ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘରୋଇ ସ୍ୱୀକୃତିପ୍ରାପ୍ତ ଅଣ-ସହାୟତା ପ୍ରାପ୍ତ ସ୍କୁଲ ଗୁଡ଼ିକ ଦ୍ୱାରା ମନଇଚ୍ଛା ଫି ବୃଦ୍ଧି ଉପରେ କଠୋର ଆଭିମୂଖ୍ୟ ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର । ଶିକ୍ଷା ନିର୍ଦ୍ଦେଶାଳୟକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ଠାରୁ ଏନେଇ ଲଗାତାର ଅଭିଯୋଗ ଆସୁଥିଲା । ଅନେକ ସ୍କୁଲ କୌଣସି ନିୟମ ବିନା ମନଇଚ୍ଛା ଫି ବୃଦ୍ଧି କରୁଛନ୍ତି, ଯାହା ଅଭିଭାବକଙ୍କ ଉପରେ ଭାରୀ ମାତ୍ରାରେ ଆର୍ଥିକ ବୋଝ ପକାଉଛି ବୋଲି ଅଭିଯୋଗ ହେଉଥିଲା।
ଏହି ଅଭିଯୋଗ ଗୁଡ଼ିକୁ ଗମ୍ଭୀରତାର ସହ ନେଇ, ଶିକ୍ଷା ନିର୍ଦ୍ଦେଶାଳୟ ଜିଲ୍ଲା ସ୍ତରରେ ଯାଞ୍ଚ କମିଟି ଗଠନ କରିଛି। ଏହି କମିଟି ଗୁଡିକର କାମ ହେଉଛି ସମସ୍ତ ଘରୋଇ ସ୍କୁଲ ଗୁଡ଼ିକର ଭୌତିକ ଯାଞ୍ଚ କରିବା, ବିଶେଷକରି ଯେଉଁମାନଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ ହୋଇଛି।
୧୬ ଏପ୍ରିଲ ୨୦୨୫ ସୁଦ୍ଧା ଦିଲ୍ଲୀର ୬୦୦ ରୁ ଅଧିକ ଘରୋଇ ସ୍କୁଲର ଯାଞ୍ଚ ସରିଛି ଏବଂ ବାକି ସ୍କୁଲ ଗୁଡ଼ିକର ଯାଞ୍ଚ ଦ୍ରୁତ ଗତିରେ ଚାଲିଛି। ଯେଉଁ ସ୍କୁଲ ଗୁଡ଼ିକରେ ଫି ବୃଦ୍ଧି ମନମୁଖୀ ଏବଂ ଲାଭଖୋର କିମ୍ବା ବାଣିଜ୍ୟ କରଣର ଅଭିଯୋଗ ଆସିଛି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଶିକ୍ଷା ନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ ଦିଲ୍ଲୀ ସ୍କୁଲ ଶିକ୍ଷା ଆଇନ (DSEAR), 1973 ର ଧାରା 24(3) ଅନୁଯାୟୀ ୧୦ ରୁ ଅଧିକ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିସାରିଛି। କିଛି କ୍ଷେତ୍ରରେ, ସ୍କୁଲର ମାନ୍ୟତା ବାତିଲ କିମ୍ବା ପରିଚାଳନା ନିୟନ୍ତ୍ରଣ ନେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।
ଯାଞ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ ଅନେକ ଘରୋଇ ସ୍କୁଲ ସମୟସୀମା ମଧ୍ୟରେ ସେମାନଙ୍କର ଫି ବିବରଣୀ ଦାଖଲ କରୁନାହାଁନ୍ତି କିମ୍ବା ଅଡିଟ୍ ରିପୋର୍ଟ ମଧ୍ୟ ଦେଉନାହାଁନ୍ତି, ଯାହା ଆଇନ ଅନୁଯାୟୀ ବାଧ୍ୟତାମୂଳକ ।