ପ୍ରମୂଖ ଖବର
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

JD Vance: ଭାରତ ଗସ୍ତରେ ଆସୁଛନ୍ତି ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ; ନୂଆଦିଲ୍ଲୀରେ ପ୍ରସ୍ତୁତି ଜୋର୍‌ଦାର

Published By : Bijay Swain | April 16, 2025 11:42 PM

Image courtesy: indiatoday

ନୂଆଦିଲ୍ଲୀ: ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏପ୍ରିଲ ୧୮ରୁ ୨୪ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ଉଷା ଭାନ୍ସ ଏବଂ ତିନି ପିଲା - ଏୱାନ, ବିବେକ ଓ ମିରାବେଲ - ମଧ୍ୟ ସାମିଲ ହେବେ। ଏହି ସପ୍ତାହବ୍ୟାପୀ ଗସ୍ତରେ ସେ ନୂଆଦିଲ୍ଲୀ, ଜୟପୁର ଏବଂ ଆଗ୍ରା ଭ୍ରମଣ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ।

ମୋଦୀଙ୍କ ସହ ବୈଠକ ଓ ବାଣିଜ୍ୟ ଚୁକ୍ତି ଆଲୋଚନା

ଏପ୍ରିଲ ୨୧ରେ ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ, ଯେଉଁଠାରେ ଅର୍ଥନୈତିକ ଏବଂ ଭୂ-ରାଜନୈତିକ ପ୍ରାଥମିକତା ଉପରେ ଆଲୋଚନା ହେବ। ଏହି ସମୟରେ ଭାରତ ଓ ଆମେରିକା ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA) ନେଇ ଚାଲିଥିବା ଆଲୋଚନା ମଧ୍ୟ ଗୁରୁତ୍ୱ ପାଇବ। ଗତ ଫେବୃଆରୀରେ ମୋଦୀ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ୨୦୨୫ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ରାଜି ହୋଇଥିଲେ, ଯାହା ଦ୍ୱାରା ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ୫୦୦ ବିଲିୟନ ଡଲାରର ବାଣିଜ୍ୟ ଲକ୍ଷ୍ୟ ହାସଲ ହେବ।

ଉଷା ଭାନ୍ସଙ୍କ ପାଇଁ ଖାସ ଗସ୍ତ

ଏହା ଉଷା ଭାନ୍ସଙ୍କ ପାଇଁ ଏକ ବିଶେଷ ଯାତ୍ରା ହେବାକୁ ଯାଉଛି। ଯିଏକି ଆମେରିକାର ପ୍ରଥମ ଭାରତୀୟ-ଆମେରିକୀୟ ହିନ୍ଦୁ ଦ୍ୱିତୀୟ ମହିଳା (Second Lady) ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ପିତାମାତା ଭାରତରୁ ଆମେରିକାକୁ ଚାକିରି କରିବାକୁ ଯାଇଥିଲେ। ତେବେ ଏହା ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବାକୁ ଯାଉଛି ଯେଉଁଠାରେ ସେ ନିଜର ପୈତୃକ ଗାଁକୁ ନିକଟରୁ ଅନୁଭବ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ସେ ଆନ୍ଧ୍ରପ୍ରଦେଶରେ ଥିବା ତାଙ୍କ ପୈତୃକ ଗାଁକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ଯେଉଁଠାରୁ ତାଙ୍କ ପିତାମାତା ରାଧାକୃଷ୍ଣ ଚିଲୁକୁରୀ ଓ ଲକ୍ଷ୍ମୀ ଚିଲୁକୁରୀଙ୍କର ମୂଳ ବାସସ୍ଥାନ ରହିଛି।

ସାଂସ୍କୃତିକ ଭ୍ରମଣ ଓ ପରିବାର ସହ ସମୟ

ଆଗ୍ରାରେ ତାଜମହଲ ଓ ଜୟପୁରରେ ଐତିହାସିକ ସ୍ଥାନ ଭ୍ରମଣ ଏହି ଗସ୍ତର ଏକ ଅଂଶ। ଏହା ଏକ ସରକାରୀ ଗସ୍ତ ହେଲେ ମଧ୍ୟ, ଏହାର ଉଭୟ ଭାନ୍ସ ଦମ୍ପତ୍ତିଙ୍କ ପାଇଁ ଏକ ବ୍ୟକ୍ତିଗତ ଅନୁଭବ ହେବାକୁ ଯାଉଛି। ଯେଉଁଠାରେ ଭାନ୍ସ ଦମ୍ପତି ତାଙ୍କ ପିଲାମାନଙ୍କୁ ଭାରତୀୟ ସଂସ୍କୃତି ଓ ଐତିହ୍ୟ ସହ ପରିଚିତ କରାଇବେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନୂଆଦିଲ୍ଲୀରେ ଭାନ୍ସ ଦମ୍ପତିଙ୍କୁ ଏକ ନୈଶଭୋଜ ଆୟୋଜନ କରି ସ୍ୱାଗତ କରିବେ।

ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ ଗସ୍ତ

ଏହି ସମୟରେ ଆମେରିକୀୟ ଜାତୀୟ ସୁରକ୍ଷା ଉପଦେଷ୍ଟା ମାଇକେଲ ୱାଲ୍ଟଜ୍‌ ମଧ୍ୟ ଏପ୍ରିଲ ୨୧ରୁ ୨୩ ମଧ୍ୟରେ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହ ଟ୍ରଷ୍ଟ (TRUST) ଉଦ୍ୟୋଗ ଅଧୀନରେ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଓ ନିର୍ମଳ ଶକ୍ତି ସହଯୋଗ ନେଇ ଆଲୋଚନା କରିବେ। ୱାଲ୍ଟଜ୍‌ ମଧ୍ୟ ବାହ୍ୟ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିବେ ଏବଂ ଅନନ୍ତ ସେଣ୍ଟର ଦ୍ୱାରା ଆୟୋଜିତ ଭାରତ-ଆମେରିକା ଫୋରମରେ ଅଂଶଗ୍ରହଣ କରିବେ।

ଟ୍ରମ୍ପଙ୍କ ଟାରିଫ ନୀତି ଓ ଭାରତ-ଆମେରିକା ସମ୍ପର୍କ

ଏହି ଗସ୍ତ ଏକ ସମୟରେ ହେଉଛି ଯେତେବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁଁ ବିଶ୍ୱବ୍ୟାପୀ ଅର୍ଥନୈତିକ ଅସ୍ଥିରତା ଦେଖାଦେଇଛି। ତେବେ ଟ୍ରମ୍ପ ଚୀନ ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ଉପରେ ୯୦ ଦିନ ପାଇଁ ଟାରିଫ ସ୍ଥଗିତ ରଖିଛନ୍ତି। ଯାହା ଭାରତକୁ ଆଲୋଚନା ପାଇଁ ସୁଯୋଗ ଦେଇଛି। ଭାରତୀୟ ଅଧିକାରୀମାନେ ଆଗାମୀ ୬ସପ୍ତାହ ମଧ୍ୟରେ ଏହି ବାଣିଜ୍ୟ ଆଲୋଚନା ଶେଷ କରିବାକୁ ଆଶା ରଖିଛନ୍ତି।

ମୋଦୀ-ଭାନ୍ସଙ୍କ ପୂର୍ବ ସାକ୍ଷାତ

ଏହା ପୂର୍ବରୁ ଫେବୃଆରୀ ୨୦୨୫ରେ ପ୍ୟାରିସରେ ଏଆଇ ଆକ୍ସନ ସମିଟରେ ମୋଦୀ ଓ ଭାନ୍ସ ପରସ୍ପରକୁ ଭେଟିଥିଲେ। ଯେଉଁଠାରେ ସେମାନେ ଏଆଇ, ନିର୍ମଳ ଶକ୍ତି ଓ ପାରମାଣବିକ ପ୍ରଯୁକ୍ତି ଉପରେ ଆଲୋଚନା କରିଥିଲେ। ମୋଦୀ ଭାନ୍ସଙ୍କ ପିଲାମାନଙ୍କୁ ଭାରତୀୟ ଐତିହ୍ୟରେ ଅନୁପ୍ରାଣିତ ଉପହାର ଦେଇଥିଲେ, ଯାହାକୁ ଭାନ୍ସ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଗସ୍ତ ଭାରତ-ଆମେରିକା ସମ୍ପର୍କକୁ ଆହୁରି ଗଭୀର କରିବ ବୋଲି ଆଶା କରାଯାଉଛି। ଯେଉଁଥିରେ ବ୍ୟକ୍ତିଗତ ସଂପର୍କ ଓ କୂଟନୈତିକ ସହଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.