ଚମ୍ପୁଆ,୩୦/୩: ଚମ୍ପୁଆ ବ୍ଲକ୍ରେ ‘ବସୁଧା’ ଯୋଜନାରେ ପ୍ରତି ଘରକୁ ପାଣି ଯୋଗାଇବା ପାଇଁ ବିଛା ଯାଇଥିବା ଭୂତଳ ପାଇପ ଲାଇନରେ ନିମ୍ନ ମାନର କାମ ଯୋଗୁଁ ପାଇପ ଫାଟି ପାଣି ବୋହି ଚାଲିଛି । ଫଳରେ ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ମହେଶ୍ୱରପୁର ଗ୍ରାମ ହୁଡ଼ି ସାହିବାସୀ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଇପ୍ ଲାଇନ ମରାମତି ହେଉ ନଥିବାରୁ ଗ୍ରାମରେ ଅସନ୍ତୋଷ ସୃଷ୍ଟି ହେଉଛି । ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସମସ୍ୟା ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ଆଗ୍ରହ ଦେଖାଉ ନଥିବାରୁ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା ଦେଖା ଦେଇଛି ।
ଏହି ସାହିରେ ଦଶରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ରହୁଥିବାବେଳେ ଏଠାରେ ପ୍ରାୟ ସବୁ ସମୟରେ ପାଣି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଦୀର୍ଘ ଛଅ ମାସ ତଳେ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ଷ୍ଟାଣ୍ଡ ପୋଷ୍ଟ ବସାଯାଇଥିଲା । ହେଲେ ସାହିବାସୀ ଏପର୍ଯ୍ୟନ୍ତ ପାଣି ଟୋପେ ପାଇ ପାରିଲେ ନାହିଁ। ସାହିରେ ଦୀର୍ଘ ବର୍ଷ ତଳୁ ବସିଥିବା ଏକ ପୁରୁଣା ନଳକୂପରୁ ମଧ୍ୟ ଆବଶ୍ୟକ ଅନୁଯାୟୀ ପାଣି ବାହାରୁ ନ ଥିବାରୁ ପିଇବା ପାଣି ଟିକେ ପାଇଁ ସାହିବାସୀ ଦହଗଞ୍ଜ ହେଉଛନ୍ତି ।
ଏ ସମ୍ପର୍କରେ ବାରମ୍ବାର ରଜିଆ ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ପ୍ରାୟ ଏକ ସପ୍ତାହ ଧରି ଜଳ ଯୋଗାଇ ଦିଆଯାଇଥିଲା । କିନ୍ତୁ ଗତ ପାଞ୍ଚ ଦିନରୁ ଅଧିକ ହେବ ସାହିର ଶେଷ ମୁଣ୍ଡରେ ଥିବା ପାଣି ପାଇପ ଫାଟି ଯାଇ ଥିବାରୁ ଷ୍ଟାଣ୍ଡପୋଷ୍ଟ ଗୁଡିକରେ ପୁଣି ଥରେ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ଦାୟିତ୍ୱରେ ଥିବା ଟେକ୍ନିସିଆନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ସାହିବାସୀ । ବିଭାଗୀୟ ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।