ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଓ୍ବାକଫ୍ (ସଂଶୋଧନ) ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ୭୩ଟି ଆବେଦନ ଉପରେ ଶୁଣାଣି ଆରମ୍ଭ କରିଛନ୍ତି। AIMIM ନେତା ଅସଦୁଦ୍ଦିନ ଓୱେସୀ, କଂଗ୍ରେସ ଓ ଟିଏମସି ସମେତ ବିରୋଧୀ ଦଳମାନେ ଏହାକୁ “ମୁସଲିମ ବିରୋଧୀ” ଓ “ଅସାମ୍ବିଧାନିକ” ବୋଲି ଅଭିଯୋଗ କରିବା ସହ ଏହି ଆଇନକୁ ରଦ୍ଧ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ନୂତନ ନିୟମ ସାମ୍ବିଧାନିକ ଅଧିକାର ଯଥା ସମାନତା, ଧର୍ମ ପାଳନର ସ୍ୱାଧୀନତା, ଧାର୍ମିକ ବ୍ୟାପାର ପରିଚାଳନା, ସଂଖ୍ୟାଲଘୁ ଅଧିକାର ଓ ସମ୍ପତ୍ତି ଅଧିକାରର ଉଲ୍ଲଂଘନ କରୁଛି ବୋଲି ବିରୋଧିମାନେ ଅଭିଯୋଗ ଆଣିଛନ୍ତି।
ସୂଚନା ମୁତାବକ, ଏହି ନୂତନ ଆଇନ ଗତ ମାସରେ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇ ଏପ୍ରିଲ ୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ବିଧିବଦ୍ଧ ଆଇନ ଭାବେ ପରିଣତ ହୋଇସାରିଛି। ଏହି ଆଇନକୁ ରଦ୍ଧ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ଆସିବା ପରେ ପ୍ରଧାନ ବିଚାରପତି(ସିଜେଆଇ) ସଞ୍ଜୀବ ଖନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ.ଭି. ବିଶ୍ୱନାଥନଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି। ତେବେ ଆସନ୍ତାକାଲି ଅର୍ଥାତ ଗୁରୁବାର ମଧ୍ୟ ଏହି ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ସୂଚନା ପ୍ରଦାନ କରିଛନ୍ତି।
ଏହି ମାମଲାର ଶୁଣାଣି କରି ସିଜେଆଇ ଖନ୍ନା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପଚାରିଥିଲେ ଯେ, ଯଦି ପୁରାତନ ମସଜିଦ ଓ ଓ୍ବାକଫ୍ ସମ୍ପତ୍ତିରେ ବିକ୍ରୟ ଦଲିଲ ନଥାଏ, ତେବେ ‘ଓ୍ବାକଫ୍ ବାଇ ୟୁଜର’କୁ କିପରି ଅସ୍ୱୀକାର କରାଯାଇପାରେ। ସେ ଆହୁରି ମଧ୍ୟ କହିଥିଲେ ଯେ, “୧୪୦୦ ଖ୍ରୀଷ୍ଟାବ୍ଦରୁ ୧୬୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ବିଭିନ୍ନ ମସଜିଦରେ ବିକ୍ରୟ ଦଲିଲ କ’ଣ ରହିବ?” ଏହା ସହ ସେ ଦିଲ୍ଲୀ ହାଇକୋର୍ଟ ଓ ଓବରଏ ହୋଟେଲ ପରି ସମ୍ପତ୍ତି ଉପରେ ଓ୍ବାକଫ୍ ବୋର୍ଡର ଦାବି ଉପରେ ମଧ୍ୟ ଚିନ୍ତାବ୍ୟକ୍ତ କରିଥିଲେ।
ସେହିଭଳି ବରୋଧିଦଳଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ଦେଇ କହିଥିଲେ ଯେ, ଓ୍ବାକଫ୍ ଆଇନ ମୁସଲିମମାନଙ୍କ ଧର୍ମୀୟ ଅଧିକାରରେ ହସ୍ତକ୍ଷେପ କରୁଛି। ଏହାର ଜବାବରେ ସିଜେଆଇ କହିଥିଲେ, ସାମ୍ବିଧାନିକ ଅନୁଚ୍ଛେଦ ୨୬ ଧର୍ମନିରପେକ୍ଷ ଏବଂ ସଂସଦକୁ ମୁସଲିମମାନଙ୍କ ପାଇଁ ଆଇନ ପ୍ରଣୟନକୁ ବାରଣ କରି ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ, “ହିନ୍ଦୁମାନଙ୍କ କ୍ଷେତ୍ରରେ ମଧ୍ୟ ଏପରି ଆଇନ ରହିଛି।” ଏହାସହ କୋର୍ଟ ସରକାରୀ ପକ୍ଷକୁ ପଚାରିଥିଲେ ଯେ ଯଦି ଓ୍ବାକଫ୍ ବୋର୍ଡରେ ଅଣ-ମୁସଲିମଙ୍କୁ ସାମିଲ କରାଯାଇପାରୁଛି, ତେବେ ହିନ୍ଦୁ ଧାର୍ମିକ ଟ୍ରଷ୍ଟରେ ମୁସଲିମମାନଙ୍କୁ ସାମିଲ କରାଯାଇପାରିବ କି?
