ଭୁବନେଶ୍ୱର,୦୮/୦୨: ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ ଗେଟ୍ରେ ପଡ଼ିଲା ତାଲା । ତାଲା ପକାଇ ଧାରଣ ଦେଲେ ଛାତ୍ରଛାତ୍ରୀ ଏବଂ ଅବିଭାବକ । ଗଞ୍ଜାମ ଜିଲ୍ଲା ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୬୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି । ସ୍କୁଲରେ ମୋଟ ୪ ଜଣ ଶିକ୍ଷକ ଅଛନ୍ତି । ତେବେ ସ୍କୁଲର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲେଇ ଅନ୍ୟ ସ୍ଥାନକୁ ବଦଳି କରାଯାଉଥିବାରୁ ଏହାକୁ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀଙ୍କ ଏବଂ ଅବିଭାବକ । ବଦଳି ପ୍ରତିବାଦରେ ଶନିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ସ୍କୁଲ କମିଟି ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ନମିଳିବାରୁ ଏହି ଆନ୍ଦୋଳନ ପନ୍ଥା ଗ୍ରହଣ କରିଛନ୍ତି । ଆଜି ସକାଳୁ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ଯେ ପର୍ଯ୍ୟନ୍ତ ଶିକ୍ଷକଙ୍କ ବଦଳି ବାତିଲ ହୋଇନାହିଁ ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ଅନ୍ୟ ପକ୍ଷରେ ସ୍କୁଲ ଗେଟ୍ରେ ତାଲା ପକାଯିବା ଫଳରେ ଅନ୍ୟ ଶିକ୍ଷକ ମାନେ ରାସ୍ତା ନିକଟରେ ଛିଡା ହୋଇ ରହିଛନ୍ତି ।