ହାଟଡିହି : ଗତ କିଛିଦିନ ପୂର୍ବେ ଯୁଆଡେ ଚାହିଁବ ଗଦା ଗଦା ବାଲି। କିନ୍ତୁ ଏବେ ବାଲି ପାଇଁ ସବୁଆଡ଼େ ହାହାକାର। ସରକାର ବାଲି ପରିବହନ ଉପରେ କଟକଣାକୁ ଜୋରଦାର କରିବା ପରେ ଏବେ ସବୁଆଡ଼େ ବାଲିର ଅଭାବ ଟ୍ରାକ୍ଟର ବାଲିର ଦର ଦୂରତା ନେଇ ୭ଶହରୁ ହଜାରେ ଟଙ୍କା ଭିତରେ ଥିବା ବେଳେ ଏବେ ୩୫୦୦ରୁ ଅଧିକ ଦରରେ ବିକ୍ରି ହେଉଛି। ତାହା ପୁଣି ପର୍ଯ୍ୟାପ୍ତ ପରିମାଣର ନୁହଁ। ହାଟଡିହି ବ୍ଲକରେ ଅମୃତପୁର, ଡିମିରିଆ, ହାବଳେଶ୍ୱର, ଜମ୍ଭରା, ପୂର୍ବରୁ ଗୋଟିଏ ଟ୍ରାକ୍ଟର ବାଲି ୭ଶହରୁ ହଜାରେ ଟଙ୍କାରେ ମିଳୁଥିଲା , ଏବେ ୩୫୦୦ରୁ ଅଧିକ ଦରରେ ବିକ୍ରିହେଉଛି ପରିଲକ୍ଷିତ ହୋଇଛି।
ଯେଉଁ କିଛି ବାଲି ଉତ୍ତୋଳନ ହେଉଛି ସରକାରୀ କାଗଜ ପତ୍ର ଦେଇ ଗଲାବେଳକୁ ତାହା ପୂର୍ବ ଦରର ୫/୬ଗୁଣ ବୃଦ୍ଧି ପାଇଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଆବାସ ଯୋଜନାରେ ଘର ନିର୍ମାଣ କରୁଥିବା ହିତାଧିକାରୀଙ୍କ ପାଇଁ ଏହା ଅସହ୍ୟ ହୋଇ ପଡିଛି। ପୂର୍ବରୁ ଗୋଟିଏ ଗିରିଗାଁ ଆଦି ବାଲିଘାଟ ଗୁଡ଼ିକୁ ଲିଜ୍ ସୂତ୍ରରେ ଦିଆଯାଇ ବାଲି ଉତ୍ତୋଳନ କରାଯାଉଥିଲା। କିନ୍ତୁ ନିଲାମଧାରି ମାନେ ସରକାରଙ୍କ ନୀତି ନିୟମ ବାହାରେ ବାଲି ଉତ୍ତୋଳନ କରୁଥିଲେ। ତେଣୁ ଶହ ଶହ ଗାଡ଼ିରେ ବାଲି ପରିବହନ କରାଯାଉଥିଲା। ଯାହାଦ୍ୱାରା କମ୍ ଦରରେ ଲୋକମାନେ ବାଲି ପାଇ ପାରୁଥିଲେ।
କିନ୍ତୁ ସରକାର ବାଲି ଉତ୍ତୋଳନ ଓ ପରିବହନ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବାରୁ ଘାଟ ଗୁଡିକରୁ ବାଲି ଉତ୍ତୋଳନ ହୋଇ ପାରୁନି। ବାଲି ପରିବହନ କରୁଥିବା ହାଇୱା ଗୁଡ଼ିକୁ ନୂତନ ଆଇନ ବଳରେ ୩ରୁ ୪ଲକ୍ଷ ଟଙ୍କାର ଜାରିମାନା ଆଦାୟ କରିବା, ଟ୍ରାକ୍ଟର ଗୁଡିକରୁ ୫୦ହଜାରରୁ ଊଦ୍ଧ୍ୱର୍ ଜରିମାନା କରିବାରୁ ଗାଡି ମାଲିକମାନେ ବାଲି ପରିବହନ କରିବାକୁ ଅନିଚ୍ଛୁକ ହେଉଛନ୍ତି। ରାସ୍ତା ଘାଟ ଠାରୁ ଆରମ୍ଭ କରି ପାଲ, ପକ୍କାଘର ଆଦି ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟରେ ବାଲିର ଆବଶ୍ୟକତା ଥିବାରୁ ବାଲି ମିଳୁ ନ ଥିବା ଯୋଗୁଁ ଉନ୍ନୟନ କାର୍ଯ୍ୟ ଠପ୍ ହୋଇ ଯାଇଛି। ଏପରିକି ସାଧାରଣ ଲୋକମାନେ ମଧ୍ୟ ସେମାନଙ୍କ ଘରବାଡ଼ି କାମ କରିପାରୁ ନାହାଁନ୍ତି।
ବ୍ଲକ ଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅଧା ପନ୍ତରିଆ ହୋଇ ପଡ଼ି ରହିଛି। ଚାଲୁଥିବା ଯଦିଓ ସରକାର ଏବେ ବାଲି ଉତ୍ତୋଳନ ପାଇଁ ନୂତନ ନୀତି ନିର୍ଦ୍ଧାରଣ କରିଛନ୍ତି ,କିନ୍ତୁ ତାହା କାର୍ଯ୍ୟକାରୀ କରିବାକୁ ଢେର ଦିନ ଲାଗିଯିବ। ସେତେଦିନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିଲେ ସେଥିରେ ନିର୍ଭର କରୁଥିବା ମିସ୍ତ୍ରୀ, ଶ୍ରମିକ ମାନେ ନାନାଦି ସମସ୍ୟର ସମ୍ମୁଖୀନ ହେବେ। ବାଲି ପରିବହନ କରି ନିଜ ପରିବାର ଚଳାଉଥିବା ଗାଡ଼ି ମାଲିକ, ଚାଳକ ଓ ସହ ଚାଳକ ମାନେ ମଧ୍ୟ ନାନା ଅସୁବିଧା ଭୋଗ କରିବେ। ତେଣୁ ପ୍ରଶାସନ ଏପରି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।