ଭୁବନେଶ୍ବର,୧୯।୨ : କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷଙ୍କୁ ଲୋକଶକ୍ତି ଅଭିଯାନର ସଭାପତି ଚିଠି ଲେଖିଛନ୍ତି।
ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି ଯେ, ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳର ଛାତ୍ରଛାତ୍ରୀଙ୍କ ମାନବିକ ଅଧିକାର ଉପରେ ଆକ୍ରମଣ କରାଯାଇଛି। ସେମାନଙ୍କ ପ୍ରତି ଅମାନବୀୟ ବ୍ୟବହାର ସହ ଜବରଦସ୍ତ ହଷ୍ଟେଲରୁ ବାହାର କରି ଦେବା ଓ ବିନା ସୁରକ୍ଷାରେ ରେଳ ଷ୍ଟେସନରେ ଛାଡ଼ିଦେବା ଘଟଣାକୁ ନିନ୍ଦା କରିଛନ୍ତି।
ଏହି ଘରୋଇ ଶିକ୍ଷା ସଂସ୍ଥା ମାଗଣାରେ ହଜାର ହଜାର ପିଲାଙ୍କୁ ପଢ଼ାଉଥିବା ଦାବୀ କରୁଥିବା ବେଳେ ଏହାର କୌଣସି ସତ୍ୟତା ନାହିଁ। ଆଦିବାସୀଙ୍କ ପିଲାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଠାରୁ ଅନୁଦାନ ଆସୁଛି। ଏବେ ଜଣେ ଛାତ୍ରୀର ଆତ୍ମହତ୍ୟାକୁ ଲୁଚାଇ ଦେବା ଷଡ଼ଯନ୍ତ୍ରକୁ ଛାତ୍ରଛାତ୍ରୀ ବିରୋଧ କରିବାରୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅସହାୟ ଅବସ୍ଥାରେ ବିଶ୍ୱବିଦ୍ୟାଳୟରୁ ବାହର କରି ନିଜ ଦେଶକୁ ପଠାଇଦେବା ପରିତାପର ବିଷୟ । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ରାଜ୍ୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷଙ୍କ ନିକଟକୁ ପତ୍ର ଲେଖିଛନ୍ତି ।