲଟା ଟିପ୍ପଣୀ ଉପରେ ଟିପ୍ପଣୀ ଦେଇ ଚାଲିଛନ୍ତି । ଯାହା ଖରାପ ପରମ୍ପରା ସୃଷ୍ଟି କରୁଛି । ଯଦିଓ ଅଭିନେତା ସଞ୍ଜୟ ଭୋଳ ଓ ମାଲିକ ସଂଘ ସମ୍ପାଦକ ସତ୍ୟ ଜେନାଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତି ନିଜ ଭୁଲ ବୁଝିପାରି ନାଟ୍ୟଗୁରୁଙ୍କ ଉପରେ ଦେଇଥିବା ବକ୍ତବ୍ୟ ଫେରାଇ ନେବା ସହ କ୍ଷମା ମାଗିଲେ, ତାଙ୍କଠୁ କ’ଣ ଇଏ ଏତେ ବଡ଼? ଯଦି ସେ ଠିକ୍‌ ଭାବୁଥିବେ ତେବେ ସେ ତାଙ୍କ ବାଟରେ ଆମେ ଆମ ନିଷ୍ପତ୍ତିରେ ଅଟଳ ବୋଲି ଶ୍ରୀ ଦାଶ କହିଛନ୍ତି । କିନ୍ତୁ ଏହା ଉପରେ ଦୟାଙ୍କ ପ୍ରତିକ୍ରିୟା ମିଳିପାରିନି । ଏସବୁ ବିବାଦ ଭିତରେ ବୁଧବାର ଭୁବନେଶ୍ୱରରେ ଓଡ଼ିଶା ଯାତ୍ରା କଳାକାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ସେଠି ଏସବୁ ବିଷୟରେ ଆଲୋଚନା ହେବା ସାଙ୍ଗକୁ ଯାତ୍ରାର ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା ହେବ ବୋଲି ସମ୍ପାଦକ ଆର୍‌. କେ. ହୀରାଲାଲ କହିଛନ୍ତି । 

ସୂଚନାଯୋଗ୍ୟ, ପୂର୍ବରୁ ଭିନ୍ନ ଭିନ୍ନ କଳାକାରଙ୍କ ସମସ୍ୟାକୁ ନେଇ ମାଲିକ ସଂଘକୁ ଚିଠି କରିଥିଲା କଳାକାର ସଂଘ । ମାଲିକ ସଂଘ ବି କହିଛି, ସବୁ ସମସ୍ୟାର ସମାଧାନ ଆପୋଷ ବୁଝାମଣାରେ ହେବ । କିଛି ଘଟଣା ଘଟିଛି । ଘରର କଥା ଘରେ ହେବ । ତେଣୁ ବ୍ୟସ୍ତ ହେଲେ କ’ଣ ହେବ? ସମୟ ଅନୁସାରେ ସଂଘ ବୈଠକ ବସି ଯାହା ନିଷ୍ପତ୍ତି ନେବ । ସବୁଠୁ ବଡ଼ କଥା ହେଉଛି, ଯାତ୍ରାରେ କୋଟି କୋଟିର କାରବାର ଆଖି ଟେରା କରି ଦେଇଛି । ଯାତ୍ରା ମାଲିକଙ୍କୁ ପୀୟୂଷଙ୍କ ଅଗ୍ରୀମ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଫେରସ୍ତ ପରେ ଅନେକଙ୍କ ମୁଣ୍ଡ ଗୋଲ୍‌ । ଖୋଲାଖୋଲି ସିଧାଳସଳଖ କାରବାର । ଏହା ଉପରେ ନା’ ସରକାରଙ୍କ ନଜର ରହୁଛି ନା’ ଆୟକର, ଜିଏସ୍‌ଟିର । ଏପରିକି ବୃତ୍ତିଗତ ଟିକସ ବି ଦେଉନାହାନ୍ତି । ଗୋଟିଏ ଗୋଟିଏ କଳାକାର ବର୍ଷକୁ ୫୦-୭୦ ଲକ୍ଷ ଟଙ୍କା ନେଉଥିଲା ବେଳେ ସେ ବି ଟିକସ ପରିସୀମା ଭିତରକୁ ଆସୁନାହାନ୍ତି କି ଦେଉନାହାନ୍ତି । ସବୁ ଯେମିତି ବେହିସାବ ଭାବରେ ଚାଲିଛି । କିଛି ବ୍ୟବସ୍ଥିତ ଢଙ୍ଗରେ ହେଉନି । କାରଣ ଯାତ୍ରା ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ କି କଟକଣା ନାହିଁ । ହଜାର ହଜାର ଲୋକ ପୋଷି ହେଉଥିବା ସବୁଠୁ ବଡ଼ ମନୋରଞ୍ଜନ ଦୁନିଆ କୁହାଯାଉଥିବା ଏହି ଯାତ୍ରା ବି ରାଜ୍ୟ ସରକାରଙ୍କ କୌଣସି ବିଭାଗ ଅଧୀନରେ ଆସୁନି । ଏଯାଏଁ ଯାତ୍ରାକୁ କଳାର ସ୍ୱୀକୃତି ବା ଶିଳ୍ପର ମାନ୍ୟତା ମିଳିଲାନି । କିନ୍ତୁ ଆଶ୍ଚର୍ଯ୍ୟ, କିଛି କଳାକାର ଭତ୍ତା ପାଉଛନ୍ତି । ଅଥଚ କଳାକାରଙ୍କୁ ସ୍ୱୀକୃତି ହେଲେ କଳାକୁ ନାହିଁ । ଏଭିତରେ ଦୀର୍ଘ ୮ ମାସ ହେଇଗଲାଣି, ଗତ ସେପ୍ଟେମ୍ବର ମାସରୁ ସରକାର ଯାତ୍ରା ପାଇଁ ମାର୍ଗଦର୍ଶକ ସହ ସେନ୍‌ସର୍‌ ବ୍ୟବସ୍ଥା ଲାଗୁ ପାଇଁ କହି ଆସୁଛନ୍ତି ହେଲେ ଲାଗୁ ହେଇପାରୁନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.