ଶେରଗଡ଼,୧୯/୦୨: ଶେରଗଡ ଚାରି ଛକ ଚୁଡି ଦୋକାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଚୁଡି ଦୋକାନର ମାଲିକ କେ ଆଦର୍ଶ ରାଓ । ସେହି ଦୋକାନର ମଧ୍ୟ ଭାଗରେ ଆଦର୍ଶଙ୍କ ମୃତଦେହ ପଡିଛି । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହ ଓ ଅଶାନ୍ତି ଯୋଗୁଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଗଞ୍ଜାମ ଜିଲ୍ଲା ଶେରଗଡ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଚୁଡି ଦୋକାନର ମାଲିକ କେ ଆଦର୍ଶ ରାଓ ମଙ୍ଗଳବାର ରାତିରେ ଦୋକାନକୁ ଆସି ଘରକୁ ଫେରି ନଥିଲେ। ଏଣୁ ଭାଇ କେ ପ୍ରସାଦ ରାଓ ତାଙ୍କୁ ଖୋଜିବାକୁ ବାହାରିଥିଲେ । ଦୋକାନକୁ ଆସି କବାଟ ତାଡ଼ି ଦେଖିଲା ବେଳକୁ ଭାଇ ଦୋକାନର ମଧ୍ୟ ଭାଗରେ ମରି ପଡ଼ି ରହିଛି । ଏହା ଦେଖି ତୁରନ୍ତ ଶେରଗଡ଼ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର ସିଆଳ ଓ ଏସଆଇ ସତ୍ୟଜିତ ବେଣିଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋକାନର ଟେବୁଲ୍ ଉପରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ । ତେଣୁ ପାରିବାରିକ କଳହ ଓ ଅଶାନ୍ତି ଯୋଗୁଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ସିସିଟିଭି ଯାଞ୍ଚରୁ ସମ୍ପୂର୍ଣ୍ଣ ତଥ୍ୟ ଜଣା ପଡିବ ବୋଲି ପୋଲିସ କହିଛି ।