ନୂଆଦିଲ୍ଲୀ,୧୬।୪: ସାମ୍ପ୍ରଦାୟିକ ହିଂସା ଅଭିଯୁକ୍ତଙ୍କ ସମ୍ପତ୍ତିକୁ ନେଇ ସୁପ୍ରିମକୋର୍ଟ ନିକଟରେ ଦେଇଥିଲେ ରାୟ। କୋର୍ଟ କହିଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ଧାର୍ଯ୍ୟ ପକ୍ରିୟା ଓ ସବୁ ଜରୁରୀ ସୁରକ୍ଷା ଉପାୟକୁ ଗ୍ରହଣ ନକରି କରିହେବନି । କିନ୍ତୁ ନାଗପୁର ନଗର ନିଗମ ଦଙ୍ଗା ଅଭିଯୁକ୍ତ ଫହିମ ଖାନ୍ଙ୍କ ଦୁଇ ମହଲା ବିଶିଷ୍ଟ ଘରକୁ ଭାଙ୍ଗି ଦେଇଛି। ଯେତେବେଳେ ମାମଲା ହାଇକୋର୍ଟରେ ପହଁଞ୍ଚିଥିଲା, ନଗର ନିଗମ ପକ୍ଷରୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ବିନା ସର୍ତ୍ତରେ କ୍ଷମା ମାଗିଥିଲେ।
ନଗର ନିଗମ ମୁଖ୍ୟ ଅଭିଜିତ ଚୌଧୁରୀଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଥିଲା ଟାଉନର ପ୍ଲାନିଂ ଓ ବସ୍ତି ବିଭାଗର ଅଧିକାରୀ ନଭେମ୍ବର ୨୦୨୩ରେ ସୁପ୍ରିମକୋର୍ଟଙ୍କ ରାୟ ବିଷୟରେ ଜାଣିନଥିଲେ। ତେଣୁ ଫହିମ୍ ଖାନ୍ଙ୍କ ଘରକୁ ୨୪ ମାର୍ଚ୍ଚରେ ଭାଙ୍ଗିଦେଲେ। ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟାନୁଷ୍ଠାନ ନଗର ନିଗମର ଏଣ୍ଟ୍ରି-ଏନକ୍ରୋଚମେଣ୍ଟ ଟିମ୍ ସ୍ଥାନୀୟ ପୋଲିସର ସାହାଯ୍ୟରେ କରିଥିଲା, ଯାହାକି ସମ୍ପୂର୍ଣ୍ଣ ଭାବରେ ସେଭଳି ଥିଲା ଯେପରିକ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ବୁଲଡୋଜର ଆକ୍ସନ ଥିଲା।
ଉଲ୍ଲେଖନୀୟ ଯେ, ଫହିମ ଖାନ୍ ମାଇନରିଟିଜ୍ ଡେମୋକ୍ରାଟିକ୍ ପାର୍ଟି(ଏମପିଡି)ର ମୁଖ୍ୟ। ତାଙ୍କୁ ୧୯ ମାର୍ଚ୍ଚରେ ନାଗପୁରର ମହଲ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କ ଉପରେ ହିଂସା, ପଥରମାଡ଼, ଦେଶଦ୍ରୋହ ପର୍ଯ୍ୟନ୍ତ ଗମ୍ଭୀର ଅଭିଯୋଗ ରହିଛି। ଉଲ୍ଲେଖନୀୟ ଯେ, ଏହି ହିଂସା ୧୭ ମାର୍ଚ୍ଚ ରାତିରେ ବ୍ୟାପିଥିଲା।