କେନ୍ଦ୍ର ସରକାର ଓ ବିଜେପି ଶାସିତ ରାଜ୍ୟ ଯଥା ମଧ୍ୟପ୍ରଦେଶ, ଆସାମ, ରାଜସ୍ଥାନ ଏହି ଆଇନକୁ ସମର୍ଥନ କରିଥିଲେ। ନୂଆ ଆଇନ ସମର୍ଥନରେ ଥିବା ରାଜ୍ୟମାନେ କହିଥିଲେ ଯେ, ଏହା ଓ୍ବାକଫ୍ ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତା ଆଣିବ ଏବଂ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ସମ୍ପତ୍ତିର ଟ୍ରାକିଂ ଓ ଅଡିଟିଂ ସହଜ ହେବ। ଏହି ମାମଲା ସପକ୍ଷରେ ଲଢୁଥିବା ତୁଷାର ମେହେଟ୍ଟା କହିଥିଲେ ଯେ ୨୦୨୫ ଆଇନ ଅନୁଯାୟୀ ନିବନ୍ଧିତ ‘ଓ୍ବାକଫ୍ ବାଇ ୟୁଜର’ ସମ୍ପତ୍ତି ଓ୍ବାକଫ୍ ଭାବେ ରହିବ। କିନ୍ତୁ ଅନୁବନ୍ଧିତ ଓ ବିବାଦିୟ ସମ୍ପତ୍ତି ଗୁଡିକୁ ଓ୍ବାକଫ୍ ସମ୍ପତ୍ତି ଭାବେ ଗଣାଯାଇ ପାରିବ ନାହିଁ।
ସିଜେଆଇ ଖନ୍ନା ପଶ୍ଚିମବଙ୍ଗରେ ଓ୍ବାକଫ୍ ଆଇନ ସଂଶୋଧନ ବିରୁଦ୍ଧରେ ହୋଇଥିବା ହିଂସାକୁ “ଅତ୍ୟନ୍ତ ଚିନ୍ତାଜନକ ବିଷୟ”। ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଏପରି ଘଟଣା ଘଟିବା ଆଦୌ ଉଚିତ ନୁହେଁ ବୋଲି ସେ କହିଥିଲେ। ବୁଧବାର ଶୁଣାଣିରେ କୌଣସି ଅନ୍ତରୀଣ ଆଦେଶ ଜାରି ହୋଇନାହିଁ। ସେହିଭଳି ମାମଲାଟି ସୁପ୍ରିମକୋର୍ଟରେ ଶୁଣାଣି ହେବା ଉଚିତ କି ହାଇକୋର୍ଟକୁ ପଠାଯିବା ଦରକାର ବୋଲି କୋର୍ଟ ଆବେଦନକାରୀମାନଙ୍କୁ ପ୍ରଥମେ ସ୍ପଷ୍ଟ କରିବାକୁ କହିଥିଲେ।
କପିଲ ସିବଲ କହିଛନ୍ତି ଯେ ଏହି ନୂଆ ଓ୍ବାକଫ୍ ଆଇନ ୨୦୦ ନିୟୁତ ମୁସଲିମଙ୍କ ବିଶ୍ୱାସ ଉପରେ ସଂସଦୀର ହସ୍ତକ୍ଷେପକୁ ଦର୍ଶାଉଛି। ଓ୍ବାକଫ୍ ବୋର୍ଡରେ ଅଣ-ମୁସଲିମଙ୍କୁ ସାମିଲ କରିବା ଅର୍ଥ ମୁସଲମାନମାନଙ୍କ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି। ଅନ୍ୟପଟେ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି କହିଥିଲେ ଯେ ଏହି ଆଇନକୁ ନେଇ ଆସୁଥିବା ରାୟର ପ୍ରଭାବ ସମଗ୍ର ଭାରତ ଉପରେ ପଡିବ। ତେଣୁ ଏହାକୁ ହାଇକୋର୍ଟକୁ ପଠାଯିବା ଉଚିତ ନୁହେଁ। ମଧ୍ୟପ୍ରଦେଶ କହିଥିଲା ଯେ ଆଇନଟି ଓ୍ବାକଫ୍ ସମ୍ପତ୍ତିର ଆଇନଗତ ଓ ପ୍ରଯୁକ୍ତିଗତ ପରିଚାଳନାକୁ ସୁଦୃଢ଼ କରିବ। ସେହିଭଳି ଆସାମ କହିଥିଲା ଯେ ନୂଆ ଆଇନର ଧାରା 3E ଅନୁସୂଚିତ ଓ ଆଦିବାସୀ ଅଞ୍ଚଳରେ ହୋଇଥିବା ଓ୍ବାକଫ୍ ଘୋଷଣାକୁ ବାରଣ କରୁଛି। ଯାହା ଅନୁସୂଚିତ ଜାତି ଓ ଜନଜାତିଙ୍କ ସ୍ୱାର୍ଥକୁ ରକ୍ଷା କରିବ।
ସୁପ୍ରିମକୋର୍ଟ ଆସନ୍ତାକାଲି ଏହି ମାମଲାରେ ଆହୁରି ଅନେକ ଯୁକ୍ତି ଶୁଣିବେ। ତେବେ ଏହି ମାମଲାଟିର ବିଚାର ସୁପ୍ରିମ କୋର୍ଟରେ ହେବ ନା ହାଇକୋର୍ଟକୁ ପଠାଯିବ ତାହା ଆସନ୍ତାକାଲି ଜଣାପଡିବ। ଏହି ମାମଲାର ଶୁଣାଣି ଉପରେ ଭାରତର ସମସ୍ତ ଲୋକଙ୍କର ନଜର ରହିଛି। ଆସନ୍ତା କାଲି ହେବାକୁ ଥିବା ରାୟ ଓ୍ବାକଫ୍ ସମ୍ପତ୍ତି ପରିଚାଳନା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି।