ଭୁବନେଶ୍ୱର,୧୭/୦୨: ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡ୍ଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦେଖିବାକୁ ମିଳିଛି । ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ବର୍ତ୍ତମାନ ଏହି ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି ।
ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡ୍ଲେ କଇଁଛମାନେ ଉପରକୁ ଉଠିଆସି ଗଣଅଣ୍ଡା ଦାନ କରୁଥିବା ଦେଖିବାକୁ ମିଳିଛି । ଫଳରେ ଏହାକୁ ନେଇ ବନ ବିଭାଗ, ପର୍ଯ୍ୟଟକ, ପରିବେଶବିତ୍ ମହଲରେ ଆନନ୍ଦର ଲହରି ଖେଳିଯାଇଛି । କିଭଳି ଭାବେ ସୁରକ୍ଷିତ ଗଣ ଅଣ୍ଡାଦାନ ହୋଇପାରିବ, ସେନେଇ ବନ ବିଭାଗ ପକ୍ଷରୁ ପୂର୍ବରୁ ୫ କିମି ପ୍ରଯ୍ୟନ୍ତ ବ୍ୟାରିକେଟ ଦିଆଯାଇଛି । ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି । ପ୍ରତ୍ୟେକ କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ସମୁଦ୍ର ମଧ୍ୟକୁ ଫେରିଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯାଇଥାନ୍ତି । ବନ ବିଭାଗ କର୍ମଚାରୀମାନେ ସାମୁଦ୍ରିକ କଇଁଛ ସୁରକ୍ଷିତ ସମେତ ଗଣ ଅଣ୍ଡାଦାନ ଉପରେ ଦୃଷ୍ଟି ରଖିଛନ୍ତି । ୨୦୨୪ ରେ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଚଳିତ ବର୍ଷ ଏହି ଗଣ ଅଣ୍ଡାଦାନ ହେଉଥିବା ଦେଖିବାକୁ ମିଳିଛି । କଇଁଛଙ୍କ ଆଗମନ ଓ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହେବା ନେଇ ନଭେମ୍ବର ୧ ମେ ୩୧ ପ୍ରଯ୍ୟନ୍ତ ଆର୍ଯ୍ୟପଲ୍ଲୀରୁ ପ୍ରୟାଗି ୨୦ କିମି ଅଞ୍ଚଳକୁ ସମୁଦ୍ରରେ ନୋ ଫିସିଙ୍ଗ ଜୋନ୍ ଘୋଷଣା କରାଯାଇଛି ।