ନରଣପୁର,୨୩/୩ : ନରଣପୁର ଉପଖଣ୍ଡର ଟୋଲଙ୍କବାହାଳି ଗ୍ରାମର ରତ୍ନା ସାହି ନିକଟରେ ଏକ ପୋଖରୀରେ ବୁଡି ଜଣେ ମେଧାବୀ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲା ୧୫ ବର୍ଷୀୟ ସମୀର ବେହେରା ।
ଦୈତାରୀ ଥାନା ଅନ୍ତର୍ଗତ ବଳି ପର୍ବତ ଗ୍ରାମର ପ୍ରତାପ ବେହେରାଙ୍କ ପୁଅ ସମୀର ମାଟ୍ରିକ ପରୀକ୍ଷା ସରିବା ପରେ ପିଉସୀ ଝିଅ ଭଉଣୀ ଘରକୁ ବୁଲିବା ପାଇଁ ଆସିଥିଲା। ସକାଳୁ ତିନି ଜଣ ପିଲା ଏହି ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ। ସମୀରଙ୍କ ଗୋଡ଼ ଖସି ଯାଇଥିଲା। ପହଁରା ଶିଖି ନଥିବାରୁ ସେ ବୁଡି ଯାଇ ଉବୁଟୁବୁ ହୋଇଥିଲା। ବୁଡି ଯାଉଥିବା ଦେଖି ସାଙ୍ଗରେ ଥିବା ଅନୀଲ ବେହେରା ନାମକ ଜଣେ ଯୁବକ ପାଣି ଭିତରକୁ ଡେଇଁ ଉଦ୍ଧାର କରିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଟାଉନ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଛାତ୍ରଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। କେନ୍ଦୁଝର ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମର୍ଟମ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ମରଶରୀରକୁ ହସ୍ତାନ୍ତର କରା ଯାଇଥିଲା।
ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ ଚାରିଲେନ ରାସ୍ତା ନିର୍ମାଣ ବେଳେ ଠିକାଦାର ଏଠାରୁ ମାଟି ପରିବହନ କରି ଏଠାରେ ଏକ ପୋଖରୀ ନିର୍ମାଣ କରିଥିଲେ। ଏହି ସ୍ଥାନରେ କୌଣସି ସୁରକ୍ଷା ମୂଳକ ବ୍ୟବସ୍ଥା ନଥିବା କାରଣରୁ ତଥା ଜଳ ଭର୍ତ୍ତି ରହିଥିବା କାରଣରୁ ସମୀରଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି। ସମୀର ବାପାଙ୍କର ବଡ଼ ପୁଅ ହୋଇଥିବା ବେଳେ ତାଙ୍କର ଝିଅ ଅଷ୍ଟମ ଶ୍ରେଣୀ ଓ ଅନ୍ୟ ଜଣେ ପୁଅ ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ଜଣା ପଡ଼ିଛି।